ମିଳୁନି ଆବାସ : ଭଙ୍ଗା ଚାଳ ଘରେ ବିତୁଛି ଜୀବନ

ଧାମନଗର :  ସରକାର ପରେ ସରକାର ବଦଳୁଛନ୍ତି । ନେତାଙ୍କ ଭାଗ୍ୟ ବି ବଦଳୁଛି,  ହେଲେ ଗରିବ ଲୋକଙ୍କ ଭାଗ୍ୟ ବଦଳୁନି । ସରକାର କହୁଛନ୍ତି କେହି ବି ଗରିବ ଲୋକ ଚାଳ ଘରେ ରହିବେ ନାହିଁ ସେମାନଙ୍କୁ ପକ୍କା ଘର ଦିଆଯିବ । ହେଲେ ଗରିବ ଲୋକ ଏବେ ବି ଭଙ୍ଗା ଘରେ ଜୀବନ ବିତାଉଛନ୍ତି । ସ୍ୱାଧୀନତା ପରେ ବି ଏମାନେ ପରାଧୀନ ହୋଇ ରହିଛନ୍ତି । ଏମିତି ଏକ ଭଙ୍ଗା ଘରେ ରହି ଜୀବନ ବିତାଉଛନ୍ତି ଦୁଇ ଦିନମଜୁରିଆ ଭାଇ । ଧାମନଗର ବ୍ଲକ ମୁସ୍ତଫାପୁର ପଞ୍ଚାୟତ ରଘୁନାଥପୁର ଗାଁର ଦି ଭାଇ ରବୀନ୍ଦ୍ର ନାୟକ ଓ ପ୍ରଫୁଲ୍ଲ ନାୟକ । ଦିନ ମଜୁରିଆ, ବୟସ ପାଖ ପାଖି ୬୫ ରୁ ୭୦ ହେବ । ଭଙ୍ଗା ଦଦରା ଘର ଯୋଗୁଁ ଦୁଇଟି ପରିବାର ଭାରି ଦୁର୍ଦ୍ଦିନରେ ରହୁଛନ୍ତି । ସ୍ତ୍ରୀ, ପିଲାଙ୍କୁ ମିଶାଇ ୪ ଜଣ ପରିବାରରେ ରବିନ୍ଦ୍ର ଏକା ରୋଜଗାରିଆ । ଦିନକୁ ୩୦୦ ଟଙ୍କା ମଜୁରୀ । ସେମିତି ପ୍ରଫୁଲ୍ଲ ନାୟକଙ୍କର ପରିବାର କହିଲେ ୫ ଜଣ । ମୂଲ ଲାଗନ୍ତି ନ ହେଲେ ମାଗିଯାଚି ଚଳନ୍ତି । ବର୍ଷା ଦିନେ ବିଲ କାମ ଛାଡ଼ିଦେଲେ ଆଉ କିଛି କାମ ମିଳେନି । ପୁଣି ବାର୍ଦ୍ଧକ୍ୟକୁ ଦୁର୍ବଳ ଶରୀର ଯୋଗୁଁ ବିଲର ପାଣି କାଦୁଅର କାମ କରି ହେଉନି । ଏଥିପାଇଁ ଦି ଭାଇ ବର୍ଷା ଦିନେ ବିଲକୁ ଯାଇ ପାରୁନାହାନ୍ତି । ବର୍ଷା ମାସରେ କାମ ନଥିବାରୁ ଘରର ଅବସ୍ଥା ଖରାପ । ଗୁହାଳ ଭଳି ଦିଟି ଝାଟିମାଟି ଘରେ ଦି ଭାଇଙ୍କ ପରିବାର ଆଶ୍ରୟ ନେଇଛି । ବର୍ଷା ଅସରାଏ ହେଲେ ଘର ଭିତରେ ପାଣି ପଶୁଛି । ପଇସା ଅଭାବ ଯୋଗୁଁ ଏଥର ଛପର କରିପାରିଲେନି । ଏଣୁ ପଲିଥିନ ହିଁ ଏକମାତ୍ର ସାହା ଭରସା । ସେପଟେ ସରକାରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବାକୁ ଦୁଇ ଭାଇ କେତେ ଯେ ଗୁହାରି କରିଛନ୍ତି ତାର ହିସାବ ନାହିଁ । ତାଙ୍କ ଆଖି ଆଗରେ ଇନ୍ଦିରା ଆବାସ ଯୋଜନା, ବିଜୁ ପକ୍କା ଘର, ମୋ କୁଡ଼ିଆ, ନିର୍ମାଣ ଶ୍ରମିକ ଆବାସ, ପ୍ରଧାନମନ୍ତ୍ରୀ ଆବାସ ଆଉ ଅନ୍ତ୍ୟୋଦୟ ଗୃହ ଯୋଜନା ପ୍ରଚଳନ ହୋଇଛି । ହେଲେ କୌଣସି ଯୋଜନା ୟାଙ୍କୁ ଛୁଇଁ ପାରିଲାନି ।  ସବୁଥର ନିର୍ବାଚନ ପୂର୍ବରୁ ସରପଞ୍ଚ, ସମିତି ସଭ୍ୟ, ବିଧାୟକ ଓ ଅନ୍ୟ କର୍ମୀ ପ୍ରତିଶ୍ରୁତି ଦିଅନ୍ତି ଘରଟିଏ ଦେବାକୁ ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ଘର ମିଳି ପାରିଲାନି । ଏ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ କହିଛନ୍ତି ଯେ, ସର୍ଭେ ହେଲେ ସେମାନଙ୍କ ନାମ ଦିଆଯିବ, ଉକ୍ତ ପଞ୍ଚାୟତରେ ୯୫୦ ଘର ସର୍ଭେ ହେବ ସେମାନଙ୍କୁ ଘର ଯୋଗାଇ ଦିଆଯିବ ବୋଲି ଅଧିକାରୀ କହିଛନ୍ତି ।