ମୋହନଙ୍କୁ ପ୍ରଦୀପଙ୍କ ପତ୍ର : ‘ଫ୍ଲାଏ ଆଶ୍ ଯୋଗାଣ ପାଇଁ ଦାବି’
ଭୁବନେଶ୍ୱର : ଫ୍ଲାଏ ଆଶ୍ ଯୋଗାଣରେ ସମସ୍ୟା ହେଉଥିବାରୁ ଗଞ୍ଜାମରେ ଏନଏଚ-୧୬ ପ୍ରକଳ୍ପ କାର୍ଯ୍ୟ ବିଳମ୍ବିତ ହେଉଛି । ଯାହାଦ୍ୱାରା ଟ୍ରାଫିକ୍ ସମସ୍ୟା ସୃଷ୍ଟିହେବା ସହ ଦୁର୍ଘଟଣା ବି ବଢୁଛି । ତେଣୁ ତୁରନ୍ତ ଫ୍ଲାଏ ଆଶ୍ ଯୋଗାଣ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ । ସାଂସଦ ଶ୍ରୀ ପାଣିଗ୍ରାହୀ ନିଜ ପତ୍ରରେ ଉଲ୍ଳେଖ କରିଛନ୍ତିଯେ, ସେ ଗତ ମେ’ ୨୫ରେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗଞ୍ଜାମ ଜିଲ୍ଲାରେ ଏବେ ୮ ଅଣ୍ଡର ପାସ୍ ଓ ୨ଟି ଫ୍ଲାଏଓଭର ନିର୍ମାଣ ଚାଲିଛି । ତେବେ ତାହା ବହୁ ବିଳମ୍ବିତ ହେଉଛି । ଫ୍ଲାଏ ଆଶ୍ ଆସିପାରୁନଥିବାରୁ ପ୍ରକଳ୍ପ ବିଳମ୍ବିତ ହେଉଥିବା ନେଇ ଏନଏଚଏଆଇ ପକ୍ଷରୁ କୁହାଯାଉଛି । ପ୍ରଚଳିତ ନିୟମ ଅନୁସାରେ ଏନଟିପିସି କଣିହା ଏବଂ ଏନଟିପିସି ସୀମାଦ୍ରି ଠାରୁ ଫ୍ଲାଏ ଆଶ୍ ଆସିପାରୁନାହିଁ । କାହିଁକିନା ଏଥିପାଇଁ ନିର୍ଦ୍ଧାରିତ ସୀମା ହିଁ ବାଧକ ସାଜୁଛି । ଅପରପକ୍ଷରେ କାମ ବିଳମ୍ବିତ ହେଉଥିବାରୁ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ଦୁର୍ଘଟଣାରେ ୧୦ରୁ ୧୫ ଜୀବନ ଚାଲିଯାଇଛି । ପ୍ରଶାସନିକ ସମସ୍ୟା ଯୋଗୁଁ ମୂଲ୍ୟବାନ ଜୀବନ ଯାଉଛି । ଏହି ସ୍ୱତନ୍ତ୍ର ପ୍ରକଳ୍ପ ପାଇଁ ପ୍ରଶାସନିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଆପଣଙ୍କ ନେତୃତ୍ୱରେ ହିଁ ଏହି ସମସ୍ୟାର ସମାଧାନ ହୋଇପାରିବ । ତୁରନ୍ତ ଏନେଇ ନିଦେ୍ର୍ଦଶ ଦେବାକୁ ଶ୍ରୀ ପାଣିଗ୍ରାହୀ ନିବେଦନ କରିଛନ୍ତି ।