ଯାଜପୁର ମେଡିକାଲ କଲେଜ: ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର
ଯାଜପୁର ଟାଉନ: ଯାଜପୁର ମହାରାଜା ଯଯାତି ମେଡିକାଲ କଲେଜର ଜନୈକ ଡ଼ାକ୍ତର ରୋଗୀଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି । ସିଂହପୁର ଅରଗଳ ଶାସନରୁ ଉଷାରାଣୀ ପୁହାଣ ଓ ତାଙ୍କ ଯାଆ ସୁଜାତା, ଦିଅର ସୁମନ୍ତ ବାପା କୃଷ୍ଣ ଚନ୍ଦ୍ର ପୁହାଣ(୮୨)ଙ୍କୁ ରକ୍ତଜନିତ ସମସ୍ୟା କାରଣରୁ ଚିକିତ୍ସା ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଶୁକ୍ରବାର ଦିନ ମହାରାଜା ଯଯାତି କେଶରୀ ମେଡ଼ିକାଲ କଲେଜର ଡା. ବେଦବ୍ୟାସ ଦାଶ ରୋଗୀ କୃଷ୍ଣଚନ୍ଦ୍ରଙ୍କୁ ଚିକିତ୍ସା ସମୟରେ ରୋଗୀଙ୍କ ସମ୍ପର୍କୀୟ ଓ ଡାକ୍ତରଙ୍କ ମଧ୍ୟରେ ବଚସା ହୋଇଥିଲା । ଡାକ୍ତର ଉତ୍କ୍ଷିପ୍ତ ହୋଇ ଉଷାରାଣୀଙ୍କ ଠାରୁ ମୋବାଇଲ ଛଡ଼ାଇ ନେବା ସହ ଦୁର୍ବ୍ୟବହାର କରିଥିଲେ ବୋଲି ସଂପୃକ୍ତ ମହିଳା ଅଭିଯୋଗ କରିଛନ୍ତି । ଏନେଇ ସଂପୃକ୍ତ ମହିଳା ଯାଜପୁର ମୁଖ୍ୟ ଚିକିତ୍ସାଳୟର ଅତିରିକ୍ତ ଚିକିତ୍ସାଧିକାରୀ ଡା. ଅନୁପ କୁମାର ନାଥଶର୍ମାଙ୍କୁ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିବା ସହ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ଚିକିତ୍ସାଧିକାରୀ ଡା. ଅନୁପ କୁମାର ନାଥଶର୍ମାଙ୍କୁ ପଚାରିବାରେ ସଂପୃକ୍ତ ମହିଳାଙ୍କ ଠାରୁ ଅଭିଯୋଗ ପାଇଥିବା କାର୍ଯ୍ୟାନୁଷ୍ଠାନ ନିମନ୍ତେ ଯାଜପୁର ଥାନାକୁ ପଠାଇବୁ ବୋଲି ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଏହି ଘଟଣାକୁ ନେଇ ଚିକିତ୍ସା କରୁଥିବା ଡା. ବେଦବ୍ୟାସ ଦାଶଙ୍କୁ ପଚାରିବାରେ ଦୁର୍ବ୍ୟବହାରକୁ ଅସ୍ୱୀକାର କରିବା ସହ ରୋଗୀଙ୍କୁ ଚିକିତ୍ସା କରିବା ସମୟରେ ସମ୍ପର୍କୀୟ ବାଧା ସୃଷ୍ଟି କରିବା ସହ ପାଟିତୁଣ୍ଡ କରିଥିଲେ । ଏପରିକି ପଦାରେ ଯାଇ ଗାଳିଗୁଲଜ କରିଥିଲେ ବୋଲି ପାଲଟା ଅଭିଯୋଗ କରିଥିଲେ । ଏସଂପର୍କରେ ମହାରାଜା ଯଯାତି ମେଡିକାଲ କଲେଜର ସୁପରିନ୍ଟେଣ୍ଡେଂଟଙ୍କ ସହ ଯୋଗାଯୋଗ କରାଯିବା ପାଇଁ ଚେଷ୍ଟା କରାଯାଇଥିବା ବେଳେ ତାହା ସମ୍ଭବ ହୋଇପାରିନାହିଁ ।