ରାଜଧାନୀରେ ଜଳ ନିଷ୍କାସନ ଚିନ୍ତା


ଫୋକସ୍‌ରେ ୧୧ ସ୍ଥାନ
ଭୁବନେଶ୍ୱର : ଆଗକୁ ଆସୁଛି ମୌସୁମୀ । ଦି ଅସରା ଜୋରଦାର ବର୍ଷା ହୋଇଗଲେ ରାଜଧାନୀର ଇସ୍କନ ମନ୍ଦିର ରାସ୍ତା, କଟକ ରୋଡ, ସମ ହସ୍ପିଟାଲ ନିକଟସ୍ଥ ଆୟୁର୍ବେଦିକ ମେଡିକାଲ କଲେଜ ସମ୍ମୁଖ ରାସ୍ତା, ଅହଲ୍ୟା ନଗର, ମହିଳା ସିଟି କଲେଜ, ଏମ୍ସ ଅଞ୍ଚଳ,  ଭଗବାନପୁର, ଫରେଷ୍ଟ ପାର୍କ, ଲକ୍ଷ୍ମୀସାଗର, ନହରକଣ୍ଟା, ରୁଦ୍ରପୁର ଆଦି ଅଞ୍ଚଳ ଜଳବନ୍ଦୀ ହୋଇଯାଏ । ଡ୍ରେନେଜ୍‌ ଜାମ୍‌ ହୋଇଯିବା ସହ ରାସ୍ତାରେ ପାଣି ଲହରୀ ଭାଙ୍ଗେ । ଏହିସବୁ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ୩ ଶହ କୋଟିର ବ୍ୟୟ ଅଟକଳ ହୋଇଥିବାବେଳେ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ବର୍ଷା ହେଲେ ଭୁବନେଶ୍ୱର ସହରର ବିଭିନ୍ନ ଅଞ୍ଚଳରେ ଦେଖାଦେଉଥିବା ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମୀକ୍ଷା କରିଛନ୍ତି । ଆଗାମୀ ବର୍ଷା ଦିନ ପୂର୍ବରୁ ଅଗ୍ରାଧିକାର ଭିତ୍ତିରେ ବିଭିନ୍ନ ଅଞ୍ଚଳରେ ରହୁଥିବା ଜଳ ନିଷ୍କାସନ ସମସ୍ୟା ପ୍ରତି ତ୍ୱରିତ ପଦକ୍ଷେପ ନେଇ କାର୍ଯ୍ୟ ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।  

  • ଡ୍ରେନେଜ୍‌ ପାଇଁ ୩ ଶହ କୋଟି
  • ୮ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ବୈଠକରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ବିଡ଼ିଏ କମିଶନର ରାଜେଶ ପ୍ରଭାକର ପାଟିଲ, ବିଡ଼ିଏ ଉପାଧ୍ୟକ୍ଷ ଡଃ. ଏନ୍‌. ଥିରୁମାଳା ନାୟକ, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ସହରରେ ଅଧିକ ବର୍ଷା ହେଲେ, ଯେଉଁ ଯେଉଁ ଅଞ୍ଚଳରେ ବର୍ଷା ଜଳ ନିଷ୍କାସନରେ ସମସ୍ୟା ଉପୁଜୁଛି ତାହାକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରିବାକୁ କୁହାଯାଇଛି । ବିଏମସି କମିଶନର ସହରରେ ଥିବା ଡ୍ରେନେଜ ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ସହରରେ ୭୭ କିମି ବିଶିଷ୍ଟ ୧୫ଟି ମୁଖ୍ୟ ପ୍ରାକୃତିକ ଡ୍ରେନେଜ୍‌ ଥିବା ବେଳେ ବିଏମସି ଅଞ୍ଚଳରେ ବିସ୍ତୃତ ଭାବେ ୧୮୩୯ କିମି ଇଣ୍ଟରନାଲ ଡ୍ରେନ୍‌ ରହିଛି । ସେଥିମଧ୍ୟରୁ ବିଏମସି  ଅଧିନରେ ୧୩୮୦ କିମି, ପୂର୍ତ୍ତ ବିଭାଗ ଅଧିନରେ ୩୬୦ କିମି, ଇଡ୍‌କୋ ଅଧିନରେ ୬୫ କିମି ଏବଂ ଜାତୀୟ ରାଜପଥ ଅନ୍ତର୍ଗତ ୩୪.୪୩ କିମି ଡ୍ରେନେଜ୍‌ ରହିଛି । ବିଭିନ୍ନ କାରଣରୁ ସହରରେ ଅତ୍ୟଧିକ ବର୍ଷା ହେଲେ ଇସ୍କନ ମନ୍ଦିର ରାସ୍ତା, କଟକ ରୋଡ, ସମ ହସ୍ପିଟାଲ ନିକଟସ୍ଥ ଆୟୁର୍ବେଦିକ ମେଡିକାଲ କଲେଜ ସମ୍ମୁଖ ରାସ୍ତା, ଅହଲ୍ୟା ନଗର,  ମହିଳା  ସିଟି କଲେଜ, ଏମ୍ସ ଅଞ୍ଚଳ,  ଭଗବାନପୁର, ଫରେଷ୍ଟ ପାର୍କ, ଲକ୍ଷ୍ମୀସାଗର, ନହରକଣ୍ଟା, ରୁଦ୍ରପୁର ଅଞ୍ଚଳ ଆଦିରେ ବେଶୀ ଜଳ ନିଷ୍କାସନ ସମସ୍ୟା ରହୁଛି । ଏସବୁ ଅଞ୍ଚଳରେ ଡ୍ରେନେଜ୍‌ ସମସ୍ୟାର ସମାଧାନ ପାଇଁ ଏନଡ଼ିଆରଏଫ, ଏସଡ଼ିଆରଏଫ, ରାଜ୍ୟ ପାଣ୍ଠି ଆଦିରୁ ଭିନ୍ନ ଭିନ୍ନ ନିର୍ମାଣ ଓ ମରାମତି କାର୍ଯ୍ୟ ପାଇଁ ଖର୍ଚ୍ଚ ନିମନ୍ତେ ପଦକ୍ଷେପ ନିଆଯାଇଛି । ଏଥିପାଇଁ ପ୍ରାୟ ୩ ଶହ କୋଟି ବ୍ୟୟ ଆକଳନ କରାଯାଇଥିବା ବେଳେ କେଉଁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ, କେଉଁ କାର୍ଯ୍ୟ ଅଧିକ ଦିନ ଲାଗିବ, ସେ ସମ୍ପର୍କରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।