ଯୁବକଙ୍କୁ ମରଣାନ୍ତକ ଆକ୍ରମଣ; ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୪ା୧୧ : ବସ୍ତିରେ ତ୍ରିନାଥ ମନ୍ଦିର କରିବା ସହ ସେଠାରେ ବରଗଛ ଲଗାଇ ପୂଜାର୍ଚ୍ଚନା କରୁଥିବା ବେଳେ, ଗଛକୁ କାଟିଦେଲେ ବିରୋଧି ଗୋଷ୍ଠି । ଏନେଇ ଉଭୟ ଗୋଷ୍ଠିଙ୍କ ଭିତରେ ବଚସା ବେଳେ ଅଭିଯୋଗକାରୀ ଯୁବକଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ଭରତପୁର ପଣ୍ଡାକୁଡ଼ିଆ ବସ୍ତିର ହାଇଦର ମଲ୍ଲୀକ ।
ସୂଚନା ଯୋଗ୍ୟଯେ, ଅଭିଯୋଗକାରୀ ଜିତୁ ମହାକୁଡ଼ ଓ ତାଙ୍କ ବସ୍ତିର କିଛି ଯୁବ ଗୋଷ୍ଠି ପଣ୍ଡାକୁଡିଆ ବସ୍ତିରେ ଏକ ମଣ୍ଡପ ନିର୍ମାଣ କରିଛନ୍ତି, ଯେଉଁଠାରେ ସେମାନେ ଏକ ବରଗଛ ଲଗାଇବା ସହ ସେଠାରେ ଏକ ତ୍ରିନାଥ ମନ୍ଦିର ମଧ୍ୟ ନିର୍ମାଣ କରିଥିଲେ । ଅଭିଯୋଗକାରୀ ଓ ସେହି ବସ୍ତିର ଅନ୍ୟ ଯୁବକମାନେ ସେଠାରେ ପୂଜାର୍ଚ୍ଚନା କରିବା ସହିତ ବିଭିନ୍ନ ଉଦେଶ୍ୟରେ ଉକ୍ତ ମଣ୍ଡପକୁ ବ୍ୟବହାର ମଧ୍ୟ କରୁଥିଲେ । ଘଟଣା ଦିନ ଅବା ଗତ ୨ ତାରିଖ ଅପରାହ୍ନ ୨ଟା ବେଳେ ନିମ୍ନୋକ୍ତ ଅଭିଯୁକ୍ତ ଓ ତାର ଅନ୍ୟ ସହଯୋଗୀମାନେ ଉକ୍ତ ତ୍ରିନାଥ ମନ୍ଦିର ଉପରେ ଚଢ଼ି ବରଗଛ ଟିକୁ କାଟି ଦେଇଥିଲେ । ଏହି ସମୟରେ ଅଭିଯୋଗକାରୀ ଏହାକୁ ବିରୋଧ କରିବାରୁ ଅଭିଯୁକ୍ତ ମାନେ ତାଙ୍କୁ ହତ୍ୟା ଧମକ ଦେଇଥିଲେ । ପୁନର୍ବାର ସେହି ଘଟଣା ଦିନ ରାତି ପ୍ରାୟ ୧୦ଟାରେ ଅଭିଯୁକ୍ତ ଓ ତାଙ୍କ ସହଯୋଗୀ ମାନେ ଜିଆଇ ପାଇପ, ଲାଠି ଆଦି ଅସ୍ତ୍ରଶସ୍ତ୍ର ନେଇ ଅଭିଯୋଗକାରୀଙ୍କୁ ଦେଖାକରିଥିଲେ ଓ ତାଙ୍କୁ ଗାଳି ଗୁଲଜ କରି ଏକ ପାଇପରେ ମୁଣ୍ଡକୁ ଆକ୍ରମଣ କରିଥିଲା । ଫଳରେ ଅଭିଯୋଗକାରୀ ଗୁରୁତର ଆହତ ହୋଇ ତଳେ ପଡ଼ିଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଘଟଣା ପରେ ଅଭିଯୋଗକାରୀଙ୍କର କିଛି ବନ୍ଧୁ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ଚିକିତ୍ସିତ ପାଇ ନେଇ ଯାଇଥିଲେ । ଏହି ଘଟଣାକୁ ନେଇ ଭରତପୁର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।