ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ: ଆଗକୁ ‘ଆମ ଶାସନ’ ବ୍ୟବସ୍ଥା
ଭୁବନେଶ୍ୱର : ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଜନକୈନ୍ଦ୍ରିକ ଶାସନ ପରିଚାଳନା ପାଇଁ ବୈଷୟିକ ଜ୍ଞାନ କୌଶଳର ବ୍ୟାପକ ବ୍ୟବହାର ଉପରେ ମୁଖ୍ୟ ସଚିବ ଗୁରୁତ୍ୱାରୋପ କରିଛନ୍ତି । କାର୍ଯ୍ୟକାରୀ ହେଉଥିବା ଜନଶୁଣାଣି ବ୍ୟବସ୍ଥାରେ ବୈଷୟିକ ଜ୍ଞାନ କୌଶଳ କିପରି ସହାୟକ ହୋଇଛି, ସେ ସଂପର୍କରେ ବୈଠକରେ ସମୀକ୍ଷା କରାଯାଇଥିଲା । ୨୦୨୪ ଜୁନ୍ରୁ ବିଭିନ୍ନ ମାଧ୍ୟମରେ ଗୃହୀତ ହୋଇଥିବା ଜନ ଅଭିଯୋଗ ମଧ୍ୟରେ ଅଦ୍ୟାବଧି ଶୁଣାଣି ଫଇସଲା ହାର ୮୨% ହୋଇଛି ବୋଲି ବୈଠକରୁ ଜଣାପଡ଼ିଛି । ଏଥି ସହିତ ବିଭିନ୍ନ ସରକାରୀ ସେବା ପ୍ରଦାନର ଗୁଣବତ୍ତାକୁ ଆହୁରି ଉନ୍ନତ କରିବା ଲାଗି ଆଗାମୀ ଦିନରେ ‘ଆମ ଶାସନ’ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସଂପର୍କରେ ଆଲୋଚନା କରାଯାଇଥିଲା ।
ଓଡ଼ିଶା ଜନସେବା ଅଧିକାର ଅଧିନିୟମ ଅଧୀନରେ ଅନ୍ତର୍ଭୁକ୍ତ ସେବାଗୁଡିକୁ ‘ଆମ ସାଥୀ’ ଏକୀକୃତ ‘ହ୍ୱାଟ୍ସଆପ୍ ବଟ୍’ରେ ସମନ୍ୱିତ କରାଯିବା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଥିଲା । ଅନୁମୋଦନ କରାଯାଇଥିବା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ଧାର୍ଯ୍ୟ ସମୟସୀମା ଅନୁସାରେ କାର୍ଯ୍ୟକାରୀ କରାଯିବା, ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଅଗ୍ରଗତି ଇତ୍ୟାଦି ଅନୁଧାନ ପାଇଁ ଆଗାମୀ ୩୧ ଅକ୍ଟୋବର ସୁଦ୍ଧା ୱାର୍କ ପାସ୍ ବୁକ୍ ବ୍ୟବସ୍ଥା ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ବିଭାଗୀୟ ସିସିଟିଭି ବ୍ୟବସ୍ଥାକୁ ସଂଯୋଗୀକୃତ କରାଯାଇ କେନ୍ଦ୍ରୀୟ ପରିଚାଳନା ନିମନ୍ତେ ସମନ୍ୱିତ ସିସିଟିଭି ସର୍ବେକ୍ଷଣ ବ୍ୟବସ୍ଥା କରାଯିବାକୁ ପଦକ୍ଷେପ ନିଆଯାଇଛି । ସାମୁହିକ ପ୍ରୟାସରେ ଓଡ଼ିଶାର ଉନ୍ନତି, କାର୍ଯ୍ୟରେ ଅଭିନବତ୍ୱ ଲାଗି ‘ଓଡ଼ିଶା ଆଇଡିଆଜ୍ ପୋର୍ଟାଲ ରୋଲଆଉଟ’ ଆରମ୍ଭ ଲାଗି ଆଲୋଚନା ହୋଇଥିଲା । ଏହାସହ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସବିଶେଷ ଆଲୋଚନା କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ ।