ପାଣ୍ଡିଆନ୍‌ଙ୍କ ଅକଲଗୁଡୁମ୍‌, ଆଇଏଏସ୍‌ ବୁଦ୍ଧି ଫେଲ୍‌

ପାଣ୍ଡିଆନ୍‌ଙ୍କ ଅକଲଗୁଡୁମ୍‌, ଆଇଏଏସ୍‌ ବୁଦ୍ଧି ଫେଲ୍‌

ଭୁବନେଶ୍ୱର : ପାୱାର ଥିଲା  । ଥାଡର଼୍ ଫ୍ଲୋରରୁ ନେଇ ନବୀନ ନିବାସ ଯାଏଁ କେବଳ ତାଙ୍କରି କଥା ହିଁ ଚାଲୁଥିଲା । ସେ ଯାହା କହୁଥିଲେ ତାହା ଥିଲା ବେଦର ଗାର  । ସେ ଯାହା କରୁଥିଲେ ତାହା ଥିଲା ଶିରୋଧାର୍ଯ୍ୟ  । ବଡ଼ ବାବୁଙ୍କ ଠାରୁ ନେଇ ବଡ଼ ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ କଥାରେ ଉଠବସ୍‌ ହେଉଥିଲେ  । ଭୈରବଙ୍କ କିଳିକିଳା ରାବରେ ସାରା ଓଡ଼ିଶା କମ୍ପୁଥିଲା  । ଆଇଏଏସ ବୁଦ୍ଧିକୁ ନେଇ ଆତ୍ମଗର୍ବରେ ଫାଟି ପଡୁଥିଲେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‌  । ବିଜେଡ଼ିକୁ ସେ ଠିକ୍‌ ଦିଶାରେ ନେଉଛନ୍ତି ବୋଲି ଅନେକ ପାଣ୍ଡିଆନ୍‌ ପ୍ରେମୀ ଭାବୁଥିଲେ  । ଏମିତିକି ପାଣ୍ଡିଆନଙ୍କ ବିନା ବିଜେଡ଼ି କଥା ଚିନ୍ତା କରିପାରୁନଥିଲେ ନେତା  । ହେଲେ ପାଣ୍ଡିଆନଙ୍କ ବୁଦ୍ଧି କେତେ ? ତାହା ଏବେ ପ୍ରମାଣିତ  । ଜୁନ୍‌ ମାସ ଠାରୁ ପାଣ୍ଡିଆନଙ୍କ କୌଣସି ଗୋଟିଏ ବି ଚାଲ୍‌ ଆଉ କାମ କରୁନାହିଁ  । ସତେଯେମିତି ତାଙ୍କ ମଗଜ ଅକଲଗୁଡ଼ୁମ ହୋଇଯାଇଛି  । ଖାଲି ସେତିକିନୁହେଁ ଏବେ ବିଜେଡ଼ି ଶଙ୍ଖରୁ ପାଣ୍ଡିଆନ୍‌ ବିରୋଧୀ ସ୍ୱର ବେଶୀ ଶୁଭିବା ଆରମ୍ଭ କଲାଣି  । ଆଗରୁ ଛାତ୍ର ଓ ଯୁବନେତାମାନେ ବିରୋଧ କରୁଥିବାବେଳେ ଏବେ ବରିଷ୍ଠ ନେତାମାନେ ବି ପାଣ୍ଡିଆନଙ୍କ ଚେର କାଟିବାକୁ କରତ ରେଡ୍ଡୀ କରିଥିବା ଦେଖିବାକୁ ମିଳିଛି  । ସେପଟେ ପାଣ୍ଡିଆନଙ୍କୁ ଏବେ ବିଜେଡ଼ି ନେତା ଘେରୁଥିବାବେଳେ ପ୍ରଣବ ପ୍ରକାଶ ଦାସଙ୍କର ବି ପିଳେହି ପାଣି ହୋଇଗଲାଣି । ଏହାପରେ ତାଙ୍କ ଉପରେ ବି ବିଜେଡ଼ି ନେତା ଶାଣିତ ଆକ୍ରମଣ କରିବେ ବୋଲି ଚର୍ଚ୍ଚା ହେଉଛି  ।
୨୦୨୪ ଜୁନ୍‌ ୪ରେ ବାହାରିଲା ସାଧାରଣ ନିର୍ବାଚନ ଫଳ  । ଫାଷ୍ଟକ୍ଳାସ ଫାଷ୍ଟ ହେବବୋଲି ପାଣ୍ଡିଆନ୍‌ ଓ ତାଙ୍କ ଚେଲାଚାମୁଣ୍ଡାମାନେ ଛାତି ଚଉଡ଼ା କରି ଗଳା ଫିଟାଇ ଚିତ୍କାର କରୁଥିଲେ  । ଶପଥ ଗ୍ରହଣ ତାରିଖ ବି ସ୍ଥିର ହୋଇ ସାରିଥିଲା  । ହେଲେ ଫଳ କିନ୍ତୁ ଓଲଟା ହେଲା  । ଖାଲି ବିଜେଡ଼ି କ’ଣ, ଖୋଦ୍‌ ନବୀନ ବାବୁ ବି କଣ୍ଟାବାଞ୍ଜିରେ ଚିଟ୍‌ପଟାଙ୍ଗ ଦେଲେ । ଏହାପରେ ରାଗ ତମତମ ବିଜେଡ଼ି ଛାତ୍ର ଓ ଯୁବନେତା ଶଙ୍ଖ ଭବନ ଆଗରେ ହଙ୍ଗାମା କଲେ  । ସିଧାସଳଖ ପାଣ୍ଡିଆନ୍‌, ପ୍ରଣବ ପ୍ରକାଶ ଦାସ ଓ ମାନସ ମଙ୍ଗରାଜଙ୍କ ଚଉଦପୁରୁଷ ଉଝାଳିଲେ  । ଦିନକୁ ଦିନ ପାଣ୍ଡିଆନ୍‌ ବିରୋଧୀ ସ୍ୱର ତୀବ୍ର ହେବାରୁ ଜୁନ୍‌ ୯ରେ ପାଣ୍ଡିଆନ୍‌ କ୍ଷମା ମାଗି ସକ୍ରିୟ ରାଜନୀତିରୁ ଅବସର ନେଇଗଲେ । ସେ ଭାବିଥିଲେ ସେ ଅବସର ନେଇଯିବା ପରେ ସବୁକିଛି ସମାଧାନ ହୋଇଯିବ  । ହେଲେ ସେମିତି କିଛି ହେଲାନି  । 
୨୦୨୪ ଜୁଲାଇ ୭ରେ ବିଜୁ ଜନତା ଦଳର ସବୁ ସଂଗଠନକୁ ଭାଙ୍ଗିଦେଳେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ସମସ୍ତେ ଭାବୁଥିଲେ ଖୁବଶୀଘ୍ର ନୂଆ ଟିମ୍‌ ଗଢ଼ା ହେବା ପରେ ବିଜେଡ଼ିର ସଂଗଠନ ଗତିଶୀଳ ହେବ  । ହେଲେ ଇତି ମଧ୍ୟରେ ୯ ମାସ ବିତିଗଲାଣି  । କିନ୍ତୁ ଦଳ ଟିମ୍‌ ଗଢ଼ି ପାରିଲାନି  ।  କାହିଁକିନା ପାଣ୍ଡିଆନ୍‌ ନବୀନ ନିବାସରେ ରହି ଗୋଟିଚାଳନା କରୁଛନ୍ତି । ସେ ଚାହୁଁନାହାନ୍ତି ବୋଲି ନୂଆ ଟିମ୍‌ ଗଢ଼ା ହେଉନି । ଏଭଳି ଚର୍ଚ୍ଚା ଗାଁ ପାନ ଦୋକାନରେ ବସୁଥିବା କର୍ମୀଟିଏ ବି ଠଉରାଇ ସାରିଲାଣି  । ଦରଦାମ ବିକ୍ଷୋଭକୁ ଛାଡ଼ିଦେଲେ ବିଜେପି ସରକାର ବିରୋଧରେ ଏଯାଏଁ ଦଳ ଗୋଟିଏ ବଡ଼ କାର୍ଯ୍ୟକ୍ରମ ହାତକୁ ନେଇପାରିନି  । ସେପଟେ କଂଗ୍ରେସ ସଭାପତି ଆସୁଆସୁ ସରକାରଙ୍କୁ ସଣ୍ଢୁଆସୀ ଆକ୍ରମଣ କରି ନାକୁଆଣୀ କରିଦେଇସାରିଲେଣି   । ବିଧାନସଭାର ବଜେଟ୍‌ ଅଧିବେଶନ କାଳରେ ବିଜେଡ଼ିକୁ ପଛରେ ପକାଇ ଦେଇ କଂଗ୍ରେସ ପ୍ରମୁଖ ବିରୋଧୀ ଭାବେ ଉଭା ହୋଇଥିଲା  । ଯାହାକି ବିଜେଡ଼ିର ତୁଙ୍ଗ ନେତାଙ୍କ ଠାରୁ ନେଇ ଯୁବ ଓ ଛାତ୍ର ନେତାଙ୍କୁ ଆଘାତ ଦେଇଛି  । ଦଳରେ କ’ଣ ହେଉଛି, କେହି କିଛି ଜାଣିପାରୁନାହାନ୍ତି  । ବିଧାନସଭା ଚାଲିଥିବାବେଳେ ନବୀନଙ୍କୁ ଲମ୍ବା ସମୟ ଧରି ବାହାରେ ରଖିôଥିଲେ ପାଣ୍ଡିଆନ୍‌  । ଦିଲ୍ଲୀ ଯିବେ ବୋଲି କହି କେରଳ ଓ ତାମିଲନାଡୁ ବି ପଳାଇଲେ  । କାରଣ କ’ଣ କେହି ବି ଜାଣିନାହାନ୍ତି । ତେଣୁ ପାଣ୍ଡିଆନଙ୍କ ଉଦ୍ଦେଶ୍ୟକୁ ନେଇ ବିଜେଡ଼ିରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି  । 
ଏମିତିବି ବିଜେଡ଼ି ନେତାଙ୍କୁ ନପଚାରି ବିଜେପି ସହ ମେଣ୍ଟ ପାଇଁ ପାଣ୍ଡିଆନ୍‌ ହିଁ ନିଷ୍ପତ୍ତି ନେଇଥିଲେ  । ଯାହାର ପ୍ରତିକୂଳ ପ୍ରଭାବ ନିର୍ବାଚନରେ ବି ପଡ଼ିଥିଲା  । ପାଣ୍ଡିଆନଙ୍କ ଅନୁଗତ ଆଇପିଏସ ଡିଏସ କୁଟ୍ଟେ ଓ ଆଶିଷ ସିଂଙ୍କୁ କେନ୍ଦ୍ର ସରକାର ପଦୋନ୍ନତି ଦେଇ ଥଇଥାନ କରିଦେଲେ  । ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କୁ ଭିଆରଏସକୁ ଗୋଟିଏ ଦିନରେ କେନ୍ଦ୍ର ସରକାର ଅନୁମୋଦନ କଲେ  । ଅତଏବ ପାଣ୍ଡିଆନ୍‌ ଏବେବି ବିଜେପି ସହ ଲିଙ୍କରେ ରହି କିଛି ଗୋଟେ ଖେଳ କରୁଛନ୍ତି ବୋଲି ବିଜେଡ଼ି ମହଲରେ ଚର୍ଚ୍ଚା ହେଉଛି  । ଏହା ପୂର୍ବରୁ ପାଣ୍ଡିଆନଙ୍କ ବିଦେଶ ଚାକିରୀ ଖବର ବଜାରକୁ ଆସିଥିଲା  । ନବୀନ ନିବାସ ଛାଡ଼ି ପାଣ୍ଡିଆନ୍‌ ବିଦେଶରେ ଚାକିରୀ କରିବେ  । କିନ୍ତୁ ସତରେ ପାଣ୍ଡିଆନ୍‌ ନବୀନଙ୍କ ଲଡୁ ଛାଡ଼ିବାକୁ ଚାହୁଁନାହାନ୍ତି  । ତେଣୁ ନିର୍ବାଚନମଣ୍ଡଳୀରୁ ନେତାଙ୍କୁ ସେଟିଂ କରି ପାଣ୍ଡିଆନ୍‌ ଦଳକୁ ଗାଇଡ଼ କରିବାକୁ ଗୋଟେ ଅନୁରୋଧ ପର୍ବ ଆରମ୍ଭ ହେବାର ଥିଲା  । କୁହାଯାଉଛି ପ୍ରଥମେ ଆସ୍କାରୁ ରଞ୍ଜିତା ସାହୁଙ୍କ ନେତୃତ୍ୱରେ କିଛି ନେତା ଏହି ପର୍ବର ଶୁଭାରମ୍ଭ କରିଥିଲେ  । ହେଲେ ଠିକ୍‌ ସମୟରେ ୱାକଫ କିଳା ପାଣ୍ଡିଆନଙ୍କ ବୁଦ୍ଧି ହଜାଇ ଦେଇଛି  । ସଦ୍ୟତମ କଥାଟି ହେଉଛି ୱାକଫ ବିଲ୍‌କୁ ନେଇ  । ନବୀନ ନିଜ ପାଟିରେ ୱାକଫ ବିଲକୁ ବିରୋଧ କରିବା ପାଇଁ ଦୁଇ ଦୁଇ ଥର କହିଲେ  । ଇଫତାର ପାର୍ଟିରେ ମୁସଲିମ୍‌ ସମ୍ପ୍ରଦାୟର ବଡ଼ ନେତାଙ୍କ ଆଗରେ ବି ଏହା ଦୋହରାଇଲେ । ହେଲେ ରାଜ୍ୟସଭା ଭୋଟିଂ ଦିନ ଦଳର ନିଷ୍ପତ୍ତି ବଦଳିଗଲା । ବିରୋଧ ଶବ୍ଦଟି ବିବେକକୁ ରୂପାନ୍ତରିତ ହୋଇଗଲା  । ଯାହାକି ଦଳର ନେତାଙ୍କୁ ଖପ୍ପା କରିଛି  । ସେହି ପ୍ରସଙ୍ଗକୁ ନେଇ ବିଜେଡ଼ିରେ ଝଡ଼ ସୃଷ୍ଟି ହୋଇଛି  । ନବୀନ ନିବାସ ଯାଇ ଡରରେ ହେଉ ପଛେ ବରିଷ୍ଠ ନେତାମାନେ ନବୀନ ପଟ୍ଟନାୟକଙ୍କୁ ଏକଥା ପଚାରିଛନ୍ତି  । ହଠାତ୍‌ ସସ୍ମିତ ପାତ୍ରଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି ବଡ଼ନେତାମାନେ  । ସସ୍ମିତ କୁଆଡେ଼ ଭିଲିୟାନ୍‌ ବୋଲି ବଡ଼ ନେତା କହି ବୁଲୁଛନ୍ତି । କିନ୍ତୁ ସବୁ ନେତା ଜାଣିଛନ୍ତି, ସସ୍ମିତ ପାତ୍ରଙ୍କ ରାଜନୀତିକ ପିତ୍ତ କେତେ ? ପାଣ୍ଡିଆନ୍‌ ହିଁ ଏତକ ପାଲା କରିଛନ୍ତି  । ମୋଦିଙ୍କୁ ଖୁସ୍‌ କରିବା ପାଇଁ ସସ୍ମିତଙ୍କୁ ଲଗାଇ ଏତକ କୁହାଇଛନ୍ତି ବୋଲି ବିଜେଡ଼ି ନେତାମାନେ ବୁଝି ସାରିଲେଣି  । ହେଲେ ସିଧାସଳଖ ପାଣ୍ଡିଆନଙ୍କୁ କହିଲେ ନବୀନଙ୍କୁ ଆଘାତ ଲାଗିବ  । ନବୀନଙ୍କୁ ଅସନ୍ତୁଷ୍ଟ କରିବାକୁ କେହି ଚାହୁଁନାହାନ୍ତି  । ତେଣୁ ସସ୍ମିତ ପାତ୍ରଙ୍କ ଘଟଣାର ତଦନ୍ତ ଆଳରେ ପାଣ୍ଡିଆନଙ୍କ ଅସଲ ସ୍ୱରୂପ ପଦାକୁ ଆସୁ ବୋଲି ସେମାନେ ଚାହୁଁଛନ୍ତି  । ଏହା ପଛରେ ଥିବା ରାଜନୀତିକ ତର୍କଟି ହେଉଛି,  ଯଦି ବିଜେଡ଼ି ନେତାଙ୍କ ଦାବି ଫଳରେ ସସ୍ମିତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଏ ତେବେ ସସ୍ମିତ ମଧ୍ୟ ଚୁପ୍‌ ବସିବେ ନାହିଁ  । ଦଳ ଅତିବେଶୀରେ ତାଙ୍କୁ ନିଲମ୍ବନ କି ବହିଷ୍କାର କରିପାରିବ  । ସେମିତି ହେଲେ ସସ୍ମିତଙ୍କ ରାଜ୍ୟସଭା ପଦ ଯିବ ନାହିଁ  । ସେହିପରି ଆଗାମୀ ଦିନରେ ସେ ଆଉ ବିଜେଡ଼ିରୁ ରାଜ୍ୟସଭା ସାଂସଦ ହେବାର ବି ସମ୍ଭାବନା ନାହିଁ  । ତେଣୁ ବାଧ୍ୟହୋଇ ସସ୍ମିତ ସବୁ ପୋଲ୍‌ ଖୋଲିବେ  । ନା ନେଇ ଯଦି ସେ ସତ ଓଗାଳିଦିଅନ୍ତି ତେବେ ରାଜ୍ୟବାସୀଙ୍କ ଆଗରେ ପୁଣି ପାଣ୍ଡିଆନ୍‌ ନିନ୍ଦିତ ହୋଇଯିବେ । ବରିଷ୍ଠ ନେତାମାନେ ସସ୍ମିତଙ୍କ ଆଳରେ ପାଣ୍ଡିଆନଙ୍କ ଅସଲ ସ୍ୱରୂପ ପଦାକୁ ଆଣିବା ପାଇଁ ଚାହୁଁନାହାନ୍ତି ତ ? ନା ପାଣ୍ଡିଆନଙ୍କୁ ବଞ୍ଚାଇବାକୁ  ସସ୍ମିତଙ୍କୁ ବଳିବୋଦା କରିବାକୁ ଚାହୁଁଛନ୍ତି ? ଧିରେଧିରେ ଏହା ଉପରୁ ପର୍ଦ୍ଦା ହଟିବା ନିଶ୍ଚିତ  ।