ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ : ୪୨୩୮୧ ହିତାଧିକାରୀ ପାଇବେ ନୂତନ ରାସନ କାର୍ଡ
ଯାଜପୁର ଜିଲ୍ଲାରେ ୪୨୩୮୧ ଜଣ ହିତାଧିକାରୀ ନୂତନ ରାସନ କାର୍ଡ ପାଇବେ । ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ୫୫ ଜଣ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରାଯାଇଥିଲା । ଜାତୀୟ ପଞ୍ଚାୟତିରାଜ ଦିବସରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଥମ ସ୍ଥାନ ଅଧିକାର କରିଥିବା ଯାଜପୁର ଜିଲାର ଦାନଗଦୀ ବ୍ଲକର ତ୍ରିଜଙ୍ଗା ପଞ୍ଚାୟତ, କୋରେଇ ବ୍ଲକର ପଚ୍ଛିକୋଟ, ଧର୍ମଶାଳା ବ୍ଲକର ରାଇଛନ୍ଦା, ରସୁଲପୁର ବ୍ଲକର ସମନ୍ତରାପୁର, ପହଙ୍ଗା ପଞ୍ଚାୟତ ଓ ମୁଗୁପାଳ ପଞ୍ଚାୟତକୁ ୭ ଲକ୍ଷ ୭୨ହଜାର ୯୪୬ଟଙ୍କା ଅର୍ଥ ରାଶି, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ରସୁଲପୁର ବ୍ଲକର ନରସିଂହପୁରକୁ ୫ ଲକ୍ଷ ୭୯ ହଜାର ୭୧୦ ଟଙ୍କା ଅର୍ଥରାଶି, ତୃତୀୟ ସ୍ଥାନ ଅଧିକାର କରିଥିବା ରସୁଲପୁର ବ୍ଲକର ବଡକଇଁଚି ପଞ୍ଚାୟତ, ବନ୍ଧଡ଼ିହ, ଟିକରପଡ଼ା, ବଡ଼ଚଣା ବ୍ଲକର ବାରିପଦା ପଞ୍ଚାୟତ, ସୁକିନ୍ଦା ବ୍ଲକରର ପିମ୍ପୁଡ଼ିଆ ପଞ୍ଚାୟତ ଓ ରାଅାଁସୋଳ ପଞ୍ଚାୟତଙ୍କୁ ୩ ଲକ୍ଷ ୮୬ ହଜାର ୪୭୩ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା । ଦିବସରେ ଅତିଥି ଭାବେ ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ କହିଥିଲେ କି ଜାତୀୟ ପଞ୍ଚାୟତିରାଜ ଦିବସରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ପ୍ରଣୟନ କରାଯାଇଛି । ଯାହା ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ, ଯାଜପୁର ବ୍ଲକ ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ପରିଡା, ଏପିଡ଼ି ଲମ୍ବୋଦର ଖୁଣ୍ଟିଆ, ବିଡିଓ ହେମନ୍ତ ମହନ୍ତ, ବିଭାଗୀୟ ପ୍ରଶାସନିକ ଅଧିକାରୀ, ସହରର ବୁଦ୍ଧିଜୀବୀ, ପିଆରଆଇ ମେମ୍ବର, ମିଶନଶକ୍ତି ମହିଳା, ଯୋଜନାର ହିତାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।