ମୋଦିଙ୍କ ପାଇଁ ଟ୍ରମ୍ପ ନରମ!
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୂଟନୀତିର ଆଉ ଏକ ସୁଫଳ ଭାରତ ପାଇବାକୁ ଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପଙ୍କ ଟିକସ ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେଇଥିବାବେଳେ ଭାରତ ପାଇଁ ଏକ ଆଶ୍ୱସ୍ତିର ଖବର ଆସିବାକୁ ଯାଉଛି । ଭାରତ, ଭିଏତନାମ ଓ ଇସ୍ରାଏଲ ପାଇଁ ଟ୍ରମ୍ପଙ୍କ ଆଭିମୁଖ୍ୟ ବଦଳିପାରେ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଆମେରିକା ସମସ୍ତ ଆମଦାନୀ ଉପରେ ୧୦% ଟିକସ ଲଗାଇବାକୁ ଯାଉଛି । ଶନିବାର ଠାରୁ ଏହା ଲାଗୁ ହେବାର ଥିବାବେଳେ ଅପ୍ରେଲ ୯ରୁ ଆଉ ଅଧିକ ଟିକସ ଲାଗିବ ବୋଲି ଜାଣିବାକୁ ମିଳିଛି । କିନ୍ତୁ ଏହା ପୂର୍ବରୁ ଭାରତ ସରକାର ଆମେରିକା ସହ ସନ୍ଧି କରିବାକୁ ଯାଉଛନ୍ତି । ଭାରତୀୟ ରପ୍ତାନୀକାରୀ ଯେଭଳି ବେଶୀ ପ୍ରଭାବିତ ନହେବେ ସେଥିପାଇଁ ପଦକ୍ଷେପ ନିଆଯିବ । ନିକଟରେ ଟ୍ରମ୍ପ କହିଥିଲେଯେ, ଚାଇନା ସାମଗ୍ରୀ ଉପରେ ୩୪%, ଭାରତୀୟ ସାମଗ୍ରୀ ଉପରେ ୨୬%, ଇଉରୋପୀୟ ୟୁନିୟନ ଉପରେ ୨୦%, ଦକ୍ଷିଣକୋରିଆ ଉପରେ ୨୫%, ଜାପାନୀ ସାମଗ୍ରୀ ଉପରେ ୨୪% ଓ ତାଇୱାନ ଉପରେ ୩୨% ଟିକସ ଲାଗିବ । ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ କରି ଚାଇନା ଟିକସ ବଢ଼ାଇ ଦେଇଥିବାବେଳେ ଭାରତ କିନ୍ତୁ ସେଭଳି ପଦକ୍ଷେପ ନେଇନାହିଁ । ମୋଦିଙ୍କ ସହ ଟ୍ରମ୍ପଙ୍କର ସୁସମ୍ପର୍କ ଥିବାରୁ ଏନେଇ ଦୁଇ ବନ୍ଧୁ ପୁଣି କଥାବାର୍ତ୍ତା ହେବେବୋଲି ରିପୋର୍ଟ ପ୍ରକାଶ ପାଇଛି ।