ମୋହନଙ୍କ ଅଚାନକ ପରିଦର୍ଶନ
- ରାଜ୍ୟର ହାଇଡ୍ରୋଲୋଜିକାଲ୍ ତଥ୍ୟ ଅନୁଧ୍ୟାନ କଲେ
- ଆହୁରି ସୁଦକ୍ଷ ଓ ସ୍ମାର୍ଟ ହେବ ଜଳସମ୍ପଦ ବିଭାଗ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜୀବଭବନ ସ୍ଥିତ ଜଳ ସମ୍ପଦ ବିଭାଗ ପରିଦର୍ଶନ କରି ବିଭାଗର ସବିସ୍ତୃତ କାର୍ଯ୍ୟାବଳୀ ସମ୍ପର୍କରେ ପଚାରି ବୁଝିଛନ୍ତି । ମୁଖ୍ୟମନ୍ତ୍ରୀ ଜଳ ସମ୍ପଦ ବିଭାଗରେ ପହଞ୍ଚି ପ୍ରଥମେ ଅଷ୍ଟମ ମହଲାସ୍ଥିତ ରାଜ୍ୟ ଜଳ ବିଜ୍ଞାନ ତଥ୍ୟ କେନ୍ଦ୍ର ଯାଇ ସେଠାରେ ରାଜ୍ୟରେ ବିଭିନ୍ନ ଜଳ ଭଣ୍ଡାର ଓ ନଦୀ ଗୁଡିକରେ ଜଳ ସ୍ଥିତି ଅନୁଧ୍ୟାନ କରିବା ସହିତ ଏହାର କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ବୁଝିଥିଲେ । ସୂଚନାଯୋଗ୍ୟଯେ, ରାଜ୍ୟ ଜଳ ବିଜ୍ଞାନ ତଥ୍ୟ କେନ୍ଦ୍ରର ତଥ୍ୟ ଅନୁଯାୟୀ ରିଅଲ ଟାଇମ୍ ଭିତ୍ତିରେ ରାଜ୍ୟରେ ଜଳ ପରିଚାଳନା କରାଯାଇଥାଏ । ଏହା ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉପବିଭାଗ ପରିଦର୍ଶନ କରି ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀମାନଙ୍କ ସହିତ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ପୂରଣ ପାଇଁ ଆହୁରି ପ୍ରତିବଦ୍ଧତାର ସହ କାମ କରିବାକୁ ଆହ୍ୱାନ ଦେଇଥିଲେ ।
ପରିଦର୍ଶନ ପରେ ଗଣମାଧ୍ୟମକୁ ବିବୃତ୍ତି ରଖି, ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୨୯-୩୦ ସୁଦ୍ଧା ରାଜ୍ୟରେ ୧୫ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏଥି ସହିତ କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ଜଳ ପହଞ୍ଚାଇବାକୁ ଆମେ ସୁନିଶ୍ଚିତ କରୁଛୁ । ଏହାକୁ ଦୃଷ୍ଟିରେ ରଖି ବିଭାଗକୁ ଆହୁରି ସୁଦକ୍ଷ ଓ ସ୍ମାର୍ଟ କାର୍ଯ୍ୟାଳୟରେ ପରିଣତ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ଏବଂ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।