ଦାଦନ ଯନ୍ତ୍ରଣା : କେରଳରୁ ଫେରିଲା ଶ୍ରମିକଙ୍କ ମୃତ ଦେହ 


ଭବାନୀପାଟଣା :  ପେଟପାଟଣା ପାଇଁ ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟକୁ ଯାଇଥିଲେ  । ରାତି ଦିନ ମେହନତ କରି ପରିବାର ପ୍ରତିପୋଷଣ କରିଥା’ନ୍ତେ  । ହେଲେ କାମ କରିବାକୁ ଯାଇ ଶବ ହୋଇ ଫେରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟିକରିଛି  । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢିବା ସହ ଅନେକ ସମୟରେ ଦାଦନଙ୍କ ମୃତୁ୍ୟ ମଧ୍ୟ ଘଟିଥିବା ଦେଖିବାକୁ ମିଳିଛି  । ୨ ମାସ ତଳେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ମାଳିଯୁବାଙ୍ଗ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପେଟ ଗାଁର ଜଣେ ନାବାଳକ ଦାଦନ ଶ୍ରମିକଙ୍କ ମୃତୁ୍ୟ  ହୋଇଥିଲା  । ଏବେ ଆଉ ଜଣେ ଦାଦନ ଶ୍ରମିକଙ୍କ ମୃତ ଦେହ ଗାଁକୁ ପହଞ୍ଚିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି  । ପରିବାର ପ୍ରତିପୋଷଣ ପାଇଁ କେରଳ ରାଜ୍ୟ ଆଙ୍ଗାମାଳି ଜିଲ୍ଲାକୁ ଦାଦନ ଖଟିବାକୁ ଯାଇଥିବା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ବେନଗାଁ ପଞ୍ଚାୟତ ଅନ୍ତର୍ଗତ ବରାପାଲି ଗାଁର ୪୫ ବର୍ଷୀୟ ଯୁବକ କାଲିବାବୁ ହରିଜନଙ୍କ ବୁଧବାର ସେଠାରେ ମୃତୁ୍ୟ ଘଟିଛି  । ମୃତୁ୍ୟ ଖବର ଜାଣିବାପରେ ପରିବାର ଲୋକେ ମରଶରୀର ଆଣିବା ପାଇଁ ପ୍ରଶାସନ ନିକଟରେ ଗୁହାରି କରିବା ସହ ଆର୍ଥିକ ସହାୟତା ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ  । ସୂଚନା ଅନୁସାରେ କାଳିବାବୁ ହରିଜନ ଏକ ବର୍ଷ ହେଲା କେରଳର ଆଙ୍ଗାମାଳି ଜିଲ୍ଲାକୁ ଯାଇ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ  । ହେଲେ କୌଣସି କାର୍ଯ୍ୟ ପାଇଁ ରାସ୍ତାରେ ଚାଲିଯାଉଥିବା ସମୟରେ ପଛପଟୁ ଏକ ସରକାରୀ ବସ ଧକ୍କା ଦେଇଥିଲା  । ଯାହାଫଳରେ ୨୩ ଏପ୍ରିଲ ବୁଧବାର ଦିନ ଘଟଣା ସ୍ଥଳରେ ତାଙ୍କ ମୃତୁ୍ୟ ଘଟିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି  । ତେବେ ନିଜ ଜନ୍ମମାଟି ବରାପାଲି ଗାଁକୁ ଶନିବାର ମରଶରୀର ପହଞ୍ଚିବା ପରେ ଗାଁ ମଶାଣିରେ ପରିବାର ଲୋକେ ଶୋକାକୁଳ ପରିବେଶରେ ଶବ ସକôାର କରି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି  । ପରିବାର କହିଲେ ସ୍ତ୍ରୀ ସମେତ ଦୁଇ ପୁଅ ଝିଅ ରହିଥିବା ବେଳେ ଏବେ ପରିବାର ପ୍ରତିପୋଷଣ ମୁସ୍କିଲ ହୋଇପଡିଛି  । ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସ୍ତ୍ରୀ ଧନଦେଇ ହରିଜନ ପ୍ରଶାସନ ନିକଟରେ ସରକାରୀ ସହାୟତା ଯୋଗାଇଦେବା ପାଇଁ ଆକୁଳ ନିବେଦନ କରୁଛନ୍ତି  । ତେବେ ଲାଞ୍ଜିଗଡ ଅଞ୍ଚଳରେ ବାରମ୍ବାର ଏଭଳି ଦାଦନ ଶ୍ରମିକଙ୍କ ମୃତୁ୍ୟ ଘଟୁଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।