ଜାନୁଆରି ୧୫ରେ ମୁମ୍ବାଇ ମହାନଗର ନିଗମ ନିର୍ବାଚନ
ମୁମ୍ବାଇ : ମହାରାଷ୍ଟ୍ର ରାଜ୍ୟ ନିର୍ବାଚନ କମିଶନ (ଏସଇସି) ଆଜି ମୁମ୍ବାଇ ସମେତ ରାଜ୍ୟର ୨୯ଟି ମହାନଗର ନିଗମର ବହୁ ପ୍ରତୀକ୍ଷିତ ନିର୍ବାଚନ ଘୋଷଣା କରିଛନ୍ତି । ଜାନୁଆରି ୧୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ଓ ୧୬ ତାରିଖରେ ଭୋଟ ଗଣନା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଦିନେଶ ୱାଘମାରେ ସୂଚନା ଦେଇଛନ୍ତି । ୨୦୧୭ ମସିହାରେ ବ୍ରିହନ ମୁମ୍ବାଇ ନିଗମ ନିର୍ବାଚନ ହୋଇଥିଲା । ଦୁଇ ବର୍ଷ ତଳେ କାର୍ଯ୍ୟକାଳ ସରିଥିଲେ ବି ଆଇନଗତ କାରଣରୁ ନିର୍ବାଚନ ହୋଇ ପାରିନଥିଲା ।
ନିର୍ବାଚନ ହେବାକୁ ଥିବା ପ୍ରମୁଖ ପୌର ସଂଗଠନଗୁଡ଼ିକ ମଧ୍ୟରେ ମୁମ୍ବାଇ, ନଭି ମୁମ୍ବାଇ, ଥାଣେ, ପୁଣେ, ନାସିକ, ନାଗପୁର ଏବଂ ଛତ୍ରପତି ସମ୍ଭାଜୀନଗର ଅନ୍ତର୍ଭୁକ୍ତ । ଏସଇସି କହିଛନ୍ତି ଯେ ଏହି ନଗର ନିଗମଗୁଡ଼ିକର ୨,୮୬୯ ଆସନ ପାଇଁ ନିର୍ବାଚନ ହେବ । ନାମାଙ୍କନ ପ୍ରକ୍ରିୟା ଡିସେମ୍ବର ୨୩ ରୁ ଆରମ୍ଭ ହୋଇ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ । ଡିସେମ୍ବର ୩୧ ରେ ନାମାଙ୍କନ ଯାଞ୍ଚ କରାଯିବ ଓ ଜାନୁଆରି ୨ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହେବ ବୋଲି ସେ କହିଛନ୍ତି । ଜାନୁଆରି ୩ ତାରିଖରେ ପ୍ରତୀକ ବଣ୍ଟନ ଓ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶିତ ହେବ । ବ୍ରିହନମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ସମେତ ୨୯ଟି ପୌର ସଂସ୍ଥା ପାଇଁ ୨,୮୬୯ଟି ଆସନ ରହିଛି ଏବଂ ରାଜ୍ୟର ଏହି ପ୍ରମୁଖ ସହରାଞ୍ଚଳ କେନ୍ଦ୍ରଗୁଡ଼ିକରେ ୩.୪୮ କୋଟି ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବାକୁ ଯୋଗ୍ୟ ।