ରାଜ୍ୟରେ ବାତ୍ୟା ପାଇଁ ଜାରି ହେଲା ଆଲର୍ଟ

ନୂଆଦିଲ୍ଲୀ: ଫେବୃଆରୀ ମାସ ଆରମ୍ଭରୁ ଟାଇଁ ଟାଇଁ ଖରା। ଖରାଦିନ ଭଳି ସିଝିଲାଣି ପୁରା ରାଜ୍ୟ। କେବଳ ଓଡ଼ିଶା ନୁହେଁ ଅନେକ ରାଜ୍ୟରେ ମଧ୍ୟ ପ୍ରଚଣ୍ଡ ଖରା ଅନୁଭୂତ ହେଲାଣି। ତେବେ ଏହାରି ଭିତରେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଫେବୃଆରୀ ମାସ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ଶୁଖିଲା ରହିବ, କିନ୍ତୁ ଉତ୍ତର-ପୂର୍ବର ଅନେକ ରାଜ୍ୟରେ ପାଣିପାଗ ବିଭାଗ ଘୂର୍ଣ୍ଣିଝଡ଼ ଅର୍ଥାତ ଘୂର୍ଣ୍ଣିବାତ୍ୟାର ସତର୍କତା ଜାରି କରିଛି।
ଆସାମ ଏବଂ ବାଂଲାଦେଶ ଉପରେ ଘୂର୍ଣ୍ଣିଝଡ଼ ସୃଷ୍ଟି ହେଉଥିବା ଦେଖାଯାଉଛି, ଯାହା ଫଳରେ ଏହି ରାଜ୍ୟଗୁଡ଼ିକରେ ବିଜୁଳି ଏବଂ ଘଡ଼ଘଡ଼ି ସହିତ ଝଡ଼ବର୍ଷାର ସମ୍ଭାବନା ରହିଛି। ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଝଡ଼ର ପ୍ରଭାବ ଦେଖିବାକୁ ମିଳୁଛି। ମେଘାଳୟ, ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ଘଡ଼ଘଡ଼ି ଏବଂ ବିଜୁଳି ସହିତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଫେବୃଆରୀ ୬ ଏବଂ ୭ରେ ମଧ୍ୟ ଏଠାରେ ପ୍ରବଳ ପବନ ବହିବାର ସମ୍ଭାବନା ଅଛି। ୮ ତାରିଖରୁ ୧୧ ତାରିଖ ମଧ୍ୟରେ ଏହି ଅଞ୍ଚଳଗୁଡ଼ିକରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ।
ହିମାଚଳ ପ୍ରଦେଶର ଅନେକ ଅଞ୍ଚଳରେ ଝଡ଼ ଏବଂ ବଜ୍ରପାତ ପାଇଁ ୟୋଲୋ ଓ୍ବାର୍ନିଂ ଜାରି କରାଯାଇଛି। ସିମଲା, କୁଲୁ, ଲାହୋର ଭଳି ଅନେକ ପର୍ଯ୍ୟଟନ ସ୍ଥାନରେ ମଧ୍ୟ ପ୍ରବଳ ତୁଷାରପାତ ହୋଇଛି। ଏହା ବ୍ୟତୀତ, ପାଣିପାଗ ବିଭାଗ ଗୁରୁବାର କିଛି ସ୍ଥାନରେ ଘନ କୁହୁଡ଼ି ହେବାର ସତର୍କତା ଜାରି କରିଛି।
ରାଜଧାନୀ ଦିଲ୍ଲୀରେ ପାଗ ଶୁଖିଲା ରହିଥିଲେ ମଧ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ ସଂଲଗ୍ନ ଅନେକ ଅଞ୍ଚଳରେ ବର୍ଷା ହୋଇଛି। ଉତ୍ତର ପ୍ରଦେଶର ଅନେକ ଜିଲାରେ ବର୍ଷା ଯୋଗୁଁ ଥଣ୍ଡା ଏବଂ କୁହୁଡ଼ି ବୃଦ୍ଧି ପାଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିହାରରେ ମଧ୍ୟ ଅନେକ ଜିଲାରେ ବର୍ଷା ଯୋଗୁଁ ଥଣ୍ଡା ବୃଦ୍ଧି ପାଇଛି। ରାଜ୍ୟର ଅନେକ ଅଞ୍ଚଳରେ ଘନ କୁହୁଡ଼ି ସତର୍କତା ମଧ୍ୟ ଜାରି କରିଛି ଆଇଏମଡି।