ଜମି ରେଜିଷ୍ଟ୍ରେସନ୍ ସରଳୀକରଣ ନହେଲେ ଆନେ୍ଦାଳନ

 ବ୍ୟାସନଗର : ସରକାରଙ୍କ ଜମି ରେଜିଷ୍ଟ୍ରେସନରେ କଟକଣା ଯୋଗୁ ରେଜିଷ୍ଟ୍ରେସନ୍ଆ ଏକ ପ୍ରକାର ଠପ୍ ହୋଇଯାଇଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଏଥିରେ ପରିବାର ପୋଷଣ କରୁଥିବା ସମସ୍ତେ କଟକଣା କାରଣରୁ ଯାବତିୟ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଯାହାର ସଂଶୋଧନ ଓ ସରଳୀକରଣ ଆବଶ୍ୟକତା ରହିଥିବା ବେଳେ ଏଥି ପାଇଁ ଦାବି ଜୋର ଧରିଛି । ଏହିଦାବି ନେଇ ବ୍ୟାସନଗର ସବରେଜିଷ୍ଟର କାର୍ଯ୍ୟାଳୟ ପରିସରରେ ଥିବା ଭେଣ୍ଡର ମାନଙ୍କ ସମ୍ମିଳନୀ ଗୃହରେ ଯାଜପୁର ଜିଲା ଦଲିଲ ଲେଖକ ସଂଘ ପକ୍ଷରୁ ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ରାଜ୍ୟ ସଂଘ ଓ ଜିଲା ଶାଖାର କର୍ମକର୍ତା ସାମିଲ ହୋଇଥିଲେ । ରାଜ୍ୟରେ ରାଜସ୍ୱ ବିଭାଗର ସ୍ଥାଣୁତା ଓ କଠୋରତା ଯୋଗୁଁ ଜମିଜମା ସଂକ୍ରାନ୍ତୀୟ ବିକ୍ରି ଖରିଦରେ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଏଠାରେ ଦର୍ଶାଯାଇଥିଲା । ଏହା ଫଳରେ ସବରେଜିଷ୍ଟରଙ୍କ ନିକଟରେ ଜମି ରେଜିଷ୍ଟ୍ରେସନ କରିବା ସମ୍ଭବପର ହୋଇପାରୁନାହିଁ । ଝିଅ ବାହାଘର, ପିଲାଙ୍କ ପାଠପଢା ବା ଅନ୍ୟାନ୍ୟ ଜରୁରୀ ଆବଶ୍ୟକତା ପୂରଣ ପାଇଁ ଜମିବିକ୍ରି କରିବାକୁ ଗରିବ ଗୁରୁବା ବା ସାଧାରଣ ଲୋକେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରିକି ପାୱାର ପ୍ଲଟ, ଆପାର୍ଟମେଣ୍ଟ, ପାର୍ଟିସନ, ବାଇପ୍ଲଟ୍ ଆଦି ରେଜିଷ୍ଟ୍ରେସନରେ ନାନା ଅସୁବିଧା ପରିଲକ୍ଷିତ ହେଉଛି । ଏଥିପାଇଁ ଆଇନରେ ସଂଶୋଧନ ଓ ସରଳୀକରଣ କରାଯିବାର ଆବଶ୍ୟକତା ଥିଲେ ମଧ୍ୟ ସରକାର ତଥା ରାଜସ୍ୱ ବିଭାଗ ଏହାକୁ କର୍ଣ୍ଣପାତ କରୁନି । ଯଦି ଅବିଳମ୍ବେ ଏହାର ସମାଧାନ ନହୁଏ ତେବେ ସଂଘ ଆନେ୍ଦାଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି ।