ରଥଯାତ୍ରା ପାଇଁ ବ୍ୟାପକ ସ୍ୱାସ୍ଥ୍ୟସେବା ସୁବିଧା : କାମ କରିବ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍
ଭୁବନେଶ୍ୱର : ଆଗାମୀ ‘ରଥଯାତ୍ରା’ ପାଇଁ ସ୍ୱାସ୍ଥ୍ୟ ଓ ଚିକିତ୍ସା ବ୍ୟବସ୍ଥାକୁ ବ୍ୟାପକ କରାଯିବ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏବଂ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଘୋଷଣା କରାଯାଇଛି । ଏ ଉତ୍ସବରେ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ସମବେତ ହେଉଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ-ନିରାପତ୍ତା ଓ କଲ୍ୟାଣକୁ ନିଶ୍ଚିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦେ୍ଦଶ୍ୟରେ ଚଳିତ ବର୍ଷ ୨୬୫ଟି ଅତିରିକ୍ତ ହସ୍ପିଟାଲ ବେଡ୍ର ବ୍ୟବସ୍ଥା କରାଯାଇଛି । ଗତବର୍ଷର ୧୪୦ଟି ବେଡ୍ ତୁଳନାରେ ଯଥେଷ୍ଟ ଅଧିକ । ଏହି ଅତିରିକ୍ତ ଶଯ୍ୟା ମଧ୍ୟରେ ପୁରୀର ସରକାରୀ ଏଏନ୍ଏମ୍ ଟ୍ରେନିଂ ସେଣ୍ଟରରେ ୧୦୦ଟି ଅତିରିକ୍ତ ଶଯ୍ୟା ଏବଂ ଟିବିଆଇଡିଏଚ୍ରେ ୧୫ଟି ଆଇସିୟୁ ଶଯ୍ୟା ଅନ୍ତର୍ଭୁକ୍ତ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୫୦ଟି ସାଧାରଣ ଶଯ୍ୟା, ୮ଟି ବର୍ନୱାର୍ଡ ବେଡ୍ ଏବଂ ୧୦ଟି ଆଇସିୟୁ ଶଯ୍ୟା ସମେତ ୬୮ଟି ଶଯ୍ୟା ସଂରକ୍ଷିତ ରଖିଛି । ଏହା ସହିତ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ଲଡ୍ ବ୍ୟାଙ୍କରେ ୨୦୦ ୟୁନିଟ୍ ରକ୍ତ ସଂରକ୍ଷିତ ହୋଇଛି ଏବଂ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଦୁଇଟି ଛୋଟ ଅପରେସନ୍ ଥିଏଟର ସ୍ଥାପନ କରାଯାଇଛି । ପ୍ରଥମ ଥର ପାଇଁ ଏଏମ୍ସ୍, ଭୁବନେଶ୍ୱର ପକ୍ଷରୁ ଚିକିତ୍ସା କେନ୍ଦ୍ରରେ ଏକ ବିଶେଷଜ୍ଞ ଡାକ୍ତର ଟିମ୍ ନିୟୋଜିତ କରାଯିବ ।
ରଥଯାତ୍ରା ସମୟରେ ୬୯ଟି ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଏକ ବ୍ୟାପକ ନେଟୱାର୍କ କାର୍ଯ୍ୟ କରିବ । ଏଥିରେ ୩୨ଟି ସରକାରୀ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଚଳିତ ଜୁନ୍ ୨୭ରୁ ଜୁଲାଇ ୮ ପର୍ଯ୍ୟନ୍ତ କାର୍ଯ୍ୟ କରିବ ଏବଂ ୩୭ଟି ସ୍ୱେଚ୍ଛାସେବୀ ସଂଗଠନ-ସହାୟତାପ୍ରାପ୍ତ କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହିବ । ଜରୁରୀକାଳୀନ ଚିକିତ୍ସା ପରିବହନ ପାଇଁ ବ୍ୟାପକ ଆମ୍ବୁଲାନ୍ସ ନେଟୱାର୍କ ସୁନିଶ୍ଚିତ କରାଯିବ । ସ୍ୱାସ୍ଥ୍ୟସେବାକୁ ବ୍ୟାପକ ଏବଂ ତ୍ୱରିତ କରିବା ଉଦେ୍ଦଶ୍ୟରେ ଅନ୍ୟ ଜିଲ୍ଲାରୁ ୩୭୮ ଜଣ ଅତିରିକ୍ତ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିୟୋଜିତ ହେବେ । ରଥଯାତ୍ରା ସମୟରେ ଜନସ୍ୱାସ୍ଥ୍ୟ ମାନଦଣ୍ଡ ବଜାୟ ରଖିବା ପାଇଁ କଠୋର ସ୍ୱାସ୍ଥ୍ୟ ମନିଟରିଂ ଏବଂ ରୋଗ ପ୍ରତିରୋଧକ ବ୍ୟବସ୍ଥା ରହିଛି । ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଖାଦ୍ୟ ପ୍ରତିଷ୍ଠାନରେ ପ୍ରଶାସନ ପକ୍ଷରୁ ୨୪୯ଟି ଯାଞ୍ଚ କରାଯାଇ ୪୯୪ କିଲୋଗ୍ରାମ ଅସ୍ୱାସ୍ଥ୍ୟକର ଖାଦ୍ୟ ନଷ୍ଟ କରାଯାଇଛି ।
ରଥଯାତ୍ରା ସମୟରେ ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ସମନ୍ୱୟ କରିବା ଏବଂ ଜରୁରୀକାଳୀନ ପରିସ୍ଥିତିର ଜବାବ ଦେବା ପାଇଁ ଏକ ନିର୍ଦ୍ଦିଷ୍ଟ ରଥଯାତ୍ରା କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟା କାର୍ଯ୍ୟ କରିବ । ଯେକୌଣସି ଚିକିତ୍ସା ସହାୟତା କିମ୍ବା ସ୍ୱାସ୍ଥ୍ୟସେବା ସଂପର୍କିତ ସୂଚନା ପାଇଁ କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର ‘୯୧ ୬୩୭୦୫୬୦୨୪୭’ ଏବଂ ଲ୍ୟାଣ୍ଡଲାଇନ ନମ୍ବର ‘୦୬୭୫୨-୨୨୨୧୭୫’ରେ ଯୋଗାଯୋଗ କରାଯାଇପାରିବ ।