ହୋମଗାର୍ଡ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା : ଘାସ ଗାଲିଚା ପାଲଟିଲା ପରୀକ୍ଷା କେନ୍ଦ୍ର

ହୋମଗାର୍ଡ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା : ଘାସ ଗାଲିଚା ପାଲଟିଲା ପରୀକ୍ଷା କେନ୍ଦ୍ର
  • ୨୮୦ ପଦବୀ ପାଇଁ ୨୦ ହଜାର ପରୀକ୍ଷାର୍ଥୀ

  • ତଳେ ବସି ପରୀକ୍ଷା ଦେଲେ ଆଶାୟୀ


ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷାରେ ଦେଖିବାକୁ ମିଳିଛି ଆଶାତୀତ ଉତ୍ସାହ । ୨୭ ତାରିଖ ସନ୍ଧ୍ୟାରୁ ବାରିପଦା ଓ ରାଇରଙ୍ଗପୁରରେ ଦେଖିବାକୁ ମିଳିଥିଲା ଆଶାୟୀଙ୍କ ଭିଡ। ଆଜି ଶାନ୍ତିଶୃଙ୍ଖଳା ସହ ରାଇରଙ୍ଗପୁର ଷ୍ଟାଡିୟମ ଓ ବାରିପଦା ପୁଲିସ ପଡିଆରେ ପରୀକ୍ଷା ଅନୁଷ୍ଠିତ ହୋଇଛି । ଉଭୟ କେନ୍ଦ୍ରରେ ୨୦ହଜାର ୧୨୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ।


  ଜିଲ୍ଲାର ଗୃହରକ୍ଷୀ କମାଣ୍ଡାଣ୍ଟ୍‌ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ମୋଟ ୨୮୦ଟି ପୋଷ୍ଟ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା କ୍ରମରେ ଆଜି ହୋଇଥିବା ପରୀକ୍ଷାରେ ରାଇରଙ୍ଗପୁରରେ ୭୪୦୦ ଓ ବାରିପଦାରେ ୧୨ହଜାର ୭୨୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ମୋଟ ୨୪ ହଜାର ୯୫୭ ଆବଦେନକାରୀଙ୍କ ମଧ୍ୟରୁ ୨୨ ହଜାର ୪୮୧ରୁ ଅଧିକ ପ୍ରାର୍ଥୀ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାବେଳେ ୨୩୬୧ ଜଣ ଅନୁପସ୍ଥିତ ରହିଛନ୍ତି । କହିବାକୁ ଗଲେ ଗୋଟିଏ ପଦବୀ ପାଇଁ ୮୦ଜଣରୁ ଅଧିକ ପ୍ରତିଯୋଗୀ ଲିଖିତ ପରୀକ୍ଷା ଦେଉଥିବାବେଳେ ଦୈନିକ ୬୧୨ ଟଙ୍କାରୁ ଅଧିକ ବେତନ ପାଇବେ। ଏହି ପରୀକ୍ଷା ସକାଳ ୧୦ଟାରୁ ୧୦ଟା ୪୦ ଯାଏ ଓଏମଆର ଓ ୧୧ଟା୨୫ରୁ ୧୧ଟା ୫୫ ଯାଏ ପ୍ରବନ୍ଧ ଲିଖନ ରହିଥିଲା ।


  ପ୍ରାର୍ଥୀମାନଙ୍କୁ ସକାଳ ୭ଟାରେ ରିପୋର୍ଟ କରିବାକୁ କୁହାଯାଇଥିବାବେଳେ ସକାଳ ୬ଟାରୁ ଉଭୟ କେନ୍ଦ୍ରରେ ଦେଖିବାକୁ ମିଳିଥିଲା ଲମ୍ବା ଲାଇନ । ଏଥିପାଇଁ ଉଭୟ ସହରରେ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ୬ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହୋଇଥିଲେ । ଏହାସହ ମୁଖ୍ୟାଳୟରୁ ୧୦ରୁ ଅଧିକ ଇନସପେକ୍ଟର, ୧୨ରୁ ଅଧିକ ଏସଆଇ, ୨୦ରୁ ଅଧିକ ଏଏସଆଇ, ତିନିଜଣ ଏଏସପି ଓ ଏସପି ନିଜେ ଉପସ୍ଥିତ ରହି ପରୀକ୍ଷା ପରିଚାଳନା କରିଥିଲେ । ଏହି ଲିଖିତ ପରୀକ୍ଷା ପରେ ଶାରୀରିକ ମାନକ ପରୀକ୍ଷା, ପ୍ରାଥମିକ ମେଡିକାଲ୍‌, ଟ୍ରେଡ୍‌ ସ୍କିଲ୍‌ ଟେଷ୍ଟ୍‌ ଓ ପର୍ସନାଲ୍‌ ଇଣ୍ଟରଭ୍ୟୁ ହେବ । ଲିଖିତ ପରୀକ୍ଷାରେ ଓଡ଼ିଆ ରଚନା (୨୦ ମାର୍କ୍‌) ଓ ଜେନେରାଲ୍‌ ନଲେଜ୍‌ (୪୦ ମାର୍କ୍‌) ରହିଛି । ଫଳାଫଳ ଡିସେମ୍ବର ଶେଷ ଅବା ଜାନୁଆରୀ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି । ଏନେଇ ଏସପି ବରୁଣ ଗୁଣ୍ଟୁପାଲି କହିଛନ୍ତି, ସବୁ ନିୟମକୁ ଅନୁପାଳନ କରି ଏହି ପରୀକ୍ଷା କରାଯାଇଛି । ଜିଲ୍ଲାରେ ୨୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଆସନ୍ତା କିଛି ଦିନ ମଧ୍ୟରେ ଫଳ ପ୍ରକାଶନ ସହ ଅନ୍ୟ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।