ରନିଙ୍ଗ କର୍ମଚାରୀଙ୍କ ସର୍ବନିମ୍ନ ନିଶ୍ଚିତ କିଲୋମିଟର ଦାବି
ଜଟଣୀ : ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ ଓÿ ସର୍ବଭାରତୀୟ ରନିଙ୍ଗ ଷ୍ଟାଫ ଆସୋସିଏସନ ମିଳିତ ଭାବେ ଜୁଲାଇ ୩୧ ସର୍ବନିମ୍ନ ନିଶ୍ଚିତ କିଲୋମିଟର (ଏମଜିକେ ) ଦାବି ନେଇ ଆନେ୍ଦାଳନକୁ ଓହ୍ଲାଇବ ବୋଲି ନିଷ୍ପତି ନିଆଯାଇଛି । ଏ ନେଇ ପ୍ରସ୍ତୁତି ବୈଠକରେ ଶ୍ରମିକ କଂଗ୍ରେସର ଜେନେରାଲ ସେକ୍ରେଟାରୀ ରମେଶ ଚନ୍ଦ୍ର ସାହୁ, ମଣ୍ଡଳ ସଂଯୋଜକ ସୁନୀଲ ଭଞ୍ଜ, ସହ ସଂଯୋଜକ ନିରଞ୍ଜନ ମିଶ୍ର, ରନିଙ୍ଗ ଆସୋସିଏସନ୍ ସଭାପତି ପ୍ରଫୁଲ ଦାସଙ୍କ ସମେତ ବହୁ ନେତୃବୃନ୍ଦ ଏହି ବୈଠକରେ ଯୋଗଦେଇଥିଲେ । ଜଣେ ରନିଙ୍ଗ ଷ୍ଟାଫ (ଲୋକୋ ପାଇଲଟ ଓ ଟ୍ରେନ ମ୍ୟାନେଜେର) ଟ୍ରେନ ଚଳାଚଳରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ଯେକୌଣସି କର୍ମଚାରୀ ନିଜ କାର୍ଯ୍ୟସ୍ଥଳୀରୁ ଅନ୍ୟତ୍ର ଡିଉଟିରେ ବାହାରକୁ ଗଲେ ଟ୍ରାଭେଲିଙ୍ଗ ଆଳାଉନ୍ସ (ଟିଏ) ମିଳେ ଯାହା ଦୁଇଟି ପର୍ଯାୟରେ ବିଭକ୍ତ, ବାରଘଣ୍ଟାରୁ ଅଧିକ ବାହାରେ ରହିଲେ କନିଷ୍ଠ କର୍ମଚାରୀଙ୍କ ଗ୍ରେଡ୍ ପେ ୨୮ ଶହ ପର୍ଯ୍ୟନ୍ତ ସର୍ବାଧିକ ୬୨୫ ଟଙ୍କା ହୋଇଥିବା ବେଳେ, ବରିଷ୍ଠଙ୍କ ପାଇଁ ୧୦୦୦ ଟଙ୍କା ମିଳିଥାଏ । ସେହି କ୍ରମରେ ରନିଙ୍ଗ ଷ୍ଟାଫଙ୍କୁ କିଲୋମିଟର ହିସାବରେ ମାଇଲେଜ ମିଳେ । କନିଷ୍ଠ କର୍ମଚାରୀଙ୍କ କିଲୋମିଟର ପ୍ରତି ୩,୭୫ପଇସା ହୋଇଥିବା ବେଳେ, ବରିଷ୍ଠଙ୍କୁ ଟ୫,୨୦ପଇସା ମିଳିଥାଏ । ଯେଉଁ ରନିଙ୍ଗ ଷ୍ଟାଫ ଯାତ୍ରୀବାହି ଟ୍ରେନ ବିଶାଖାପାଟଣା ବା ଖଡ଼ଗପୁର ଭଳି ଦୂର ସ୍ଥାନଙ୍କୁ ଯାତ୍ରା କରନ୍ତି ତାଙ୍କ ପାଇଁ ମାଇଲେଜ ଯଥାର୍ଥ ଥାଏ । କିନ୍ତୁ ଅନେକ କର୍ମଚାରୀଙ୍କ ବିଶେଷ କରି ମାଲବାହି ଟ୍ରେନରେ କାର୍ଯ୍ୟରତ କର୍ମଚାରୀ ୧୪ ଘଣ୍ଟାରୁ ୧୮ ଘଣ୍ଟା ରେଳ ଚଳାଚଳରେ ନିୟୋଜିତ ରୁହନ୍ତି କିନ୍ତୁ ମାତ୍ର ୨୦ ରୁ ୩୦ କିମି ଯାତ୍ରା ହୋଇଥାଏ । ସେମାନଙ୍କ ଆର୍ଥିକ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୯୮୧ ମସିହାରେ ରେଳ ବୋର୍ଡ ଏକ ଅଧ୍ୟାଦେଶ ଜାରିକରି ନିଦେ୍ର୍ଦଶ ଦେଲେକି, କ୍ଷେତ୍ରୀୟ ଅଧିକାରୀ (ଜୋନାଲ ଅଫିସର) ମାନେ ଜଣେ ରନିଙ୍ଗ ଷ୍ଟାଫ ଗାଡିରେ ଚଢିଲା ମାତ୍ରେ ଯଦି ତାକୁ ପର୍ଯ୍ୟାପ୍ତ ଦୂରତା ଟ୍ରେନ ଚଳାଇବାକୁ ଦେଇ ପାରୁନେ ସେ କ୍ଷେତ୍ରରେ ସର୍ବନିମ୍ନ ମାଇଲେଜ (ଏମଜିକେ) ୧୨୦ କିମିର ଦେଇପାରିବେ । କର୍ମଚାରୀ ସାଧାରଣ କର୍ମଚାରୀଙ୍କ ଯାତ୍ରା ଭତ୍ତା ପାଇପାରିବେ । ଏହି ବ୍ୟବସ୍ଥା ପୂର୍ବତଟ ରେଳପଥରେ କିଛି ବର୍ଷ ଚାଲିଲାପରେ ବନ୍ଦ କରିଦେଲେ । ଏହାକୁ ପୁନଃ ଲାଗୁ କରିବାକୁ ୨୦୧୧ ରେ ଶ୍ରମିକ କଂଗ୍ରେସର ଜେନେରାଲ ସେକ୍ରେଟାରୀ ଶ୍ରୀ ସାହୁ ଜୋନାଲ ପିଏନଏମ (ସ୍ଥାୟୀ ବୁଝାମଣା ସଭା)ରେ ଦାବି ଉପସ୍ଥାପନା କରିବାରୁ ପୁଣି ଏମ୍ଜିକେ ଚାଲିଲା । କିନ୍ତୁ କରୋନା ଖର୍ଚ୍ଚକାଟ ଆଳ ଦେଖାଇ ପୂର୍ବତଟ ରେଳପଥ ବଡ ହାକିମମାନେ ୨୦୨୧ ମସିହାରୁ ଏମ୍ଜିକେକୁ ପ୍ରତ୍ୟାହାର କରିନେଇ ଯେତିକି କିମି ଯାତ୍ରା କରିବେ ସେତିକି ଭତ୍ତା ପାଇବା ଆଦେଶ ଜାରି କରିଦେଲେ । ଫଳରେ ଜଣେ ଗ୍ରୁପ-ଡି କର୍ମଚାରୀ ଖୋର୍ଦ୍ଧାରୋଡରୁ ବାରଙ୍ଗ ଯାତ୍ରା କଲେ ୬୨୫ ଟଙ୍କା ପାଉଥିବା ବେଳେ, ସେଇ ଯାତ୍ରା ପାଇଁ ଜଣେ ରନିଙ୍ଗ ଷ୍ଟାଫ ୧୭୭ ଟଙ୍କା ପାଉଛି । ଏହା କେତେଦୂର ଯୁକ୍ତିଯୁକ୍ତ ବୋଲି କର୍ମଚାରୀ ମତ ପ୍ରକାଶ କରିଥିଲେ । ଏହା ଭିତରେ ତିନିମାସ ବିତିଯାଇଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବରୁ ଜୁଲାଇ ୩୧ ରୁ ଆରପାର ଲଢେଇ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଦାବି ପୂରଣ ନହେଲା ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ଅଧୀନ ତିନୋଟି ଡିଭିଜନରେ ଅବସ୍ଥିତ କ୍ରିୟୁ କଣ୍ଟ୍ରୋଲ ଅଫିସ ଖୋର୍ଦ୍ଧାରୋଡ, ଯଖପୁରା, ତାଳଚେର, ପାରାଦୀପ, ସମ୍ବଲପୁର, ଟିଟିଲାଗଡ, ବିଜୟନଗରମ ଓ ବିଶାଖାପାଟଣାରେ ଏହି ହଙ୍ଗର ଫାଷ୍ଟ ଚାଲୁ ରହିବ ବୋଲି ମିଡିଆ ପ୍ରଭାରୀ ଏଲଡି ମହାନ୍ତି ସୂଚନା ଦେଇଛନ୍ତି ।