‘ପୁନର୍ବାସ’ ପକ୍ଷରୁ ସଚେତନତା ଷ୍ଟଲ

କେନ୍ଦ୍ରାପଡ଼ା : ତୁଳସୀ କ୍ଷେତ୍ରର ପ୍ରସିଦ୍ଧ ରଥଯାତ୍ରା ଅବସରରେ ବ୍ୟାପକ ଶ୍ରଦ୍ଧାଳୁ ଓ ଜନ ସମାଗମକୁ ଦୃଷ୍ଟି ଆଗରେ ରଖି ଭିନ୍ନକ୍ଷମଙ୍କ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ “ପୁନର୍ବାସ” ପକ୍ଷରୁ ରଥଦାଣ୍ଡରେ ଏକ ସଚେତନତା ଷ୍ଟଲ୍ ଖୋଲାଯାଇଅଛି  । ଭିନ୍ନକ୍ଷମମାନଙ୍କ ଆଇନଗତ ଅଧିକାର ସଚେତନତା ସମ୍ପର୍କିତ ବିବିଧ ପ୍ରକାରର ବାର୍ତ୍ତା ବହନକାରୀ ହ୍ୟାଣ୍ଡବିଲ୍ ବଣ୍ଟନ ସହ ଏହି ଷ୍ଟଲରେ ନୂତନ ଭିନ୍ନକ୍ଷମ ଆଇନର ସଚିତ୍ର ପୁସ୍ତିକା ଓ ବିବିଧ ଭିନ୍ନକ୍ଷମତା ସମ୍ପର୍କିତ ପୁସ୍ତିକା ସରଳ ଭାଷାରେ ଲେଖାଯାଇ ସାଧାରଣ ପାଠକଙ୍କ ଉପଲବ୍ଧି ନିମନ୍ତେ ସ୍ଥାନିତ ହୋଇଛି  । ବିଶେଷ କରି ଭିନ୍ନକ୍ଷମତା ସମ୍ପର୍କିତ ଏକମାତ୍ର ଦ୍ୱି-ମାସିକ ଓ ଇଂରାଜୀ ଓ ଓଡ଼ିଆ ଭାଷାର ଦ୍ୱି-ଭାଷିକ ସମ୍ବାଦପତ୍ର ‘ପୁନର୍ବାସ ସମାଚାର'ର ସଦ୍ୟତମ ମେ-ଜୁନ ମାସର ସଂସ୍କରଣ ଏଠାରେ ପାଠକମାନଙ୍କ ନିମନ୍ତେ ଉପଲବ୍ଧ ହେଉଛି  । ଏହି ସ୍ୱତନ୍ତ୍ର ଷ୍ଟଲଟି କେବଳ ଭିନ୍ନକ୍ଷମତା ସମ୍ପର୍କିତ ତଥ୍ୟ ଓ ସଚେତନତା ପ୍ରଚାର କରୁଥିବାରୁ ଦର୍ଶକମାନଙ୍କ ମଧ୍ୟରେ ଏହି ଷ୍ଟଲ ପ୍ରତି ଉସôୁକତା ପ୍ରକାଶ ପାଉଥିବାର ପରିଲକ୍ଷିତ ହେଉଛି  । ପୁନର୍ବାସର ସହ ସମ୍ପାଦକ ବଂଶୀଧର ମହାନ୍ତି ଓ ପ୍ରତାପ ସ୍ୱାଇଁ ଏବଂ କର୍ମକର୍ତ୍ତା ସଂଜୀବ ଜେନା, ମିହିର ରଞ୍ଜନ ବାରିକ ଓ ରଞ୍ଜନ ସ୍ୱାଇଁ ପ୍ରମୁଖ ଏହି ଷ୍ଟଲର ପରିଚାଳନା ଦାୟିତ୍ୱ ନିର୍ବାହ କରୁଛନ୍ତି   ।