ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଅପହରଣ

ଜୟପୁରରେ ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ । ଅପହୃତ ହୋଇଥିବା ବ୍ୟବସାୟୀ ଜଣଙ୍କ ହେଲେ ଏ.ରାଜୁ । ଗତକାଲି ରାତି ୯ଟା ବେଳେ ଗେଟଗୁଡା ନିକଟରୁ ତାଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିଥିବା ସୂଚନା ମିଳିଛି । ଏନେଇ ପୋଲିସ ନିକଟରେ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଧାନ ମିଲ୍‌ ସହ ତାଙ୍କର ଅନେକ ବ୍ୟବସାୟ ରହିଛି । ଅପହରଣ ଅଭିଯୋଗ ପରେ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି ।  ଗେଟଗୁଡା ନିକଟରେ ଥିବା ତାଙ୍କ ମିଲ୍‌କୁ ସେ ସଂଧ୍ୟାରେ ନିଜ ସ୍କୁଟିରେ ଯାଉଥିବା ସମୟରେ ଏହି ଘଟଣା ଘଟିଛି । ପୂର୍ବରୁ ଦୁର୍ବୃତ୍ତମାନେ ତାଙ୍କ ୨୦ ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲେ ବୋଲି ସୂଚନା ମିଳିଛି । ତେବେ ପୋଲିସ ଏନେଇ କିଛି ସ୍ପଷ୍ଟ ସୂଚନା ଦେଇନାହିଁ । ୬ମାସ ତଳେ କୁମୁଲିପୁଟର ଜଣେ ବ୍ୟବସାୟୀଙ୍କୁ ମଧ୍ୟ ଏପରି ଅପହରଣ କରିଥିଲେ ଦୁର୍ବୃତ୍ତ। ପରବର୍ତ୍ତୀ ସମୟରେ ତାଙ୍କ ଠାରୁ କିଛି ଟଙ୍କା ନେବା ପରେ ତାଙ୍କୁ ଛାଡ଼ିଥିଲେ।