ଆବେଦନକାରୀଙ୍କୁ କହିଲେ ତଥ୍ୟ ଉପଲବ୍ଧ ନାହିଁ : କାହିଁକି ‘ଡଙ୍କାରୀ’ ତଥ୍ୟ ଲୁଚାଉଛନ୍ତି ଖଣି ଉପ ନିଦେ୍ର୍ଦଶକ 

 ଯାଜପୁର: ‘ଡ଼ଙ୍କାରୀ’ଏକ ଚର୍ଚ୍ଚିିତ ନାଁ । କୋଟି କୋଟି ଟଙ୍କାର କଳାପଥର ଲୁଟ୍ର ମୁକ ସାଖି ହେଉଛି ଡଙ୍କାରୀ । ଧର୍ମଶାଳା ତହସିଲ ଅନ୍ତର୍ଗତରେ ଥିବା ଡ଼ଙ୍କାରୀରୁ କେତେ କଳାପଥର ଲୁଟ୍ ହୋଇଛି କିଏ କିଏ କରିଛନ୍ତି, କେଉଁ ସରକାର ଅମଳରେ କେତେ ଲୁଟ୍ ହୋଇଛି, କେଉଁ ପ୍ରଶାସନୀକ ଅଧିକାରୀଙ୍କ ସମୟରେ ଲୁଟର ସାହାଣ ମେଲିଛି, ତାର ପୁରା ଖବର ଧର୍ମଶାଳାବାସୀଙ୍କ ପାଖରେ ରହିଛି । ଏକଥା ଛାଡ଼ ଡ଼ଙ୍କାରୀରେ ଭୂତଳ ତୈଳ ପ୍ରକଳ୍ପ ସ୍ଥାପନ ଘୋଷଣା ପରେ ୧୦ବର୍ଷ ହେଲା ଡ଼ଙ୍କାରୀ ସମସ୍ତଙ୍କ ଚକ୍ଷୁଶୀଳ ହୋଇରହିଛି । ଡ଼ଙ୍କାରୀରେ କେତେ ସଇରାତ ରହିଛି, କେତେ ଜଣଙ୍କୁ ଲିଜଦିଆଯାଇଛି ସେସବୁ ଖବର କାହାକୁ ଅଛପା ନାହିଁ । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେଉଁ ଖଣି ବିଭାଗ ଖଣିଜ ସଂପଦର ଭଲମନ୍ଦ ବୁଝିବା ଦାୟିତ୍ୱରେ ରହିଛି, ସେହି ବିଭାଗରେ ଡଙ୍କାରୀ ସମ୍ପର୍କରେ ତଥ୍ୟ ଉପଲବ୍ଧ ନାହିଁ । ଏହା କ’ଣସତରେ ସମ୍ଭବ ହୋଇପାରେ? । କିନ୍ତୁ ଯାଜପୁର ଖଣି ଉପନିଦେ୍ର୍ଦଶ କାର୍ଯ୍ୟାଳୟ ଡ଼ଙ୍କାରୀ ତଥ୍ୟ ତାଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ନଥିବା କଥା ଜଣେ ଆବେଦନକାରୀଙ୍କୁ ହାତକାଟି ଲେଖି ଦେଲେ । ଆବେଦନକାରୀ ରାଜ୍ୟ ଖଣି ବିଭାଗକୁ ଡ଼ଙ୍କାରୀ ସଂପର୍କରେ ତଥ୍ୟ ମାଗିବା ପରେ ତଥ୍ୟ ଆବେଦନକାରୀଙ୍କୁ ପ୍ରଦାନ କରିବାକୁ ନିଦେ୍ର୍ଦଶ ଜାରୀ କରାଯାଇଛି । ଅତଏବ ଯାଜପୁର ଖଣି ଉପନିଦେ୍ର୍ଦଶ କାର୍ଯ୍ୟାଳୟ ତଥ୍ୟ ଦେବାକୁ ପ୍ରସ୍ତୁତ ନୁହେଁ ବୋଲି ସ୍ପଷ୍ଟ ହୋଇଛି । କିନ୍ତୁ କାହିଁକି? । ରାଜ୍ୟରେ ସରକାର ପରିବର୍ତନ ପରେ ମଧ୍ୟ ବ୍ୟବସ୍ଥା ପୁରୁଣା ଅଭ୍ୟାସରେ ଗତି କରୁଛି । ପ୍ରାକୃତିକ ସମ୍ପଦ ଯେପରି ଭାବେ ପୂର୍ବରୁ ଲୁଟ୍ ହେଉଥିଲା ତାହା ଏବେବି ସେଇଭଳି ଚାଲୁଥିବାର ଯେଉଁ ଅଭିଯୋଗ ହୋଇ ଆସୁଛି,ତାହାକୁ ଲୁଚାଇବାକୁ ଏଭଳି ଉଦ୍ୟମ କରାଯାଇନି ତ? । 
ଖବର ମତେ ବିଞ୍ଝାରପୁରର ସାମାଜିକ କର୍ମୀ ପାର୍ଥସାରଥୀ ବାରିକ ସୂଚନା ଅଧିକାର ଆଇନ ଅନୁଯାୟୀ ପ୍ରଥମେ ଖଣି ଉପନିର୍ଦେଶକଙ୍କ କାର୍ଯ୍ୟାଳୟକୁ ତଥ୍ୟ ମାଗିଥିଲେ । ଗତ ମେ ମାସ ୧୦ତାରିଖରେ ଏନେଇ ତଥ୍ୟ ପ୍ରଦାନ କରିବାକୁ ସେ ଆବେଦନ କରିଥିଲେ । ଡଙ୍କାରି ପାହାଡ଼ ସମ୍ବନ୍ଧୀୟ ତଥ୍ୟ ଯେପରିକି ଡଙ୍କାରି ପାହାଡ଼ ଖନନ ପାଇଁ କିଏ ଲିଜ ନେଇଛନ୍ତି,ଏଥି ପାଇଁ କେତେ ଟଙ୍କା ପୈଠ କରିଛନ୍ତି,୨୦୨୪-୨୦୨୫ ଆର୍ଥôକ ବର୍ଷରେ କେତେ ଟଙ୍କା ରାଜସ୍ୱ ଡଙ୍କାରି ପାହାଡ଼ରୁ ଆଦାୟ ହୋଇଛି ସେନେଇ ସୂଚନା ମାଗିଥିଲେ ପାର୍ଥସାରଥୀ । କେବଳ ସେତିକି ନୁହଁ ଧର୍ମଶାଳାରେ ଥିବା ବିଭିନ୍ନ ଖଣି ଖଦାନ ପାଇଁ କିଏ କେତେ ଟଙ୍କା ପୈଠ କରି ଲିଜ ନେଇଛନ୍ତି ସେନେଇ ମଧ୍ୟ ତଥ୍ୟ ଚାହିଁଥିଲେ ପାର୍ଥସାରଥୀ । କିନ୍ତୁ ତଥ୍ୟ ଦେବାକୁ ମନ ବଳାଇ ନଥିଲେ ଯାଜପୁର ଜିଲ୍ଲା ଖଣି ଉପ ନିଦେ୍ର୍ଦଶକଙ୍କ କାର୍ଯ୍ୟାଳୟ । କାର୍ଯ୍ୟଳୟରେ ତଥ୍ୟ ଉପଲବ୍ଧ ନଥିବା ଦର୍ଶାଇ ଆବେଦନକୁ ଖାରଜ କରିଦେଇଥିଲେ । କିନ୍ତୁ ପରେ ଏନେଇ ରାଜ୍ୟ ଖଣି ବିଭାଗକୁ ସୂଚନା ଅଧିକାର ଆଇନ ଅନୁଯାୟୀ ତଥ୍ୟ ମାଗିଥିଲେ ପାର୍ଥସାରଥୀ । ବର୍ତମାନ ତଥ୍ୟ ଦେବାକୁ ଯାଜପୁର ଖଣି ଉପନିର୍ଦେଶକଙ୍କୁ ଚିଠି କରିଛନ୍ତି ରାଜ୍ୟ ଖଣି ବିଭାଗ । ୧/୮/୨୦୨୫ ତାରିଖରେ ଚିଠି ସଂଖ୍ୟା ୨୦୦୬ ରେ ଏନେଇ ଚିଠି କରାଯାଇଛି । ଏଠି ପ୍ରଶ୍ନ ଉଠୁଛି ଯେତେ ବେଳ ରାଜ୍ୟ ସରକାରଙ୍କ ଖଣି ବିଭାଗ ଜିଲ୍ଲା ଖଣି ଉପନିର୍ଦେଶକଙ୍କ କାର୍ଯ୍ୟାଳୟରେ ତଥ୍ୟ ଥିବା ଦର୍ଶାଇ ତଥ୍ୟ ପ୍ରଦାନ କରିବାକୁ ଚିଠି କରୁଛନ୍ତି ସେତେବେଳେ, ଜିଲ୍ଲା ଖଣି ଉପନିଦେ୍ର୍ଦଶକଙ୍କ କାର୍ଯ୍ୟାଳୟ କାହିଁକି ତଥ୍ୟନାହିଁ ବୋଲି ଦର୍ଶାଇ ଆବେଦନକୁ ଖାରଜ କଲେ । ଜିଲ୍ଲା ଖଣି ଉପନିର୍ଦେଶକଙ୍କ କାର୍ଯ୍ୟାଳୟର ସ୍ୱଚ୍ଛତା ପ୍ରତି ପ୍ରଶ୍ନ ଉଠୁ ନାହିଁକି? ଡଙ୍କାରି ପାହାଡ଼ ସମେତ ଧର୍ମଶାଳାର ବିଭିନ୍ନ ଖଣି ଖାଦନରେ ଚାଲିଛି କି ବେଆଇନ୍ ଖନ । ସତ୍ୟାସତ୍ୟ କଣ ତାହା ତଥ୍ୟ ଆସିବା ପରେ ଜଣାପଡ଼ିବ । କିନ୍ତୁ ସଦ୍ୟ ଲଘୁ ଖଣିଜ ଦ୍ରବ୍ୟ ବିଭାଗର ନିଦେ୍ର୍ଦଶକ ସମର୍ଥ ବର୍ମା ପତ୍ର ନଂବର-୧୯୭୮ ତା୨୯.୦୭.୨୫ରେ ଡଙ୍କାରୀରୁ ଚାଲିଥିବା ଖନନକୁ ବନ୍ଦ କରିବା ସହ ୧୩ ଗୋଟି ସୈରାତ ବାତିଲ ନିର୍ଦେଶ ଦେଇଛନ୍ତି । ୧୦ବର୍ଷ ତଳୁ ପ୍ରସ୍ତାବିତ ଭୂତଳ ତୈଳ ପ୍ରକଳ୍ପ ପାଇଁ ୪୦୦ଏକର ଜମିର ଆବଶ୍ୟକ ରହିଛି । ଏଣୁ ଡଙ୍କାରୀ ମୌଜା ଖାତା ନମ୍ବର ୨୨୧, ପ୍ଲଟ୍ ନଂ ୬୦୦ର ୪୦୦ ଏକର ଜମିରେ ତୈଳ ସଂରକ୍ଷଣ ପ୍ରକଳ୍ପ ପାଇଁ ପଥର ଖନନ ବନ୍ଦ କରିବା ସହିତ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି । ଯାଜପୁର ଡ଼ିଡ଼ିଏମଙ୍କ ଚିଠି ନଂ ୨୪୧୩, ୨୧/୦୪/୨୫ର ନିର୍ଦେଶକ ଅବଧି ପୂର୍ବରୁ ପ୍ରକଳ୍ପ ଅଂଚଳରେ ଥିବା ୧୩ ଗୋଟି ସୈରାତ ବାତିଲ କରିବାକୁ ଚିଠିରେ ଉଲ୍ଲେଖବି କରିଛନ୍ତି । ଯେତେବେଳେ ସାଧାରଣ ଜନତା ଡ଼ଙ୍କାରୀ ସଇରାତ ବାବଦରେ ଅବଗତ ଅଛନ୍ତି, ସେତେବେଳେ ଯାଜପୁର ଖଣି ଉପନିଦେ୍ର୍ଦଶକ କାର୍ଯ୍ୟାଳୟ ପାଖରେ ତଥ୍ୟ ଉପଲବ୍ଧ ନାହିଁକି କେମିତି ?