‘ମେସି’ଙ୍କ କାର୍ଯ୍ୟକ୍ରମରେ ବିଭ୍ରାଟ : ବେଙ୍ଗଲ କ୍ରୀଡାମନ୍ତ୍ରୀଙ୍କ ଇସ୍ତଫା
କୋଲକାତା : ସଲ୍ଟ ଲେକ୍ ଷ୍ଟାଡିୟମରେ ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମରେ ବିଭ୍ରାଟ କାରଣରୁ ବେଙ୍ଗଲ କ୍ରୀଡାମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ସଲ୍ଟ ଲେକ୍ ଷ୍ଟାଡିୟମରେ ଲିଓନେଲ୍ ମେସିଙ୍କ GOATଟୁର୍ କାର୍ଯ୍ୟକ୍ରମ ବେଳେ ହୋଇଥିବା ଅରାଜକତାର ତଦନ୍ତ ନିର୍ଦ୍ଦେଶ ପରେ ବେଙ୍ଗଲ କ୍ରୀଡାମନ୍ତ୍ରୀ ଅରୁପ ବିଶ୍ୱାସ ଇସ୍ତଫା ଦେଇଛନ୍ତି । କ୍ରୀଡାମନ୍ତ୍ରୀ ଅରୁପ ବିଶ୍ୱାସଙ୍କ ଇସ୍ତଫାକୁ ବେଙ୍ଗାଲ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ଗ୍ରହଣ କରିଛନ୍ତି । ବେଙ୍ଗଲ ପୁଲିସ ମହାନିର୍ଦ୍ଦେଶକଙ୍କୁ ସୋ କଜ୍ ଜାରି କରାଯାଇଛି । ଅନ୍ୟପଟେ ବିଧାନନଗର ପୁଲିସ କମିଶନରଙ୍କୁ ସସ୍ପେଣ୍ଡ କରାଯାଇଛି । ଉଭୟଙ୍କୁ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡିସେମ୍ବର ୧୩ରେ ମେସି କୋଲକାତାରେ ପହଞ୍ଚିବା ପରେ ସଲ୍ଟ ଲେକ୍ ଷ୍ଟାଡିୟମରେ ହଜାର ହଜାର ପ୍ରଶଂସକ ତାଙ୍କୁ ଦେଖିବା ପାଇଁ ଏକାଠି ହୋଇଥିଲେ । କିନ୍ତୁ କିଛି ସମୟ ମଧ୍ୟରେ ଏହା ଏକ ଲଜ୍ଜାଜନକ ଘଟଣାରେ ପରିଣତ ହୋଇଥିଲା । ଷ୍ଟାଡିୟମରେ ଚେୟାର ଏବଂ ବୋତଲ ଫିଙ୍ଗାଯାଇଥିଲା । ବିଶୃଙ୍ଖଳା ଚରମରେ ପହଞ୍ଚିଥିଲା ।