ଯଶଓ୍ୱନ୍ତ ବର୍ମାଙ୍କ ବିରୋଧରେ ଆକ୍ସନ: ୩ ଜଣିଆ କମିଟି ଗଠନ କଲେ ବାଚସ୍ପତି

ଜଷ୍ଟିସ୍ ଯଶଓ୍ୱନ୍ତ ବର୍ମାଙ୍କ ବିରୋଧରେ ବଡ଼ ଆକ୍ସନ । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଗମ୍ଭୀର ବୋଲି ଗ୍ରହଣ କରି ଏହି ମାମଲାର ଯାଞ୍ଚ ପାଇଁ ୩ ଜଣିଆ କମିଟି ଗଠନ କରିଛନ୍ତି । ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ, ଭାରତର ତତ୍କାଳୀନ ମୁଖ୍ୟ ବିଚାରପତିଙ୍କ ନିଜ ରାୟରେ ଏହି ଘଟଣାର ଜରୁରୀ ଯାଞ୍ଚ କରିବା ପାଇଁ କହିଛନ୍ତି । ଏହାସହ ଅଭିଯୋଗକୁ ଦେଖି ଆବଶ୍ୟକୀୟ ପଦକ୍ଷେପ ନେବାକୁ ମଧ୍ୟ ଜଣାଇଛନ୍ତି । ତେଣୁ ଏହାକୁ ଦେଖି ସେ ଏକ ୩ ଜଣିଆ କମିଟି ଗଠନ କରିଛନ୍ତି ।ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗଠନ କରିଥିବା ଏହି କମିଟିରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର, ମାଡ୍ରାସ୍ ହାଇକୋର୍ଟର ବିଚାରପତି ମନିନ୍ଦର ମୋହନ ଶ୍ରୀବାସ୍ତବ ଏବଂ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ପୂର୍ବ ମୁଖ୍ୟ ବିଚାରପତି ବି.ବି. ଆଚାର୍ଯ୍ୟ ରହିଛନ୍ତି ।
ଦିଲ୍ଲୀ ହାଇକୋର୍ଟର ପୂର୍ବ ବିଚାରପତି ଜଷ୍ଟିସ୍ ଯଶଓ୍ୱନ୍ତ ବର୍ମାଙ୍କ ସରକାରୀ ଆବାସରେ ଚଳିତ ବର୍ଷ ନିଆଁ ଲାଗିଯାଇଥିଲା । ଏହାପରେ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ଏହି ସମୟରେ କିନ୍ତୁ ସେଠାରେ ବହୁ ପରିମାଣରେ ଅଧା ଜଳା ନୋଟ ମିଳିଥିଲା । ଯାହାକି ସେ ସମୟରେ ବିବାଦ ସୃଷ୍ଟି କରିଥିଲା । ଏହାପରେ ଜଷ୍ଟିସ୍ ବର୍ମାଙ୍କୁ ଆଲ୍ଲାବାଦ ହାଇକୋର୍ଟକୁ ଟ୍ରାନ୍ସଫର କରିଦିଆଯାଇଥିଲା । ଆଉ ଏବେ ଏହି ଘଟଣାରେ କମିଟି ଗଠନ କରିଛନ୍ତି ଲୋକସଭା ବାଚସ୍ପତି ।