ମାଟ୍ରିକ ପରୀକ୍ଷା : ୮ ପରୀକ୍ଷାର୍ଥୀଙ୍କୁ ଧରିଲା AI
ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାର ସୋମବାର ଦ୍ୱିତୀୟ ଭାଷା (ଇଂଲିଶ ଓ ହିନ୍ଦୀ) ପରୀକ୍ଷାରେ ୮ପରୀକ୍ଷାର୍ଥୀ ଅସାଧୁ ଉପାୟ ଅବଲମ୍ବନ କରି ମାଲ୍ପ୍ରାକ୍ଟିସ୍ ହୋଇଛନ୍ତି। ଏହି ପରୀକ୍ଷାର୍ଥୀମାନେ ହଲ୍ ମଧ୍ୟରେ କପି କରୁଥିବାବେଳେ ଆର୍ଟିଫିଶିଆଲ ଇଣ୍ଟେଲିଜେନ୍ସ (ଏଆଇ) ସର୍ଭେଲାନ୍ସ ଜରିଆରେ ଧରାପଡ଼ିଛନ୍ତି। ବୋର୍ଡ ପକ୍ଷରୁ ପରୀକ୍ଷା କେନ୍ଦ୍ରରେ କରାଯାଇଥିବା ଏଆଇ ବ୍ୟବସ୍ଥା ହିଁ ଏଥିପାଇଁ ସହାୟକ ହୋଇଛି। ବୋର୍ଡ ମୁଖ୍ୟାଳୟରେ ନିୟନ୍ତ୍ରଣ କକ୍ଷ ଦାୟିତ୍ୱରେ ଥିବା ଅଧିକାରୀ ସହଜରେ ଏହି ପରୀକ୍ଷାର୍ଥୀମାନଙ୍କୁ ଧରିପାରିଛନ୍ତି। ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି ଯେ, ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଶୃଙ୍ଖଳିତ ଭାବେ ଚାଲିଛି। ଅସାଧୁ ଉପାୟ ଅବଲମ୍ବନ କରି ଧରାପଡ଼ିଥିବା ପରୀକ୍ଷାର୍ଥୀମାନେ ଦଳଗତ ଭାବେ ଏଥିରେ ସମ୍ପୃକ୍ତ ନାହାନ୍ତି। ବ୍ୟକ୍ତିଗତ ସ୍ତରରେ ସେମାନେ ଏଭଳି ଉପାୟ ଅବଲମ୍ବନ କରୁଥିବାରୁ ସେମାନଙ୍କ ଦ୍ୱାରା ପରୀକ୍ଷା ପରିଚାଳନାରେ କୌଣସି ପ୍ରକାର ବିଭ୍ରାଟ ସୃଷ୍ଟି ହୋଇନାହିଁ।