ଶାଢ଼ୀବନ୍ଧା ବିଧି ସଂପନ୍ନ

ପୁରୀ:  ବୈଚିତ୍ର୍ୟମୟ ଶ୍ରୀମନ୍ଦିର । ରତ୍ନସିଂହାସନାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବା ପୂଜା, ନୀତିକାନ୍ତି ସବୁ ନିଆରା । ମହାପ୍ରଭୁଙ୍କ ସେବାରେ ନିୟୋଜିତ ୧୧୯ପ୍ରକାରର ସେବାୟତ । ସେମାନଙ୍କ ମଧ୍ୟରେ ଅଛନ୍ତି କେତେକ ଶାଢୀବନ୍ଧା ସେବାୟତ । ଏହି ସେବାୟତଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଅଖଣ୍ଡ ମେକାପ ସେବାୟତ । ବରିଷ୍ଠ ସେବାୟତ ଜମେଶ୍ୱର ମହାନ୍ତିଙ୍କ ପୁତ୍ର ଆଦିତ୍ୟ ନାରାୟଣ ମହାନ୍ତି (୨୩) ଅଖଣ୍ଡ ମେକାପ ସେବା ପାଇଁ ସୋମବାର ଦିନ ଶ୍ରୀମନ୍ଦିରରେ ପରମ୍ପରା ଅନୁଯାୟୀ ଶାଢୀ ବନ୍ଧାଇଛନ୍ତି । ବିଧିବିଧାନ ଅନୁଯାୟୀ ଜୟବିଜୟ ଦ୍ୱାର ନିକଟରେ ଛତିଶା ନିଯୋଗର ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଆଦିତ୍ୟଙ୍କ ମୁଣ୍ଡରେ ଶାଢୀ ବାନ୍ଧିଥିଲେ । ଶ୍ରୀମନ୍ଦିର ପ୍ରଶାସନ ଓ ଅଖଣ୍ଡ ମେକାପ ନିଯୋଗର ଅନୁମୋଦନ କ୍ରମେ ଆଦିତ୍ୟ ଶାଢୀ ବନ୍ଧାଇବା ପରେ ଅଖଣ୍ଡ ମେକାପ ସେବା କରିବା ପାଇଁ ଅଧିକାର ପ୍ରାପ୍ତ ହୋଇଛନ୍ତି । ସୋମବାର ଦିନ ସକାଳଧୂପ ପରେ ଜୟବିଜୟ ଦ୍ୱାର ନିକଟରେ ଶାଢୀବନ୍ଧା ବିଧି ସଂପନ୍ନ ହୋଇଥିଲା । ଏହାପରେ ବନ୍ଧୁବାନ୍ଧବମାନଙ୍କ ସହ ଆଦିତ୍ୟ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସୂଚନା ଯୋଗ୍ୟ ଯେ ଅଖଣ୍ଡ ମେକାପ ସେବା ଏକ ଦୈନନ୍ଦିନ ସେବା । ଭିତରଚ୍ଛ, ଅଖଣ୍ଡ ମେକାପ, ପ୍ରତିହାରୀ, ଖୁଣ୍ଟିଆ ମେକାପ ଓ ମୁଦୂଲି ଏହି ପାଞ୍ଚ ଜଣ ସେବାୟତ ପ୍ରତ୍ୟହ ପ୍ରତୁ୍ୟଷରେ ଶ୍ରୀମନ୍ଦିରକୁ ଆସିଲେ ଭିତରଚ୍ଛଙ୍କ ନିଦେ୍ର୍ଦଶ କ୍ରମେ ମନ୍ଦିରର ଦ୍ୱାର ଫିଟା ନୀତି ସଂପନ୍ନ ହୋଇଥାଏ । ଦ୍ୱାର ଫିଟା ପରେ ଅଖଣ୍ଡ ମେକାପ ଅଖଣ୍ଡ ପ୍ରଜ୍ଜ୍ୱଳିତ କଲେ ସମସ୍ତେ ମନ୍ଦିରରେ ପ୍ରବେଶ କରିଥାନ୍ତି ।