ମ୍ୟାଲେରିଆ ଓ ଡେଙ୍ଗୁ ସ୍ଥିତି ସମୀକ୍ଷା କଲେ ମହାଲିଙ୍ଗ୍
ଭୁବନେଶ୍ୱର : ଲୋକସେବା ଭବନରୁ ଆଭାସୀ ମାଧ୍ୟମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, କମିଶନର, ସିଡିଏମଓ ଙ୍କ ସହ ମ୍ୟାଲେରିଆ ଓ ଡେଙ୍ଗୁ ରୋଗର ନିରାକରଣ ବାବଦରେ ସମୀକ୍ଷା କରିଥିଲେ । ସରକାର ଜନସ୍ୱାସ୍ଥ୍ୟ ସମସ୍ୟା, ମ୍ୟାଲେରିଆ ଏବଂ ଡେଙ୍ଗୁ ଓ ଅନ୍ୟାନ୍ୟ ଭେକ୍ଟର ବାହିତ ରୋଗ ଦୂରକରିବାରେ ପ୍ରତିବଦ୍ଧ ଏବଂ ଏଥିପାଇଁ ସମସ୍ତ ଅଧିକାରୀଙ୍କ ମିଳିତ ପ୍ରଚେଷ୍ଟାରେ ଏହାକୁ ଅଧିକ କ୍ରିୟାଶୀଳ କରିବାକୁ ନିଦେ୍ର୍ଦଶ ଦେଇଥିଲେ ।
ମ୍ୟାଲେରିଆ ଓ ଡେଙ୍ଗୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ତରଫରୁ ହେଉଥିବା ଔଷଧ ଯୁକ୍ତ ମଶାରୀ ବଣ୍ଟନ, କୀଟନାଶକ ସ୍ପ୍ରେ ବ୍ୟବସ୍ଥା ବାବଦରେ ପଚାରି ବୁଝିଥିଲେ । ଅଧିକ ରୋଗୀ ଥିବା ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କହିଥିଲେ । ପ୍ରାକ ବର୍ଷା ଋତୁ ପାଇଁ ପ୍ରସ୍ତୁତି ଓ ବର୍ଷା ସମୟରେ ପଦକ୍ଷେପ ଗୁଡିକ ସୂଚାରୁ ରୂପେ ସମ୍ପାଦନ ନିମନ୍ତେ ପ୍ରସ୍ତୁତ ରହିବାକୁ ନିଦେ୍ର୍ଦଶ ଦେଇଥିଲେ । ମ୍ୟାଲେରିଆ ପାଇଁ ସକ୍ରିୟ ରୂପେ ସ୍କ୍ରିନିଙ୍ଗ ବ୍ୟବସ୍ଥାକୁ ଆବାସିକ ସ୍କୁଲ, ମ୍ୟାଲେରିଆ ପ୍ରବଣ ଅଞ୍ଚଳ, ପ୍ରବାସୀ ଶ୍ରମିକଙ୍କୁ ଅନ୍ତର୍ଭୁକ୍ତ କରିବା ସହ ଟେଷ୍ଟ ବଢାଇବାକୁ କହିଥିଲେ । ଆଗାମୀ କିଛି ଦିନ ମଧ୍ୟରେ କେନ୍ଦ୍ର ସରକାର ୧.୫୭ କୋଟି ଔଷଧ ଯୁକ୍ତ ମଶାରୀ ଯୋଗାଇବାକୁ ଯାଉଛନ୍ତି । ଏହାକୁ ଗ୍ରାଉଣ୍ଡ ଲେଭେଲରେ ଅଧିକାରୀ ମାନେ ତଦାରଖ କରି କିପରି ସୁବ୍ୟବହାର ହେବ ସେଥି ପ୍ରତି ଧ୍ୟାନ ଦେବାକୁ କହିଛନ୍ତି । ଜନ ସଚେତନତା ଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀ, ଯୁବ କ୍ଲବ, ଛାତ୍ରଛାତ୍ରୀମାନଙ୍କୁ ପ୍ରୋସôାହିତ କରିବା ପାଇଁ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେବାକୁ କହିଥିଲେ । ଡେଙ୍ଗୁ ରୋଗ ପ୍ଲାଟଲେଟ ମହଜୁଦ ରଖିବାକୁ ସୁନିଶ୍ଚିତ କରିବା ସହ ମ୍ୟାଲେରିଆ ଏବଂ ଡେଙ୍ଗୁ ନିରାକରଣ ଟିମ ଗୁଡିକ ସଠିକ ଭାବେ କାମ କରିବାକୁ ଉପଦେଶ ଦେଇଥିଲେ । ଏହି ବୈଠକରେ ଅନୁଗୁଳ , ଭଦ୍ରକ , ବାଲେଶ୍ୱର , ବୌଦ୍ଧ , କଟକ , ଗଞ୍ଜାମ , ଗଜପତି , ଜଗତସିଂପୁର, ଖୋର୍ଦ୍ଧା , ନୟାଗଡ , ନବରଙ୍ଗପୁର , କଳାହାଣ୍ଡି , କନ୍ଧମାଳ , କୋରାପୁଟ , ମାଲକାନଗିରି, ରାୟଗଡା, ମୟୂରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାର ଅଧିକାରୀମାନେ ଆଭାସୀ ମଧ୍ୟମରେ ଯୋଡି ହୋଇଥିଲେ ।