ମା'ଲକ୍ଷ୍ମୀଙ୍କର ଅଷ୍ଟ ସ୍ୱରୂପ

ମା'ଲକ୍ଷ୍ମୀଙ୍କର ଅଷ୍ଟ ସ୍ୱରୂପ

 ଡା.ଉମେଶ ଚନ୍ଦ୍ର ପାତ୍ର:  ସୌନ୍ଦର୍ଯ୍ୟ, ଧନ ଓ ଉତ୍ପାଦନର ଦେବୀ ଲକ୍ଷ୍ମୀଙ୍କର ଅନେକ ରୂପ ଅଛି  । ଯେମିତି ମା'ଦୁର୍ଗାଙ୍କର ନ'ଟି ରୂପ, ସେମିତି ମା'ଲକ୍ଷ୍ମୀଙ୍କର ଆଠଟି ରୂପ  । ସେମାନଙ୍କୁ ଅଷ୍ଟଲକ୍ଷ୍ମୀ କୂୁହାଯାଏ  । ପୁରାଣରେ ବର୍ଣ୍ଣନା ଅଛି ମା'ଲକ୍ଷ୍ମୀ ପ୍ରଦାନ କରୁଥିବା ଧନ ୧୬ ପ୍ରକାରର  । ଏହି ଷୋଡ଼ଶ ଧନ ହେଉଛି - ଜ୍ଞାନ, ବୁଦ୍ଧିମତ୍ତା, ଶକ୍ତି, ବୀରତ୍ୱ, ସୌନ୍ଦର୍ଯ୍ୟ, ପରାକ୍ରମ, ଖ୍ୟାତି, ଅଭିଳାଷା, ନୈତିକତା, ସ୍ୱର୍ଣ୍ଣ, ଶସ୍ୟ, ଖୁସି, ପରମାନନ୍ଦ, ସ୍ୱାସ୍ଥ୍ୟ, ଆୟୁଷ ଓ ପରାକ୍ରମୀ ସନ୍ତାନ  । ଲକ୍ଷ୍ମୀଙ୍କର ଅଷ୍ଟସ୍ୱରୂପ ମନୁଷ୍ୟ ନିମନ୍ତେ ଆବଶ୍ୟକ ଏହି ଷୋଡ଼ଶ ଧନର ଆବଶ୍ୟକତା ପୂରଣ କରନ୍ତି  । ମା'ଲକ୍ଷ୍ମୀଙ୍କର ଏହି ଆଠ ରୂପ ହେଉଛି -  ଆଦି ଲକ୍ଷ୍ମୀ ବା ମହାଲକ୍ଷ୍ମୀ, ଧନ ଲକ୍ଷ୍ମୀ ବା ଐଶ୍ୱର୍ଯ୍ୟ ଲକ୍ଷ୍ମୀ, ଧାନ୍ୟ ଲକ୍ଷ୍ମୀ, ରଜ ଲକ୍ଷ୍ମୀ, ସନ୍ତାନ ଲକ୍ଷ୍ମୀ, ବୀରଲକ୍ଷ୍ମୀ ବା ଧୈର୍ଯ୍ୟ ଲକ୍ଷ୍ମୀ, ବିଦ୍ୟା ଲକ୍ଷ୍ମୀ, ବିଜୟଲକ୍ଷ୍ମୀ ବା ଜୟଲକ୍ଷ୍ମୀ  । ଆଦି ଲକ୍ଷ୍ମୀ ଲକ୍ଷ୍ମୀଙ୍କର ପ୍ରଥମ ସ୍ୱରୂପ  । ସେ ମହର୍ଷି ଭୃଗୁଙ୍କ ଝିଅ ଓ ପ୍ରଭୁ ନାରାୟଣଙ୍କ ପତ୍ନୀ  । ଲକ୍ଷ୍ମୀଙ୍କର ଏହି ସ୍ୱରୂପ ନାରାୟଣଙ୍କ ସହ ବୈକୁଣ୍ଠରେ ରୁହନ୍ତି  । ସେ ନାରାୟଣଙ୍କ ତାଙ୍କୁ ଆଦର କରିବା ଦର୍ଶାଏ ଏ ଜଗତ ତାଙ୍କର ସେବାରେ ତତ୍ପର  । ଆଦିଲକ୍ଷ୍ମୀଙ୍କର ଚାରୋଟି ହାତ  । ଗୋଟିଏ ହାତରେ ପଦ୍ମପୁଷ୍ପ ଓ ଅନ୍ୟ ହାତରେ ପତାକା ଧରିଥାନ୍ତି  । ଗୋଟିଏ ହାତ ଅଭୟ ମୁଦ୍ରାରେ ଥିବାବେଳେ ଅନ୍ୟ ହାତ ବରଦ ମୁଦ୍ରାରେ ଥାଏ  । ତାଙ୍କୁ ଆନନ୍ଦ ପ୍ରଦାନକାରିଣୀ ରମା ବୋଲି କୁହାଯାଏ  ।  ଧନ ଅର୍ଥ ସୁନା ବା ଅର୍ଥ ଭାବରେ ବୈଭବ  । ଆଧ୍ୟାତ୍ମିକ ଅର୍ଥରେ ଏହା ବଳ, ଇଛାଶକ୍ତି, ପ୍ରତିଭା, ବୀରତ୍ୱ ଓ ଚରିତ୍ରକୁ ବୁଝାଏ  । ଧନଲକ୍ଷ୍ମୀ ମନୁଷ୍ୟ ଜଗତର ଏହି କ୍ଷେତ୍ରକୁ ପ୍ରତିନିଧିତ୍ୱ କରନ୍ତି  ।  ଲକ୍ଷ୍ମୀଙ୍କର ତୃତୀୟ ସ୍ୱରୂପ ଖାଦ୍ୟଶସ୍ୟର ଦେବୀ ଧାନ୍ୟ ଲକ୍ଷ୍ମୀ  । ଶରୀର ଓ ମନର ପୋଷଣ ଆବଶ୍ୟକତା ପରିପୂର୍ଣ୍ଣ କରନ୍ତି ଏହି ଲକ୍ଷ୍ମୀ  । ସେ ମନୁଷ୍ୟକୁ କୃଷିଜାତ ଧନ ସହ ଶରୀରର ସମସ୍ତ ଆବଶ୍ୟକତା ପୂରଣ ପାଇଁ ପୋଷଣ ପ୍ରଦାନ କରନ୍ତି  ।   ହିନ୍ଦୁ ପୁରାଣ ଅନୁଯାୟୀ କ୍ଷୀର ସମୁଦ୍ର ମନ୍ଥନରୁ ଲକ୍ଷ୍ମୀ ଏହି ସ୍ୱରୂପରେ ଉଦ୍ଭବ ହୋଇଥିଲେ  । ସେ ଜଳର ଈଶ୍ୱର ବରୁଣଙ୍କ ପୁତ୍ରୀ  । ସମୁଦ୍ର ଗର୍ଭରେ ବିଭିନ୍ନ ହୋଇଯାଇଥିବା ଇନ୍ଦ୍ରଙ୍କର ସମ୍ପତ୍ତି ସବୁକୁ ଗଜଲକ୍ଷ୍ମୀ ପୁଣି ତାଙ୍କୁ ଫେରାଇ ଦେଇଥିଲେ  । ଲକ୍ଷ୍ମୀଙ୍କର ଏହି ସ୍ୱରୂପ ଧନ, ସମୃଦ୍ଧି, ସୁଖ ପ୍ରାଚୁର୍ଯ୍ୟ ଓ ରାଜକୀୟତାର ପ୍ରଦାୟିନୀ ତଥା ସୁରକ୍ଷାକାରିଣୀ  ।  ମା' ଲକ୍ଷ୍ମୀଙ୍କର ଏହି ପଞ୍ଚମ ସ୍ୱରୂପ ପାରିବାରିକ ଜୀବନର ଧନ ସନ୍ତାନର ଦେବୀ  । ତାଙ୍କ ଦୟାରେ ଦମ୍ପତି ସ୍ୱାସ୍ଥ୍ୟବାନ, ଦୀର୍ଘାୟୁ ସୁସନ୍ତାନ ପ୍ରାପ୍ତ ହୁଅନ୍ତି  । ଏହି ଲକ୍ଷ୍ମୀ ଷଡ଼ଭୂଜା  । ଦୁଇ ହାତରେ କଳସ ଧାରଣ କରିଥାନ୍ତି  । ଗୋଟିଏ ହାତରେ ଖଡ଼୍ଗ ଓ ଅନ୍ୟଟିରେ ଢ଼ାଲ ଥାଏ  । ଶେଷ ଦୁଇହାତ ଅଭୟ ଓ ବରଦ ମୁଦ୍ରାରେ ଥାନ୍ତି  । ତାଙ୍କ କୋଳରେ ଶିଶୁଟିଏ ଥାଏ  । ଶିଶୁଟି ମଧ୍ୟ ପଦ୍ମଫୁଲ ଧରିଥାଏ  । 
ଲକ୍ଷ୍ମୀଙ୍କର ଏହି ଷଷ୍ଠ ସ୍ୱରୂପ ସାହାସ, ଶକ୍ତି, କ୍ଷମତା ପ୍ରଦାନକାରିଣୀ  । ଯୁଦ୍ଧରେ ବା ଜୀବନ ଯୁଦ୍ଧରେ ଆସୁଥିବା ବିପଦ ଓ ପ୍ରତିବନ୍ଧକକୁ ଅତିକ୍ରମ କରିବା ନିମନ୍ତେ ବଳ ପରାକ୍ରମ ଲାଭ ନିମନ୍ତେ ବୀରଲକ୍ଷ୍ମୀଙ୍କୁ ପୂଜା କରାଯାଏ  । ଜୀବନରେ ସ୍ଥିରତା ପାଇଁ ମଧ୍ୟ ତାଙ୍କୁ ଆରଧନା କରାଯାଏ  । ବୀରଲକ୍ଷ୍ମୀ ଅଷ୍ଟଭୂଜା ବିଶିଷ୍ଟ  । ସେ ଲାଲ ରଙ୍ଗର ବସ୍ତ୍ର ପରିଧାନ କରନ୍ତି  । ତାଙ୍କ ହାତରେ ଚକ୍ର ଶଙ୍କ, ଧନୁତୀର, ତ୍ରୀଶୂଳ ବା ଖଡ଼ଗ, ସ୍ୱର୍ଣ୍ଣଖଣ୍ଡ ବା ପୁସ୍ତକ ଶୋଭାପାଏ  ।  ବିଦ୍ୟାର ଅର୍ଥ ଜ୍ଞାନ ଓ ଶିକ୍ଷା, ଏହା କେବଳ କଲେଜ ଓ ୟୁନିଭର୍ସିଟିର ସାର୍ଟିଫିକେଟ ନୁହେଁ ବରଂ ବାସ୍ତବିକ ଜ୍ଞାନ  । ତେଣୁ ଲକ୍ଷ୍ମୀଙ୍କର ଏହି ସ୍ୱରୂପ କଳା ଓ ବିଜ୍ଞାନର ଜ୍ଞାନ ଦାନ କରନ୍ତି  । ଜ୍ଞାନର ଦେବୀ ସରସ୍ୱତୀଙ୍କ ପରି ବିଦ୍ୟାଲକ୍ଷ୍ମୀ ଶୁଭ୍ରବସନା, ପଦ୍ମାସନା, ଚାରିଭୁଜା ଧାରିଣୀ  । ତାଙ୍କର ଦୁଇଟି ହାତରେ ପଦ୍ମଫୁଲ ଶୋଭାପାଏ  । ଅନ୍ୟ ଦୁଇ ହାତ ଅଭୟ ଓ ବରଦା ମୁଦ୍ରାରେ ଥାଏ  । 
ବିଜୟ ଅର୍ଥ ଜୟ କରିବା  । ତେଣୁ ଏହି ସ୍ୱରୂପା ଲକ୍ଷ୍ମୀ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବିଜୟର ପ୍ରତୀକ  । କେବଳ ଯୁଦ୍ଧ ନୁହେଁ ପ୍ରତ୍ୟେକ ସଂଘର୍ଷ ଓ ଜୀବନ ଯୁଦ୍ଧରେ ବିଜୟରେ ପ୍ରତୀକ ବିଜୟ ଲକ୍ଷ୍ମୀ  । ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ଜୟ କରିବା ପାଇଁ ବିଜୟଲକ୍ଷ୍ମୀଙ୍କ ଆରାଧନା କରାଯାଏ  । ଦେବୀଙ୍କ ଏହି ସ୍ୱରୂପ ଅଷ୍ଟଭୂଜା ଧାରିଣୀ  । 
ପରମ ପୁରୁଷ ଯୁଗାବତାର ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଆଲୋଚନା ପ୍ରସଙ୍ଗରେ କହିଛନ୍ତି - ମହାମାୟା ଦୁର୍ଗା ଦେବୀଙ୍କର ଦକ୍ଷିଣ ପାଶ୍ୱର୍ରେ ଲକ୍ଷ୍ମୀ ଦେବୀଙ୍କ ଅଧିଷ୍ଠାନ । ମା'ଦୁର୍ଗାଙ୍କର ଦୁଇ ଖ୍ୟାତନାମା କନ୍ୟା ଲକ୍ଷ୍ମୀ ଏବଂ ସରସ୍ୱତୀ । କଥାରେ ଅଛି ରୂପେ ଲକ୍ଷ୍ମୀ ଓ ଗୁଣେ ସରସ୍ୱତୀ । ମହାମାୟା ଦୁର୍ଗାଙ୍କର ପୂଜାରେ ତାଙ୍କ ଏହି ଦୁଇକନ୍ୟାଙ୍କର ମଧ୍ୟ ପୂଜା ହୁଏ । ତାହାଛଡ଼ା ପୃଥକ୍ ଭାବେ ବିଶେଷ ତିଥିରେ ଲକ୍ଷ୍ମୀ ଓ ସରସ୍ୱତୀଙ୍କର ପୂଜା ଅନୁଷ୍ଠିତ ହୋଇଥାଏ । ମା'ଲକ୍ଷ୍ମୀ ଧନଧାନ୍ୟ ଓ ସମ୍ପଦର ଅଧିଷ୍ଠାତ୍ରୀ ଦେବୀ । ଓଡ଼ିଶାର ଘରେ ଘରେ ମହା ଆଡ଼ମ୍ବରରେ ତାଙ୍କର ଆରାଧନା ହୁଏ । ପୂଜା ଶେଷରେ ଗୃହିଣୀ ମା'ଲକ୍ଷ୍ମୀଙ୍କ ପାଖରେ ଅଭୁ୍ୟଦୟ, ସମ୍ପଦ ଓ ଶ୍ରୀ ପ୍ରାର୍ଥନା କରନ୍ତି । ମା'ଲକ୍ଷ୍ମୀଙ୍କର କୃପାଲାଭ ନିମିତ୍ତ ପ୍ରତି ଘରେ ଘରେ ମାଆମାନେ ପ୍ରତି ଗୁରୁବାର ଲକ୍ଷ୍ମୀଙ୍କର ବ୍ରତ ପାଳନ କରନ୍ତି । ବ୍ୟକ୍ତିଗତ ବା ପାରିବାରିକ ଜୀବନରେ ସମସ୍ତେ ବିଭବ, ଉନ୍ନତି ଓ ସୌନ୍ଦର୍ଯ୍ୟ କାମନା କରନ୍ତି । ଆଉ ମା'ଲକ୍ଷ୍ମୀ ହେଉଛନ୍ତି ଏ ସବୁର ଅଧିଷ୍ଠାତ୍ରୀ ଦେବୀ ।  ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କୌଣସି ଦେବତାଙ୍କୁ କେବଳ ମନ୍ଦିରର ପ୍ରତିମା ହିସାବରେ ଦେଖନ୍ତି ନାହିଁ । ଦେବ ବା ଦେବୀଙ୍କର ଭାବମୂର୍ତ୍ତିକୁ ଆମ୍ଭମାନଙ୍କ ଭିତରେ ଜୀବନ୍ତ କରି ଉଠାଇବା ପାଇଁ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ସେ କହିଛନ୍ତି - ମହାଲକ୍ଷ୍ମୀଙ୍କୁ ପୂଜା କରିବା ଅର୍ଥ ତାଙ୍କର ଇଛା ବୁଝି ଓ ଜାଣି ସେହି ପ୍ରକାର ଚଳିବା ଯାହାଫଳରେ ମହାଲକ୍ଷ୍ମୀ ପ୍ରୀତ ହୁଅନ୍ତି । ମହାଲକ୍ଷ୍ମୀ ଯେଭଳି ଧନଧାନ୍ୟର ଅଧିଷ୍ଠାତ୍ରୀ ସେହିଭଳି ସୌନ୍ଦର୍ଯ୍ୟର ମଧ୍ୟ ଦେବୀ ।ମହାଲକ୍ଷ୍ମୀଙ୍କର ବୀଜମନ୍ତ୍ରୀ ହେଉଛି - ଶ୍ରୀଂ ଅର୍ଥାତ୍ ମହାଲକ୍ଷ୍ମୀ ଶ୍ରୀ-ସ୍ୱରୂପିଣୀ । ଯେଉଁ ଗୃହରେ ଅନାଚାର, କଦାଚାର ଓ ବ୍ୟଭିଚାର ଘଟେ ସେଠାରେ ମହାଲକ୍ଷ୍ମୀ ଅନ୍ତର୍ହିତ ହୁଅନ୍ତି । ହୀନସ୍ୱାର୍ଥପରତା, ଅର୍ଥଲୋଭ, କଳହ, ଖିଟିମିଟିଆ ସ୍ୱଭାବ, ଅସହିଷ୍ଣୁତା, ହିଂସା, ସ୍ୱେଚ୍ଛାଚାରୀ ଚଳନ, ଗୁରୁଜନ ମାନଙ୍କୁ ଅଶ୍ରଦ୍ଧା, ଅହଂମତ୍ତତା, ଅନ୍ୟକୁ ଦବାଇବାର ବୁଦ୍ଧି, ଅଭିମାନ ଓ ଆଧିପତ୍ୟ ଯେଉଁଠାରେ ଦେଖାଯାଏ ସେଠାରେ ମହାଲକ୍ଷ୍ମୀ ହଜି ଯାଆନ୍ତି । ମନୁଷ୍ୟ ନିଜର ଟଙ୍କା ପର, ଯେତେ ପାରିବ ମନୁଷ୍ୟ ଧର । ପୁଣି ଦୟାଲ ଠାକୁର କହିଛନ୍ତି ମା'ମାନଙ୍କର ଲକ୍ଷ୍ମୀ ପୂଜା କରିବା ଅର୍ଥ ବ୍ୟକ୍ତିଗତ ଭାବେ ସେମାନେ ଜଣେ ଜଣେ ଲକ୍ଷ୍ମୀ ହୋଇ ଉଠିବେ । ଲକ୍ଷ୍ମୀ ଆସିଛି "ଲକ୍ଷ' ଧାତୁ ଠାରୁ - ଅର୍ଥ ଅଙ୍କନ, ଚିହ୍ନିତକରଣ, ଜ୍ଞାନ, ଦର୍ଶନ ଓ ଆଲୋଚନା । ଏହାର ଅର୍ଥ - ଯିଏ ଦେଖନ୍ତି, ଆଲୋଚନା କରନ୍ତି, ଗୁଣାଗୁଣ ବିଚାର କରନ୍ତି, ଯେଉଁଠାରେ ଯେଭଳି ଭାବେ ପ୍ରୟୋଜନ ତାହାକୁ ଚିହ୍ନିତ କରନ୍ତି - ଏହା ହିଁ ଲକ୍ଷ୍ମୀ ସ୍ୱଭାବ । ନାରାୟଣଙ୍କ ସହିତ ମହାଲକ୍ଷ୍ମୀ ଅବିଚ୍ଛେଦ୍ୟଭାବେ ବୈକୁଣ୍ଠରେ ଅବସ୍ଥାନ କରନ୍ତି । ତେଣୁ ଲକ୍ଷ୍ମୀ ପୂଜା ସମୟରେ ନାରାୟଣଙ୍କର ପୂଜା ଅବଶ୍ୟ କର୍ତ୍ତବ୍ୟ । ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଜଗତବାସୀଙ୍କ ପାଖରେ ମହାଲକ୍ଷ୍ମୀଙ୍କର ଏହି ଚରିତ୍ର ଓ ଆଦର୍ଶକୁ ତୋଳି ଧରିଛନ୍ତି । ଅର୍ଥ ଉପାର୍ଜ୍ଜନ ଯେଉଁମାନେ କରିବାକୁ ଚାହାଁନ୍ତି ସେମାନଙ୍କୁ ନାରାୟଣଙ୍କୁ ସେବା କରିବାକୁ ହେବ । ନାରାୟଣ ସେବା ଅର୍ଥ ମନୁଷ୍ୟ ମାନଙ୍କ ସହିତ ପ୍ରୀତିପୂର୍ଣ୍ଣ ବ୍ୟବହାର ଓ ସତ୍ମୁଖୀ ଚଳନ । ବିଶ୍ୱସତ୍ତାର ଦୁଇଟି ସମ ବିପରୀତ ସତ୍ତା - ଲକ୍ଷ୍ମୀ ଓ ନାରାୟଣ । ନାରାୟଣ ହେଉଛନ୍ତି ପଜିଟିଭ୍ ଓ ଲକ୍ଷ୍ମୀ ହେଉଛନ୍ତି ନେଗେଟିଭ୍ । ତେଣୁ କଥିତ ଅଛି ଅନନ୍ତ ଶଯ୍ୟାରେ ଶାୟିତ ନାରାୟଣ ଓ ଲକ୍ଷ୍ମୀ ତାଙ୍କ ପଦ ସେବାରେ ରତ । ପଦ ଅର୍ଥ ଚରଣ ବା ଚଳନ । ନାରାୟଣଙ୍କ ନାଭି ପଦ୍ମରୁ ଜାତ ବ୍ରହ୍ମା, ସେ ସୃଷ୍ଟିକର୍ତ୍ତା । ବ୍ରହ୍ମା ଅର୍ଥ ଯାହାଙ୍କର ବୃଦ୍ଧି ଓ ଦିପ୍ତୀ ଅପରିମିତ । ସୃଷ୍ଟିର ପ୍ରଥମ ପ୍ରକାଶ ବ୍ରହ୍ମାଙ୍କ ଭିତରେ । ସମୁଦ୍ର ମନ୍ଥନରୁ ଲକ୍ଷ୍ମୀ ଲାଭ ହୁଏ, ଆଉ ଏହି ସଂସାର ସମୁଦ୍ର ମନ୍ଥନରେ ଅନବଦ୍ୟ ଚେଷ୍ଟା ଓ ନିରଳସ ପରିଶ୍ରମରେ ସୌଭାଗ୍ୟ ଲକ୍ଷ୍ମୀ ବାନ୍ଧି ରୁହନ୍ତି । ମହାଲକ୍ଷ୍ମୀଙ୍କ ବାହନ ହେଉଛି ପେଚା । ଯାହାକି , ନିଶାଚର, ମାଂସାଶୀ ଓ ହିଂସ୍ର । ଏହି ପେଚକ ଚରିତ୍ରର ମନୁଷ୍ୟଙ୍କୁ ମହାଲକ୍ଷ୍ମୀ ତାଙ୍କର ବାହନ କରିଛନ୍ତି ଅର୍ଥ ନିଜ ପାଖରେ ରଖି ତାଙ୍କର ସ୍ୱଭାବ ସଂଶୋଧନ ନିମିତ୍ତ ଚେଷ୍ଟା କରନ୍ତି । ଏହି ତାତ୍ପର୍ଯ୍ୟ ଓ ଲକ୍ଷ୍ମୀପୂଜା ଉଦେ୍ଦଶ୍ୟ ସମ୍ବନ୍ଧରେ ମନୁଷ୍ୟ ଜାତିକୁ ସଚେତନ କରି ସେ କହିଛନ୍ତି - ଟଙ୍କାର ଯତ୍ନ କର ବା ନ କର, ମନୁଷ୍ୟର ଯତ୍ନ କର, ଲକ୍ଷ୍ମୀ କେଶବ ରହିବେ ବନ୍ଧା, ବିଭବରେ ତୁମେ ରହିବ ଅଟଳ ।
ମୋ : ୯୪୩୭୦୫୧୯୫୭