ଅଦ୍ୱିକା ସମ୍ମିଳନୀ : ଭାଗନେଲେ ୧୨୭ ଜଣ କିଶୋର କିଶୋରୀ
ଭୁବନେଶ୍ୱର : କିଶୋରକିଶୋରୀମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ଦୁଇଦିନିଆ ଅଦ୍ୱିକା ସମ୍ମିଳନୀ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହୋଇଛି । ଏଥିରେ ୧୦ରୁ ୧୯ ବର୍ଷ ବୟସ ମଧ୍ୟରେ ୨୭ଟି ଜିଲ୍ଲାରୁ ଶ୍ରେଷ୍ଠ ବିବେଚିତ ୧୨୭ ଜଣ କିଶୋର କିଶୋରୀ ଯୋଗଦେଇଛନ୍ତି । ସେମାନଙ୍କ ମଧ୍ୟରେ ନୃତ୍ୟ, ଗୀତ, କାହାଣୀ ପଠନ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । କିଶୋର ଅବସ୍ଥାରେ ଶାରୀରିକ ଓ ମାନସିକ ସ୍ତରରେ ହେଉଥିବା ପରିବର୍ତ୍ତନ, ସେମାନେ ସମ୍ମୁଖୀନ ହେଉଥିବା ହିଂସା ଓ ବିପଜ୍ଜନକ କାର୍ଯ୍ୟକଳାପରୁ ଦୂରେଇ ରଖିବା ଏବଂ ସେମାନଙ୍କର ଅନ୍ତର୍ନିହିତ ଦକ୍ଷତାର ଉନ୍ମେଷ କରିବା ସହ ଆର୍ଥିକ, ସାଂସ୍କୃତିକ ଓ ସମାଜବିକାଶ କ୍ଷେତ୍ରରେ ସେମାନଙ୍କ ବଳିଷ୍ଠ ଅବଦାନକୁ ପ୍ରତିପାଦିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।
ପ୍ରଥମ ଦିନରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ସମନ୍ୱିତ ଶିଶୁ ବିକାଶ ସେବା ଓ ସାମାଜିକ ବିକାଶ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ସୁମିତ୍ରା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଅଦ୍ୱିକା କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଅତିଥିମାନେ କିଶୋରକିଶୋରୀମାନଙ୍କୁ ଶପଥ ପାଠ କରାଇବା ସହ ମିଳିତ ଭାବେ ଏକ ଉଜ୍ଜ୍ୱଳ, ଶକ୍ତିଶାଳୀ ଓ ସଶକ୍ତ ଓଡିଶା ଗଠନ ଦିଗରେ ପ୍ରତିଶ୍ରୁତିବଦ୍ଧ ହେବା ପାଇଁ ପରାମର୍ଶ ଦେଇଥିଲେ ।