ଯାଜପୁର ବିଜେଡ଼ିକୁ ଝଟକା
ଯାଜପୁରରୁ ଶରତ ପଥାଳ:
ଯିଏ ଯାହା କହୁପଛେ ଯାଜପୁର ବିଜେଡ଼ିକୁ ଧର୍ମଶାଳାର ସ୍ୱାଧୀନ ବିଧାୟକ ଜବର ଧକ୍କା ଦେଇଛନ୍ତି । ଏକଦା ବିଜେଡ଼ିର ଗଡ଼ ଭାବେ ପରିଗଣିତ ହେଉଥିବା ଯାଜପୁର ଗଲା ନିର୍ବାଚନରେ ବଡ଼ଚଣା, ଧର୍ମଶାଳା, କୋରେଇ ଏବଂ ସୁକିନ୍ଦାରୁ ମାତ୍ ଖାଇଥିଲା । ସରକାର ବଦଳିଥିଲେ ବି ତୃଣମୂଳ ସଂଗଠନ ବିଜେଡ଼ି ପାଇଁ ବଳ ସଦୃଶ ହୋଇଥିଲା । ବିଶେଷ କରି ପଞ୍ଚାୟତ ଏବଂ ବ୍ଲକ ଅକ୍ତିଆର ବିନା ତୃଣମୂଳ ସଂଗଠନ ହେଉ କି ଇଛା ମୁତାବକ ବିକାଶ ମୂଳକ କାର୍ଯ୍ୟ ବିଜେପି ପାଇଁ ସହଜ ବ୍ୟାପାର ହୋଇପାରୁନଥିବା ବେଳେ ଧର୍ମଶାଳା ବିଧାୟକ ତୃଣମୂଳ ସଂଗଠନକୁ ଅକ୍ତିଆର କରିବାକୁ କରିଥିବା ଉଦ୍ୟମରେ ସଫଳ ହୋଇପାରିଛନ୍ତି ।
ବିଜେପିର ସହଯୋଗୀ ସଦସ୍ୟ ବିଧାୟକ ହିମାଂଶୁ ଶେଖର ସାହୁ(ଲିକୁ) ଗୋଟିଏ ଝଟକାରେ ଯାଜପୁର ବିଜେଡ଼ିକୁ ଜବର ଧକ୍କା ଦେଇଥିବା ବେଳେ ଧର୍ମଶାଳାରେ ଦୀର୍ଘ ୩୦ବର୍ଷ ଧରି ଚାଲିଆସିଥିବା ପରିବାରବାଦ ରାଜନୀତିରେ ପୂର୍ଣ୍ଣଛେଦ ଟାଣିବାକୁ ସକ୍ଷମ ହୋଇଛନ୍ତି । ଲିକୁଙ୍କ ରାଜନୈତିକ ଗୋଟି ଚାଳନାରେ ବିଜେଡ଼ି ଅକ୍ତିଆରରେ ଥିବା ଧର୍ମଶାଳା ବ୍ଲକ ହାତରୁ ଯାଇଥିବା ବେଳେ ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟଙ୍କ ଭାଇ ପ୍ରାକ୍ତନ ବିଧାୟକ ପ୍ରଣବ ବଳବନ୍ତରାୟ ସଂଗଠନ ଆଳରେ ଶଙ୍ଖ ଭବନରେ କରିଥିବା କସରତକୁ ମଧ୍ୟ ଫେଲ ମାରିଛି । କ୍ଷମତାରୁ ଗଲା ପରେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷଙ୍କ ଗାଦି ସୁରକ୍ଷା ଦିଗରେ ଦଳର କୈାଣସବି ନେତା ମୁଣ୍ଡ ନପୁରାଇବା ରାଜନୈତିକ ମହଲକୁ ଆଶ୍ଚର୍ଯ୍ୟ ଚକିତ କରିଛି ।
ଏହା ପଛରେ କାରଣ କ’ଣ ଥିବ, ତାହା ଉକ୍ତ ଦଳର ନେତାଙ୍କୁ ଜଣାଥିବ, ହେଲେ ଏକଦା ବିଜେଡ଼ି କବଳରେ ଥିବା ୧୦ ଗୋଟି ବ୍ଲକରୁ ଗୋଟିଏ ଖସିଗଲା । ସରକାର ବଦଳିବା, ବିଧାୟକ ପରିବର୍ତନ ହେବା ପରେ ଏଭଳି ଘଟିବା ଅସମ୍ଭବ ନୁହେଁ, ହେଲେ ଏହାର ପ୍ରଭାବ ଅନ୍ୟ ବ୍ଲକ ଉପରେ ପଡ଼ିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଯଦି କହିବା ବଡ଼ଚଣା, କୋରେଇ ଏବଂ ସୁକିନ୍ଦାରେ ବିଜେପିର ବିଧାୟକ ରହିଛନ୍ତି । ଏହି ନିର୍ବାଚନ ମଣ୍ଡଳୀମାନଙ୍କରେ ୪ଟି ବ୍ଲକ ରହିଛି । ବଡ଼ଚଣା ବ୍ଲକ ଅଧ୍ୟକ୍ଷଙ୍କ ଠାରୁ ଉପାଧ୍ୟକ୍ଷଙ୍କ ସହ ସଂଖ୍ୟାଧିକ ପଞ୍ଚାୟତ ପ୍ରତିନିଧି ବିଜେପିରେ ଯୋଗ ଦେବାକୁ ଗୋଡ଼ ଟେକି ରହିଛନ୍ତି । ଯେକୌଣସି ତାରିଖରେ ଦଳବଳ ନେଇ ବ୍ଲକ ଅଧ୍ୟକ୍ଷ ବିଜେପିରେ ସାମିଲ ହେବେ ବୋଲି ମାସକ ପୂର୍ବରୁ କୁହାଯାଉଛି । ହେଲେ ଧର୍ମଶାଳା ଘଟଣା ପରେ ସମ୍ଭବତଃ ଖୁବଶୀଘ୍ର ବଡ଼ଚଣା ବ୍ଲକ ବିଜେଡ଼ି ମୁକ୍ତ ହେବାର ଆଶଙ୍କା କରାଯାଉଛି । କୋରେଇ ବ୍ଲକ ଅକ୍ତିଆର କରିବା ପାଇଁ ବିଜେପି ଉଦ୍ୟମ କରିଥିଲେ ହେଁ ତାହା ଫେଲମାରିଛି । ହେଲେ ଧର୍ମଶାଳା ବିଧାୟକଙ୍କ ସଫଳ ଗୋଟି ଚାଳନାର ପ୍ରଭାବ କୋରେଇ ବ୍ଲକ ଦଖଲ ଦିଗରେ ଏକ ପ୍ରକାର ସହାୟକ ହେବ ବୋଲି କୁହାଯାଇପାରେ । ଅପରପକ୍ଷରେ ସୁକିନ୍ଦା ହେଉ କି ଦାନଗଦୀ ବ୍ଲକ ବିଜେପି ଦଖଲ କରିବାର କୌଣସି ଗନ୍ଧବାସ୍ନା ଜଣାପଡ଼ୁନି । ସୁକିନ୍ଦା ବିଧାୟକ ଏଦିଗରେ ଉଦ୍ୟମ କରିନଥିବା ମନେହେଉଛି । ସେପଟେ ସୁକିନ୍ଦା ବ୍ଲକ ହେଉ କି ଦାନଗଦୀ ବ୍ଲକରେ ବିଜେଡ଼ିର ତୃଣମୂଳ ସଂଗଠନ ଆଜିବି ସବଳ ରହିଛି । ଯାହାର ଝଲକ ପ୍ରାକ୍ତନ ବିଧାୟକ ଶାସକ ଦଳ ବିରୁଦ୍ଧରେ କଳାଦିବସର ଆୟୋଜନ ଦେଖାଇ ପାରିଛନ୍ତି । ଧର୍ମଶାଳା ହାତଛଡ଼ା ପରେ ସୁକିନ୍ଦା, ଦାନଗଦୀ ପାଳିପଡ଼ିବ କି ବୋଲି ଆଲୋଚନା ଆରମ୍ଭ ହୋଇଗଲାଣି । ସେହିପରି ଧର୍ମଶାଳା, ବରୀ ଏବଂ କୋରେଇ ନିର୍ବାଚନ ମଣ୍ଡଳୀର ୨୮ ପଞ୍ଚାୟତକୁ ନେଇ ଗଠିତ ରସୁଲପୁର ବ୍ଲକ ବିଜେଡ଼ି ଅଧିନରେ ଥିବା ବେଳେ ଏହା ବିଜେପି ଅକ୍ତିଆରଧିନ କରିବାକୁ ଉଦ୍ୟମ ହେବାର ଆଶଙ୍କା ବଢିବାରେ ଲାଗିଛି । ଯେହେତୁ ଧର୍ମଶାଳାରେ ଲିକୁ ସଫଳ ହେଲେ ଏଣୁ ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତରେ ଥିବା ୯ ଏବଂ କୋରେଇ ନିର୍ବାଚନ ମଣ୍ଡଳୀରେ ଥିବା ୯ ପଞ୍ଚାୟତ ପ୍ରତିନିଧି ଏକାଠି କରି ବ୍ଲକ ଦଖଲର ଗୋଟି ଚାଳନା ହେବ କି ବୋଲି ଆଲୋଚନା ଆରମ୍ଭ ହୋଇଯାଇଛି । ରାଜନୀତିରେ କେତେ ବେଳେ କ’ଣ ଘଟିବ, ତାହାର ସଠିକତା ନାହିଁ, ହେଲେ ଧର୍ମଶାଳା ବିଧାୟକ ଲିକୁ ପରିବାର ରାଜନୀତିକୁ ମାତ ଦେବା ଆଲୋଚନାର ବିଷୟ ହୋଇପଡ଼ିଛି । ୧୯୭୭ରୁ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଥିବା ସ୍ୱର୍ଗତ କଳ୍ପତରୁ ଦାସଙ୍କ ହସ୍ତମୁଦୁଲି ଥିଲା ଧର୍ମଶାଳା । ୧୯୯୫ ମସିହାରେ ଅନୁଷ୍ଠିତ ନିର୍ବାଚନ ପରଠୁଁ ପଛକୁ ଫେରି ନଥିଲେ ସ୍ୱର୍ଗତ ଦାସ । ଧର୍ମଶାଳାରୁ ୪ଥର ନିର୍ବାଚିତ ହେବାପରେ ରାଜ୍ୟସଭାକୁ ମଧ୍ୟ ମନୋନୀତ ହୋଇଥିଲେ । ତାଙ୍କ ସ୍ଥାନ ନେଇଥିଲେ ପୁଅ ପ୍ରଣବ । ଧର୍ମଶାଳାରୁ ଲଢି ପ୍ରଣବ ୨ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଆଉ ପ୍ରଣବ ଭାଇ ପ୍ରଭାତଙ୍କୁ ମଧ୍ୟ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରାଇ ବ୍ଲକ ଅଧ୍ୟକ୍ଷ କରାଇଥିଲେ । ୧୯୯୫ରୁ ଦୀର୍ଘ ୩୦ ବର୍ଷ ଧରି ଗୋଟିଏ ପରିବାର ଧର୍ମଶାଳାକୁ ଶାସନ କରି ଆସୁଥିବା ବେଳେ ୨୦୨୪ରେ ଲିକୁ ପ୍ରଣବଙ୍କୁ ହରାଇ ପ୍ରଥମ ଝଟକା ଦେଇଥିଲେ । ଆଉ ଆଜି ପ୍ରଭାତ ପଦ ଛାଡ଼ିବା ପରେ ପରିବାରବାଦ୍ ରାଜନୀତିକୁ ଦ୍ୱିତୀୟ ଝଟକା ଲାଗିଛି । ତେବେ ଏଥିରେ ପୁରା ପୂର୍ଣ୍ଣଛେଦ ପଡ଼ିବ, ନାଁ ନାହିଁ, ତାହା ହିଁ ଭବିଷ୍ୟତ ରାଜନୀତି ଉପରେ ନିର୍ଭର କରେ ।