ମୁଖ୍ୟମନ୍ତ୍ରୀଙ୍କ ଏମଏସଏମଇ ସମୀକ୍ଷା  ସବୁ ଜିଲ୍ଲାରେ ଏମଏସଏମଇ ପାର୍କ ପ୍ରତିଷ୍ଠା ତ୍ୱରାନ୍ୱିତ କର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଛନ୍ତି  । ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଏମଏସଏମଇ କ୍ଷେତ୍ର ହେଉଛି ବ୍ୟାପକ ନିଯୁକ୍ତି ଓ ସମ୍ଭାବନାର କ୍ଷେତ୍ର  । ସରକାରୀସ୍ତରରେ ଏଥିପାଇଁ ସମସ୍ତ ପ୍ରକାର ସୁବିଧାସୁଯୋଗ ପ୍ରଦାନ କରାଯାଉଛି  । ଯୁବଗୋଷ୍ଠୀଙ୍କୁ ଅଧିକରୁ ଅଧିକ ଆକୃଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ  । ଏଥିପାଇଁ ସବୁ ଜିଲ୍ଲାରେ ଏମଏସଏମଇ ପାର୍କ ପ୍ରତିଷ୍ଠା କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି  । ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ  । ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆମ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଖୁବ ସଫଳ ହେଉଛି  । ପ୍ରାୟ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇସାରିଲେଣି  । ଏଥିରେ ଅନେକ କ୍ଷୁଦ୍ର ବ୍ୟବସାୟୀ ଓ ଉଦ୍ୟୋଗୀ ଅଛନ୍ତି  । ସେମାନଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରାଗଲେ, ସେମାନେ ଆଗକୁ ବଢିପାରିବେ ଏବଂ ଉଦ୍ୟୋଗ ଓ ବାଣିଜ୍ୟ କ୍ଷେତ୍ରରେ ବ୍ୟାପକ ସଫଳତା ହାସଲ କରିପାରିବେ  । ତେଣୁ ସେମାନଙ୍କୁ ଏମଏସଏମଇ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ  । ଓଡିଶାର ଏମଏସଏମଇ କ୍ଷେତ୍ରର ଉତ୍ପାଦିତ ସାମଗ୍ରୀକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ସହିତ ସ୍କୁଲ, କଲେଜ ମାନଙ୍କରେ ବ୍ୟବହାର କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ  । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏବଂ ସ୍କୁଲ କଲେଜର ଆସବାବପତ୍ର, ପୋଷାକ ଇତ୍ୟାଦିକୁ ଓଡିଶା ଏମଏସଏମଇମାନଙ୍କରୁ କିଣିବା ପାଇଁ ଆଲୋଚନା ହୋଇଥିଲା  । ଏମଏସଏମଇ କ୍ଷେତ୍ରରେ ଅଧିକ ରପ୍ତାନୀ ଓ ଆମଦାନୀ ସୁବିଧା ପାଇଁ ଉଭୟ ସମୁଦ୍ରପଥ ଓ ଆକାଶପଥରେ କାର୍ଗୋ ସୁବିଧା ବୃଦ୍ଧି କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ  ।
ଏମଏସଏମଇ କ୍ଷେତ୍ରକୁ ବ୍ୟାଙ୍କଗୁଡିକ ପକ୍ଷରୁ ଯେପରି ଅଧିକ ଋଣ ମିଳିବ ଏବଂ ଋଣ ପ୍ରଦାନ ପ୍ରକ୍ରିୟା ଯେପରି ସରଳ ଓ ସୁବିଧାଜନକ ହେବ, ସେଥିପାଇଁ ବିଭାଗ ଦୃଷ୍ଟି ଦେବାକୁ ଏବଂ ଏସଂପର୍କରେ ନିରନ୍ତର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ  । ସେହିପରି ପିଏମ୍ ବିଶ୍ୱକର୍ମା ଯୋଜନାରେ ଅଧିକ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା, କ୍ଲଷ୍ଟର ବେସ୍ଡ ପ୍ରୋଜେକ୍ଟଗୁଡିକୁ ଅଧିକ ପ୍ରୋସôାହନ ଦେବା ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା  । ସୂଚନାଯୋଗ୍ୟଯେ, ଭାରତ ସରକାରଙ୍କ ଉଦ୍ୟମ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ୧୧ ଲକ୍ଷରୁ ଉର୍ଦ୍ଧ୍ୱ ଏମଏସଏମଇ ରାଜ୍ୟରେ କାର୍ଯ୍ୟକ୍ଷମ ଅଛନ୍ତି ଏବଂ ଏହା ମାଧ୍ୟମରେ ୮୭ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିଛି  । ବୈଠକରେ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଏମଏସଏମଇ ବିଭାଗର କମିଶନର-ତଥା-ଶାସନ ସଚିବ ଡି. ପ୍ରଶାନ୍ତ କୁମାର ରେଡୀ ଏବଂ ନିଦେ୍ର୍ଦଶକ ଆବୋଲି ସୁନିଲ ନରୱାନେ ପ୍ରମୁଖ ଉପସ୍ଥିତ ଥିଲେ  ।