ଯୌନ ଉତ୍ପୀଡନ ନିରୋଧ ଆଇନ୍ ସମୀକ୍ଷା ବୈଠକ
ଭୁବନେଶ୍ୱର : ଆଜି ମହିଳା ଓ ଶିଶୁ ବିକାଶ ଏବଂ ଜାତୀୟ ମହିଳା ଆୟୋଗର ସହଭାଗିତାରେ ରାଜ୍ୟରେ "କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡନ ନିରୋଧ ଆଇନ' (ପୋଶ ଆଇନ)ର କାର୍ଯ୍ୟକାରିତା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷ ବିଜୟା କେ ରାହତକର ଅଧ୍ୟକ୍ଷତା କରି କହିଲେ ଯେ ଏହି ଆଇନ ଅନ୍ୟାୟ ବିରୁଦ୍ଧ, ପୁରୁଷ ବିରୁଦ୍ଧ ନୁହେଁ ଏବଂ ଏହି ଆଇନ ହିସାବରେ ଦୋଷୀ କୁ ନିଶ୍ଚୟ ଦଣ୍ଡ ମିଳିବ ବୋଲି ସେ ଦୃଢ ମତ ରଖିଥିଲେ । ଆଜିର ଯୁଗରେ ସମାଜରେ ମହିଳାମାନଙ୍କ ଭୂମିକା ଓ କର୍ତ୍ତବ୍ୟରେ ବହୁ ପରିବର୍ତ୍ତନ ଆସିଛି । ଆଜିର କର୍ମଜୀବୀ ମହିଳା ନିଜ ଘର ଓ କାର୍ଯ୍ୟକୁ ଅତି ନିଖୁଣ ଭାବରେ ପରିଚାଳନା କରିପାରୁଛନ୍ତି । ଏହି ପରିପ୍ରେକ୍ଷିରେ ସେମାନଙ୍କୁ ଏକ ସୁରକ୍ଷିତ ଓ ସମ୍ମାନିତ କାର୍ଯ୍ୟକ୍ଷେତ୍ର ପ୍ରଦାନ କରିବା ଆମ ସମସ୍ତଙ୍କ ଗୁରୁ ଦାୟିତ୍ୱ ହେବା ଉଚିତ । "କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡନ ନିରୋଧ ଆଇନ'ର ସଠିକ କାର୍ଯ୍ୟକାରିତା ଓ ଏହି ଆଇନ ସମ୍ବନ୍ଧରେ ଦୃଢ ଜନସଚେତନତା ସୃଷ୍ଟି କରିପାରିଲେ ହିଁ ଆମେ କାର୍ଯ୍ୟକ୍ଷେତ୍ରରେ ଘଟୁଥିବା ଯୌନ ଉତ୍ପୀଡନକୁ ଦମନ କରିପାରିବା ବୋଲି ଦୃଢୋକ୍ତି ରଖିଛନ୍ତି । ପ୍ରତି ଜିଲ୍ଲାର ସର୍ବସାଧାରଣ ସ୍ଥାନରେ ଏହି ଆଇନ ସମ୍ପର୍କରେ ବିଜ୍ଞାପନ ଓ ହୋର୍ଡିଂ ଜରିଆରେ ଲୋକମାନଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି ।