ମୋଦିଙ୍କ ‘ମନ କୀ ବାତ’ : କୋରାପୁଟ କଫିକୁ ପ୍ରଶଂସା

ମୋଦିଙ୍କ  ‘ମନ କୀ ବାତ’  : କୋରାପୁଟ କଫିକୁ ପ୍ରଶଂସା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ଥିଲା ‘ମନ୍‌ କୀ ବାତ୍‌’ର ୧୨୭ତମ ଏପିସୋଡ । ଏହି କାର୍ଯ୍ୟକ୍ରମରେ ମୋଦି କୋରାପୁଟର କଫିକୁ ପ୍ରଶଂସା କରିଥିଲେ । ଏହାସହ ଛଟ ପୂଜା ନେଇ ଅଭିଭାଷଣ ରଖିଛନ୍ତି । ସେ କହିଛନ୍ତି ଯେ, ସାରା ଦେଶରେ ବର୍ତ୍ତମାନ ପର୍ବପର୍ବାଣୀର ଉଲ୍ଲାସ ଭରିରହିଛି । ମାତ୍ର କିଛିଦିନ ପୂର୍ବରୁ ଆମେ ଦୀପାବଳି ପାଳନ କରିଛୁ ଏବଂ ଏବେ ବହୁ ସଂଖ୍ୟାରେ ଲୋକେ ଛଠ ପୂଜାରେ ବ୍ୟସ୍ତ ରହିଛନ୍ତି । ଘରେ ଘରେ ଠେକୁଆ ନାମକ ମିଷ୍ଟାନ୍ନ ତିଆରି ଚାଲିଛି । ବିଭିନ୍ନ ସ୍ଥାନରେ ଘାଟର ସାଜସଜ୍ଜା ଚାଲିଛି । ବଜାରଗୁଡିକ ବେଶ୍‌ ଚଳଚଞ୍ଚଳ ହୋଇଉଠିଛି । ଚାରିଆଡ ଶ୍ରଦ୍ଧା, ଭାଇଚାରା ଏବଂ ପରମ୍ପରାର ସଙ୍ଗମ ଦେଖିବାକୁ ମିଳୁଛି । ଛଠ ବ୍ରତ ପାଳନ କରୁଥିବା ମହିଳାମାନେ ଯେଉଁ ସମର୍ପଣ ଏବଂ ନିଷ୍ଠା ଭାବ ସହ ଏହି ପର୍ବ ପାଇଁ ପ୍ରସ୍ତୁତି କରନ୍ତି, ତାହା ଅତ୍ୟନ୍ତ ପ୍ରେରଣାଦାୟକ ।

    ଛଠ ମହାପର୍ବ ସଂସ୍କୃତି, ପ୍ରକୃତି ଏବଂ ସମାଜ ମଧ୍ୟରେ ଏକ ନିବିଡ ଏକତାର ପ୍ରତିବିମ୍ବ ଅଟେ । ଛଠ ଘାଟରେ ସମାଜର ପ୍ରତ୍ୟେକ ଶ୍ରେଣୀର ଲୋକେ ଏକାସାଙ୍ଗରେ ଠିଆ ହୁଅନ୍ତି । ଏହି ଦୃଶ୍ୟ ଭାରତର ସାମାଜିକ ଏକତାର ସବୁଠାରୁ ସୁନ୍ଦର ଉଦାହରଣ । ଆପଣ ଦେଶ ବିଦେଶର ଯେକୌଣସି କୋଣଅନୁକୋଣରେ ଥାଆନ୍ତୁ, ଯଦି ସୁଯୋଗ ମିଳେ, ତେବେ ଛଠ ଉତ୍ସବରେ ନିଶ୍ଚୟ ଅଂଶଗ୍ରହଣ କରନ୍ତୁ । ଗୋଟିଏ ଅନନ୍ୟ ଅନୁଭୂତି ସ୍ୱୟଂ ଅନୁଭବ କରନ୍ତୁ । ମୁଁ ଛଠିମାଆଙ୍କୁ ପ୍ରଣାମ କରୁଛି । ସମସ୍ତ ଦେଶବାସୀଙ୍କୁ, ବିଶେଷକରି ବିହାର, ଝାଡଖଣ୍ଡ ଏବଂ ପୂର୍ବାଞ୍ଚଳର ଲୋକମାନଙ୍କୁ ଛଠ ମହାପର୍ବ ଉପଲକ୍ଷେ ଶୁଭେଚ୍ଛା ଜଣାଉଛି । ଚା ସହିତ ମୋର ସମ୍ପର୍କ ବିଷୟରେ ଆପଣମାନେ ଭଲଭାବେ ଅବଗତ । କିନ୍ତୁ ଆଜି ମୁଁ ଭାବିଲି ଯେ, ‘ମନ୍‌ କି ବାତ୍‌’ରେ କଫି ବିଷୟରେ କାହିଁକି ଆଲୋଚନା ନ କରିବା ? ଆପଣମାନଙ୍କର ମନେଥିବ, ଗତବର୍ଷ ଆମେ ‘ମନ୍‌ କି ବାତ୍‌’ରେ ଆରାକୁ କଫି ବିଷୟରେ ଆଲୋଚନା କରିଥିଲୁ । କିଛିଦିନ ପୂର୍ବେ ଓଡିଶାର ଅନେକ ଲୋକ ମୋତେ କୋରାପୁଟ କଫିକୁ ନେଇ ଅବଗତ କରାଇଲେ । ସେମାନେ ମୋତେ ଚିଠି ଲେଖି ‘ମନ୍‌ କି ବାତ୍‌’ରେ କୋରାପୁଟ୍‌ କଫି ବିଷୟରେ ଆଲୋଚନା କରିବାକୁ ଅନୁରୋଧ କଲେ । ମୋତେ ସୂଚନା ଦିଆଯାଇଛି ଯେ, କୋରାପୁଟ କଫିର ସ୍ୱାଦ ଅନନ୍ୟ । କେବଳ ସେତିକି ନୁହେଁ, ସ୍ୱାଦ ତ ସ୍ୱାଦ କଫି ଚାଷ ମଧ୍ୟ ଲୋକଙ୍କୁ ଲାଭବାନ କରୁଛି । କୋରାପୁଟରେ ଏଭଳି କିଛି ଲୋକ ଅଛନ୍ତି, ଯେଉଁମାନେ ନିଜ ସଉକ ପାଇଁ କଫି ଚାଷ କରୁଛନ୍ତି । କର୍ପୋରେଟ ଚାକିରି ଛାଡି ମଧ୍ୟ ଲୋକେ କଫି ଚାଷ କରୁଛନ୍ତି ।

      ଅନେକ ମହିଳା ମଧ୍ୟ ଅଛନ୍ତି ଯେଉଁମାନଙ୍କ ଜୀବନରେ କଫି ଯୋଗୁଁ ସୁଖକର ପରିବର୍ତ୍ତନ ହୋଇଛି । କଫି ଦ୍ୱାରା ସେମାନଙ୍କୁ ସମ୍ମାନ ଏବଂ ସମୃଦ୍ଧି ଉଭୟ ଲାଭ ହୋଇଛି । ଠିକ୍‌ କୁହାଯାଇଛି ଯେ, “କୋରାପୁଟ କଫି ଅତ୍ୟନ୍ତ ସୁସ୍ୱାଦୁ, ଏହା ଓଡିଶାର ଗୌରବ” । ସମଗ୍ର ପୃଥିବୀରେ ଭାରତର କଫି ବହୁତ ଲୋକପ୍ରିୟ ହେଉଛି । କର୍ଣ୍ଣାଟକର ଚିକମଙ୍ଗଲୁରୁ, କୁର୍ଗ ଓ ହାସନ ହେଉ ଅବା ତାମିଲନାଡୁର ପୁଲନୀ, ଶେବରୋୟ, ନୀଳଗିରି ଓ ଆନ୍ନାମଲାଇ ଅଞ୍ଚଳ ହେଉ, କର୍ଣ୍ଣାଟକ-ତାମିଲନାଡୁ ସୀମାର ବିଲିଗିରି ଅଞ୍ଚଳ ହେଉ କିମ୍ବା କେରଳର ୱାୟନାଡ, ତ୍ରାବଣକୋର ଓ ମାଲାବାର ଅଞ୍ଚଳ ହେଉ - ଭାରତୀୟ କଫିର ବିବିଧତା ବେଶ୍‌ ଦର୍ଶନୀୟ । ମୋତେ କୁହାଯାଇଛି ଯେ, ଆମର ଉତ୍ତର-ପୂର୍ବ ମଧ୍ୟ କଫି ଚାଷରେ ଆଗେଇ ଚାଲିଛି । ଏହାଦ୍ୱାରା ଭାରତୀୟ କଫିର ପରିଚୟ ସମଗ୍ର ବିଶ୍ୱରେ ଆହୁରି ଦୃଢ ହେଉଛି  । ଏହା ଭାରତରେ ପ୍ରସ୍ତୁତ ହୁଏ ଏବଂ ବିଶ୍ୱ ଏହାକୁ ଭଲ ପାଏ ।

   ମୋର ପ୍ରିୟ ଦେଶବାସୀଗଣ, ବାସ୍ତବରେ, ଅପରେସନ ସିନ୍ଦୂର ପ୍ରତ୍ୟେକ ଭାରତୀୟକୁ ଗର୍ବରେ ଭରିଦେଇଛି । ଏଥର ସେହି ଅଞ୍ଚଳରେ ମଧ୍ୟ ଖୁସିର ଆଲୋକ ଜଳୁଛି, ଯାହା ଦିନେ ମାଓବାଦୀ ଆତଙ୍କର ଅନ୍ଧକାରରେ ଆଚ୍ଛାଦିତ ହୋଇ ରହୁଥିଲା । ଜିଏସଟି ସଞ୍ଚୟ ଉତ୍ସବକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି । ଏଥର ପାର୍ବଣ ଋତୁରେ ଆଉ ଗୋଟିଏ ସୁଖକର କଥା ଦେଖିବାକୁ ମିଳିଥିଲା । ବଜାରରେ ସ୍ୱଦେଶୀ ଜିନିଷର ବିକ୍ରି ବହୁ ପରିମାଣରେ ବୃଦ୍ଧି ପାଇଛି । ଲୋକେ ମୋ ପାଖକୁ ଯେଉଁସବୁ ବାର୍ତ୍ତା ପଠାଇଛନ୍ତି, ସେଥିରେ ସେମାନେ ଏଥର କି କି ସ୍ୱଦେଶୀ ଜିନିଷ କିଣିଛନ୍ତି, ତାହା ଜଣାଇଛନ୍ତି । ଏହାସହ ମୋଦି ପ୍ଲାଷ୍ଟିକ ବ୍ୟବହାରର କ୍ଷତି, ପରିବେଶ ସୁରକ୍ଷା, ଇକୋ ସିଷ୍ଟମ, ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ, ଦେଶ ଭକ୍ତି, ଆଧ୍ୟାତ୍ମିକତା ଓ ମହାମନିଷଙ୍କ ବିଷୟରେ କହିଥିଲେ ।