ମୟୂରଭଞ୍ଜରେ ହେବ ୧୦ ଶିଳ୍ପ : ମୋହନ
ଭୁବନେଶ୍ୱର/ବାରିପଦା: ମୟୂରଭଞ୍ଜରେ ୧୦ ଶିଳ୍ପ ପ୍ରତିଷ୍ଠା ହେବ । ଏଥିପାଇଁ ୭ ହଜାର କୋଟି ଟଙ୍କା ନିବେଶ କରାଯିବ । ପିଏମ୍ ବିଶ୍ୱକର୍ମା ଯୋଜନାରେ ରାଜ୍ୟର ୧ ଲକ୍ଷରୁ ଉଦ୍ଧ୍ୱର୍ ହିତାଧିକାରୀ ପଞ୍ଜୀକୃତ ହୋଇଛି । ବାରିପଦା ଠାରେ ଆୟୋଜିତ ପିଏମ୍ ବିଶ୍ୱକର୍ମା ଏବଂ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଓ ଜାତି ହବ୍ କନ୍କ୍ଳେଭରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।
ପିଏମ୍ ବିଶ୍ୱକର୍ମା ଯୋଜନା କେବଳ ଏକ ଅର୍ଥନୈତିକ ସାହାଯ୍ୟ ନୁହେଁ । ଏହା ହେଉଛି ଆମର ମହତ ଭାବନା ଏବଂ ଏକ ଦୃଢ ସଂକଳ୍ପର ପରିଣାମ । ଗରିବ ଶିଳ୍ପୀ ଓ କାରିଗରଙ୍କୁ ମଧ୍ୟ ଏହା ମାଧ୍ୟମରେ ଆମେ ବିକାଶର ମୁଖ୍ୟ ଧାରାରେ ସାମିଲ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପିଏମ୍ ବିଶ୍ୱକର୍ମା ଯୋଜନାରେ ବଢେଇ, ଡଙ୍ଗା ନିର୍ମାତା, କମାର, ବଣିଆ, କୁମ୍ଭକାର, ମୂର୍ତ୍ତିକାର, ପଥର ଖୋଦେଇକାରୀ, ଜୋତା କାରିଗର, ରାଜମିସ୍ତ୍ରୀ, ନଡିଆ କତା ଶିଳ୍ପୀ, ଝୁଡି/ ଗାଲିଚା କାରିଗର, କଣ୍ଢେଇ ଓ ଖେଳଣା ନିର୍ମାତା, ନାପିତ, ରଜକ, ଫୁଲମାଳା ନିର୍ମାତା, ଦର୍ଜୀ, ମାଛ ଜାଲ ବୁଣାଳୀ ଆଦି ୧୮ ପ୍ରକାର ବୃତ୍ତିକୁ ସାମିଲ କରାଯାଇଛି । ଏହି ପାରମ୍ପାରିକ କାରିଗର ଓ ଶିଳ୍ପୀମାନଙ୍କୁ ବିଶ୍ୱକର୍ମା ଭାବରେ ପରିଚିତ କରି ଯୋଜନା ଅନ୍ତର୍ଭୁକ୍ତ ସୁବିଧା ହାସଲ କରିବା ନିମନ୍ତେ ସେମାନଙ୍କୁ ସମର୍ଥ କରାଇବା ଏହି ଯୋଜନାର ମୂଳ ଲକ୍ଷ୍ୟ ।
ଏହି ଯୋଜନାରେ ବର୍ତ୍ତମାନ ରାଜ୍ୟରେ ୧,୦୫,୩୬୧ ଜଣ ହିତାଧିକାରୀ ପଞ୍ଜୀକରଣ କରିଛନ୍ତି । ୭୭,୧୦୩ ଜଣ ହିତାଧିକାରୀ ମୌଳିକ ପ୍ରଶିକ୍ଷଣ ନେଇ ସାରିଛନ୍ତି । ୧୦,୫୨୩ ଜଣ ହିତାଧିକାରୀଙ୍କୁ ୠଣ ମଞ୍ଜୁର କରାଯାଇ ୮,୮୬୭ ଜଣ ହିତାଧିକାରୀଙ୍କୁ ୠଣ ପ୍ରଦାନ କରାଯାଇଛି । ଗତ ଆର୍ଥିକ ବର୍ଷରେ ଖଦି ଓ ଗ୍ରାମ ଉଦ୍ୟୋଗର ବ୍ୟବସାୟ ଦେଢ଼ ଲକ୍ଷ କୋଟିରେ ପହଞ୍ଚିଛି । ୧୦ ବର୍ଷ ମଧ୍ୟରେ ଏହାର ବିକ୍ରି ୪ ଶହ ପ୍ରତିଶତ ବୃଦ୍ଧି ପାଇଛି ଏବଂ ଏ କ୍ଷେତ୍ରରେ ନିଯୁକ୍ତି ୮୧% ବୃଦ୍ଧି ଘଟିଛି । ଭୁବନେଶ୍ୱର ଗଣ୍ଡମୁଣ୍ଡା ଠାରେ ଏହିଭଳି କୌଳିକ ବୃତ୍ତି ମାଧ୍ୟମରେ ପ୍ରସ୍ତୁତ ଉତ୍ପାଦକୁ ବଜାର ପ୍ରଦାନ ପାଇଁ ଗୋଟିଏ ୟୁନିଟି ମଲ୍ ସ୍ଥାପନା କରାଯିବ । ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଗୋଟିଏ ଷ୍ଟଲ ଖୋଲାଯିବ । ଭାରତ ସରକାର ଏଥିପାଇଁ ଆର୍ଥିକ ବ୍ୟବସ୍ଥା କରିଛନ୍ତି । ଗତ ସରକାର ଅନେକ ଯୋଜନାର ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ପୂରଣ କଲେ ନାହିଁ । ଆମ ସରକାର ଆସିବା ପରେ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାକୁ ପାଳନ କଲୁ । ଚାଷୀ, ମହିଳା, ଶ୍ରମିକ, ଯୁବବର୍ଗ ସମସ୍ତଙ୍କ ପାଇଁ ଆମେ କାମ କରୁଛୁ ବୋଲି ସେ କହିଛନ୍ତି ।
ମୟୂରଭଞ୍ଜର ବିକାଶ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେଯେ, ମୟୂରଭଞ୍ଜ ଜିଲ୍ଲାରେ ୭ ହଜାର କୋଟି ଟଙ୍କା ବିନିଯୋଗରେ ଇସ୍ପାତ, ଗ୍ରୀନ ହାଇଡ୍ରୋଜେନ, ଅଟୋପାର୍ଟସ୍ ଭଳି ୧୦ ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ହେବ । ଏହା ମାଧ୍ୟମରେ ୫,୧୨୫ ଜଣ ନିଯୁକ୍ତି ପାଇବେ । ଏଥିସହିତ ଗୋଟେ ଏମ୍ଏସ୍ଏମ୍ଇ ପାର୍କ ମଧ୍ୟ ଜିଲ୍ଲାରେ ପ୍ରତିଷ୍ଠା କରାଯିବ ।