ମୁଖ୍ୟ ସୂଚନା କମିଶନର ରାଜ କୁମାର ଗୋୟଲ

ନୂଆଦିଲ୍ଲୀ : ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ରାଜ କୁମାର ଗୋୟଲ  କେନ୍ଦ୍ରୀୟ ସୂଚନା ଆୟୋଗରେ ମୁଖ୍ୟ ସୂଚନା କମିଶନର ଭାବରେ ଆଜି ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହି ଅବସରରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ମଧ୍ୟ ଉପସ୍ଥିତ ଥିଲେ । ଗୋୟଲ ୧୯୯୦ ବ୍ୟାଚର ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଏବଂ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଅଧୀନରେ ନ୍ୟାୟ ବିଭାଗରେ ସଚିବ ଭାବରେ ଅବସର ଗ୍ରହଣ କରିଥିଲେ । ସେ ଗୃହ ମନ୍ତ୍ରଣାଳୟ ଅଧୀନରେ ସଚିବ (ସୀମା ପରିଚାଳନା) ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ହୀରାଲାଲ ସମରିଆଙ୍କ ସ୍ଥାନରେ ସିଆଇସି ଭାବରେ ନିଯୁକ୍ତି ପାଇଛନ୍ତି ।


   

    ସୂଚନା ଅଧିକାର ଆଇନ ୨୦୦୫ର ଧାରା ୧୨ର ଉପ-ଧାରା (୩) ଅନୁଯାୟୀ ଗଠିତ କମିଟିର ସୁପାରିଶ ଉପରେ ରାଷ୍ଟ୍ରପତି ରାଜ କୁମାର ଗୋୟଲଙ୍କୁ ଡିସେମ୍ବର ୧୫ ତାରିଖରୁ କେନ୍ଦ୍ରୀୟ ସୂଚନା କମିଶନର ଭାବରେ ନିଯୁକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଯିଏ କମିଟିର ଅଧ୍ୟକ୍ଷ ମଧ୍ୟ ଅଟନ୍ତି; ଲୋକସଭାରେ ବିରୋଧୀ ଦଳ ନେତା ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ ଜଣେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀଙ୍କୁ ନେଇ ଗଠିତ ଏକ କମିଟିର ସୁପାରିଶ ଉପରେ ରାଷ୍ଟ୍ରପତି ମୁଖ୍ୟ ସୂଚନା କମିଶନର ଏବଂ ସୂଚନା କମିଶନରମାନଙ୍କୁ ନିଯୁକ୍ତ କରନ୍ତି । ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ପ୍ରାୟ ଦୁଇ ଘଣ୍ଟା ଧରି ରୁଦ୍ଧଦ୍ୱାର ବୈଠକ କରି କେନ୍ଦ୍ରୀୟ ସୂଚନା କମିଶନ (ସିଆଇସି)ରେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତିକୁ ଚୂଡ଼ାନ୍ତ କରିଛନ୍ତି।