ରାଜଧାନୀର ବିଭିନ୍ନ ହୋଟେଲରେ ଚଢାଉ

 ଭୁବନେଶ୍ୱର : ରାଜ୍ୟରେ ବ୍ୟାପିବାରେ ଲାଗୁଛି ଝାଡାବାନ୍ତି  । ଗୋଟିଏ ପରେ ଗୋଟିଏ ଜିଲ୍ଲା ଏଥିରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି  । ଖାଲି ଜିଲ୍ଲା ନୁହେଁ ରାଜଧାନୀ ଭୁବନେଶ୍ୱରରେ ବି ଏହା ବଢିବାର ଲାଗିଛି  । ଦୂଷିତ ପାଣି ଓ ବାସି ଖାଦ୍ୟ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାର ନିୟନ୍ତ୍ରଣକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଟେଲ, ଢାବା ଏବଂ ଫାଷ୍ଟଫୁଡ୍ ଦୋକାନରେ ଚଢାଉ କାରଯାଇଛି  ।  ଝାଡାବାନ୍ତି ବ୍ୟାପିବାକୁ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱର ମୁ୍ୟନିସିପାଲ୍ କର୍ପୋରେସନ୍ (ବିଏମସି) ଆକ୍ସନ୍ ମୋଡ୍ରେ ଅଛି । ବିଏମସି ଅଧିକାରୀମାନେ ସହରର ଅନେକ ହୋଟେଲ ଏବଂ ଖାଦ୍ୟପେୟ ଦୋକାନରେ ଚଢାଉ କରିଛନ୍ତି । ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଗୁଣବତ୍ତା ଯାଞ୍ଚ କରିବା ସହିତ ଅନେକ ହୋଟେଲ ଏବଂ ଫାଷ୍ଟଫୁଡ୍ ଦୋକାନରେ ଅଚାନକ ପରିଦର୍ଶନ କରିଛନ୍ତି ଏବଂ ନିଦେ୍ର୍ଦଶାବଳୀ ଉଲ୍ଲଂଘନ କରୁଥିବା ଲୋକଙ୍କ ଉପରେ ଜରିମାନା ଲଗାଇଛନ୍ତି । ରାଜଧାନୀର ଅନେକ ଘରୋଇ ହସ୍ପିଟାଲ ନିକଟରେ ଥିବା ଅନେକ ଖାଦ୍ୟ ଦୋକାନରେ ଅଚାନକ ଚଢାଉ କରି ବାସି ଖାଦ୍ୟ ମହଜୁଦ ଥିବା ଦେଖିବାକୁ ମିଳିଥିଲା  । ଏଥିସହ କିଛି ଦୋକାନରେ ଅସ୍ୱାସ୍ଥ୍ୟକର ପରିବେଶର ରୋଶେଇ କରିବା ସହ ରାସାୟନିକ ପାଦାର୍ଥ ଏବଂ ରଙ୍ଗ ବ୍ୟବହାର କରୁଥିବା ଜଣାପଡିଛି  । ବିଏମସି ଅନେକ ହୋଟେଲରୁ ୨,୦୦୦ଟଙ୍କା ଜରିମାନା ମଧ୍ୟ ଆଦାୟ କରିଛି । ହୋଟେଲଗୁଡ଼ିକୁ ନିଦେ୍ର୍ଦଶାବଳୀ ପାଳନ କରିବାକୁ କଡ଼ାକଡ଼ି ତାଗିଦ କରାଯାଇଛି । ଏବେଠାରୁ, ହୋଟେଲଗୁଡ଼ିକରେ ନିୟମିତ ଯାଞ୍ଚ କରାଯିବ । ଜୁନ୍ ୧୬ ତାରିଖରେ ୧୦,୦୦୦ ଟଙ୍କାରୁ ଅଧିକ ଜରିମାନା ଆଦାୟ କରାଯାଇଛି । ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଅପରପକ୍ଷେ ସହରର ବିଭିନ୍ନ ସ୍ଥାନରେ ବିଏମ୍ ସି ଖାଦ୍ୟ ସୁରକ୍ଷା ଟିମ୍ ପକ୍ଷରୁ ଚଢାଉ ଜାରି ରହିଛି  । ଅଧିକୃତ ପଦାଧିକାରୀ ଖାଦ୍ୟ ସୁରକ୍ଷାଙ୍କ ନେତୃତ୍ୱରେ ୩ଟି ଟିମ୍ ବିଭିନ୍ନ ଅଂଚଳରେ ଚଢାଉ କରି ଖାଦ୍ୟ ଯାଞ୍ଚ କରିଥିଲେ  । ସମୁଦାୟ ୧୯ଟି ନମୂନା ସଂଗ୍ରହ କରାଯାଇଛି  । ୩ଟି ହୋଟେଲକୁ ସିଲ୍ କରାଯାଇଥିବା ବେଳେ ୫ଟି ହୋଟେଲରୁ ୧୨ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି  । ଖାଦ୍ୟ ଯାଞ୍ଚ ପ୍ରକ୍ରିୟା ଜାରି ରହିବ ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି  ।