ରାକ୍ଷୀରେ ୧୭ ହଜାର କୋଟି ଟଙ୍କାର ବ୍ୟବସାୟ

ରାକ୍ଷୀରେ ୧୭ ହଜାର କୋଟି ଟଙ୍କାର ବ୍ୟବସାୟ

ଭାଇ-ଭଉଣୀର ପବିତ୍ର ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ସାରା ଦେଶରେ ଉତ୍ସାହର ମାହୋଲ । ଚଳିତ ବର୍ଷ ରାକ୍ଷୀ ପର୍ବ ଅଗଷ୍ଟ ୯ ତାରିଖରେ ପାଳନ କରାଯିବ । ଏହି ପର୍ବକୁ କେନ୍ଦ୍ର କରି ବଜାରରେ ଏକ ବଡ଼ ଧରଣର ବ୍ୟବସାୟିକ କାରବାର ହେବାର ସମ୍ଭାବନା ସୃଷ୍ଟି ହୋଇଛି । ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (କ୍ୟାଟ୍) ଅନୁଯାୟୀ, ଚଳିତ ବର୍ଷ ରାକ୍ଷୀ ଅବସରରେ ସାରା ଦେଶରେ ପ୍ରାୟ ୧୭,୦୦୦ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ଅନୁମାନ କରାଯାଉଛି ।  

ବଜାରରେ ଦେଶୀ ରାକ୍ଷୀର ଚାହିଦା :  ଗତ କିଛି ବର୍ଷ ଧରି ରାକ୍ଷୀ ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ବର୍ତ୍ତମାନ ବଜାରରୁ ଚାଇନାରେ ନିର୍ମିତ ରାକ୍ଷୀ ସମ୍ପୂର୍ଣ୍ଣରୂପେ ଗାଏବ ହୋଇଯାଇଛି ଏବଂ କେବଳ ଭାରତରେ ନିର୍ମିତ ରାକ୍ଷୀ ହିଁ ବିକ୍ରି ହେଉଛି ।  ଗ୍ରାହକମାନେ ମଧ୍ୟ ସ୍ୱଦେଶୀ ସାମଗ୍ରୀ କିଣିବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି । ଯାହା 'ମେକ୍ ଇନ୍ ଇଣ୍ଡିଆ' ଅଭିଯାନକୁ ବଡ଼ ପ୍ରୋତ୍ସାହନ ଦେଉଛି ।

କ୍ୟାଟ୍‌ର ଜାତୀୟ ମହାସଚିବ ପ୍ରବୀଣ ଖଣ୍ଡେଲୱାଲଙ୍କ କହିବା ଅନୁଯାୟୀ, କେବଳ ରାକ୍ଷୀରୁ ୧୭,୦୦୦ କୋଟି ଟଙ୍କାର କାରବାର ହେବାକୁ ଥିବାବେଳେ ମିଠା, ଡ୍ରାଏ ଫ୍ରୁଟ୍ସ, ଉପହାର ସାମଗ୍ରୀ ଏବଂ ପୋଷାକ ଭଳି ଅନ୍ୟାନ୍ୟ ସାମଗ୍ରୀରୁ ଅତିରିକ୍ତ ୪,୦୦୦ କୋଟି ଟଙ୍କାର ବ୍ୟବସାୟ ହେବାର ସମ୍ଭାବନା ରହିଛି । 


ଏଥର ବଜାରରେ ପାରମ୍ପରିକ ରାକ୍ଷୀ ସହିତ ଅନେକ ନୂଆ ଧରଣର ରାକ୍ଷୀ ଦେଖିବାକୁ ମିଳୁଛି  । ବଜାରରେ ଦେଶଭକ୍ତି ଭାବନା ସହିତ ଜଡ଼ିତ ରାକ୍ଷୀର ଚାହିଦା ବଢ଼ିଛି । 'ବିକଶିତ ଭାରତ', 'ବନ୍ଦେ ମାତରମ୍', 'ଭାରତ ମାତା କୀ ଜୟ' ଭଳି ଥିମ୍ ଥିବା ରାକ୍ଷୀ ଗ୍ରାହକଙ୍କୁ ବେଶ୍ ଆକର୍ଷିତ କରୁଛି । ରାକ୍ଷୀ ବଜାରରେ ନୂତନତା ଓ ଦେଶଭକ୍ତିର ଛାପର ରାକ୍ଷୀ  ଯେପରିକି  ଅପରେସନ ସିନ୍ଦୂର ରାକ୍ଷୀ, ଆତ୍ମନିର୍ଭର ଭାରତ ରାକ୍ଷୀ, ମୋଦୀ ରାକ୍ଷୀ, ବିକଶିତ ଭାରତ ରାକ୍ଷୀ, ଡିଜିଟାଲ୍ ରାକ୍ଷୀ । ଏହା ବ୍ୟତୀତ ପରିବେଶ ଅନୁକୂଳ (ଇକୋ-ଫ୍ରେଣ୍ଡଲି) ରାକ୍ଷୀ ଯଥା ମାଟି, ମଞ୍ଜି, ଖଦି, ବାଉଁଶ ଓ କପାରେ ତିଆରି ରାକ୍ଷୀ ମଧ୍ୟ ଲୋକପ୍ରିୟ ହେଉଛି । ଗ୍ରାହକଙ୍କ ଚାହିଦା ଅନୁସାରେ ଭାଇ-ଭଉଣୀଙ୍କ ଫଟୋ ଓ ନାମ ଲେଖାଥିବା କଷ୍ଟମାଇଜ୍ ରାକ୍ଷୀର ମଧ୍ୟ ବହୁଳ ଭାବେ ବିକ୍ରି ହେଉଛି । 
 ରାକ୍ଷୀ ବ୍ୟବସାୟ ମହିଳା ସଶକ୍ତିକରଣକୁ ମଧ୍ୟ ଏକ ନୂଆ ଦିଗ ଦେଉଛି । ଦେଶର ବିଭିନ୍ନ ପ୍ରାନ୍ତରେ ମହିଳା ଉଦ୍ୟୋଗୀମାନେ ସ୍ଥାନୀୟ କଳା ଓ ସଂସ୍କୃତିକୁ ଆଧାର କରି ରାକ୍ଷୀ ତିଆରି କରୁଛନ୍ତି ।  ଛତିଶଗଡ଼ର କୋସା ରାକ୍ଷୀ, କୋଲକାତାର ଝୋଟ ରାକ୍ଷୀ, ନାଗପୁରର ଖଦି ରାକ୍ଷୀ ଏବଂ ବିହାରର ମଧୁବନୀ କଳା ରାକ୍ଷୀ ଭଳି ଆଞ୍ଚଳିକ କଳାକୃତିରେ ସଜ୍ଜିତ ରାକ୍ଷୀମାନ ଦେଶବ୍ୟାପୀ ବଜାରରେ ପହଞ୍ଚି ସାରିଛି ।