ଅନାହାରରେ ବିଶ୍ୱର ୩୦ କୋଟି  

ଅନାହାରରେ ବିଶ୍ୱର ୩୦ କୋଟି  

ନୂଆଦିଲ୍ଲୀ : ମଣିଷ ଚନ୍ଦ୍ରରେ ପାଦ ଥାପିଲାଣି । ଆଜିର ଅତ୍ୟାଧୁନିକ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟା ବିଭିନ୍ନ ଦେଶର ବିକାଶ ସମୂହକୁ ଶୀର୍ଷରୁ ଶୀର୍ଷତମ ଶୃଙ୍ଗରେ ପହଞ୍ଚାଇଛି । ଛୁଞ୍ôଚଠୁ ଆରମ୍ଭ କରି ଏରୋପ୍ଲେନ୍‌ ପ୍ରସ୍ତୁତି ପର୍ଯ୍ୟନ୍ତ ସବୁଥିରେ ବ୍ୟବହୃତ ହେଉଛି କୃତ୍ରିମ ବୁଦ୍ଧିମତା । ଆଉ ଏଥିରେ ପ୍ରମୁଖ ସହଯୋଗ କରୁଛି ଦେଶର ଅର୍ଥନୀତି । ଆଉ ଅର୍ଥନୀତିର ମୂଳ ଏବଂ ମୁଖ୍ୟ ସ୍ରୋତ ହେଉଛି କୃଷି । କିନ୍ତୁ ଯଦି ଘର ଢିଙ୍କି କୁମ୍ଭୀର ଭଳି ଜଳବାୟୁ ପରିବର୍ତ୍ତନ କୃଷି ଉପରେ ପ୍ରଭାବ ପକାଏ ତେବେ ସେଇ ଦେଶ ଦ୍ରାରିଦ୍ର୍ୟ ଆଡ଼କୁ ମୁହାଁଇବା ନିଃସନ୍ଦେହ । ଏହିପରି ଭାବେ ଗତ ବର୍ଷ ଅର୍ଥାତ ୨୦୨୩-୨୪ରେ ବିଶ୍ୱର ୨୯୫.୩ ନିୟୁତ ଲୋକ ଖାଦ୍ୟ ସଙ୍କଟରେ ଛଟପଟ ହୋଇଛନ୍ତି । ବିଶ୍ୱର ଏତେ ସଂଖ୍ୟକ ଲୋକ କେବଳ ଖାଦ୍ୟ ଅଭାବ ଦାଉରୁ ଅନାହାରରେ ଜୀବନ କାଟିଛନ୍ତି । ଜାତିସଂଘ ସମର୍ଥିତ ଗ୍ଲୋବାଲ ରିପୋର୍ଟ ଅନ୍‌ ଫୁଡ୍‌ କ୍ରାଇସିସି୍‌ ରିପୋର୍ଟ କରିଥିବା ଏକ ଅନୁଶୀଳନରୁ ଏହା ସ୍ପଷ୍ଟ ହୋଇଛି । 

  • ଖାଦ୍ୟ ସଙ୍କଟ, ପଡେ଼ାଶୀ ଛଟପଟ
  • ପାକ୍‌ ଓ ବାଂଲାଦେଶରେ ସ୍ଥିତି ଉତ୍କଟ

ବିଶ୍ୱର ୬୫ ଦେଶକୁ ନେଇ ସର୍ଭେ କରିଥିବା ଏହି ରିପୋର୍ଟ ଅନୁସାରେ ଏହାର ଏକ ଚତୁର୍ଥାଂଶ ଅର୍ଥାତ୍‌ ୬୫ରୁ ୫୩ ରାଷ୍ଟ୍ର ଏଭଳି ଘୋର ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଛନ୍ତି । ୨୦୨୩ରେ ମଧ୍ୟ ଏହି ଏଲ୍‌ନିନୋ ପ୍ରଭାବରୁ ୨୮୧.୬ ନିୟୁତ ଲୋକ ଘୋର ଖାଦ୍ୟ ସଙ୍କଟରେ ଯୁଝିଛନ୍ତି । କେବଳ ଜଳବାୟୁ ପରିବର୍ତ୍ତନ ଗୋଟିଏ କାରଣ ନୁହେଁ ମଧ୍ୟପ୍ରାଚ୍ୟ ଏବଂ ଏସୀୟ ରାଷ୍ଟ୍ରରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ମଧ୍ୟ ଏହାର ଅନ୍ୟଏକ କାରଣ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏସୀୟ ଦେଶଗୁଡ଼ିକରେ ଦେଖିବାକୁ ଗଲେ ଭାରତ ସହିତ ପଡେ଼ାଶୀ ରାଷ୍ଟ୍ରଗୁଡ଼ିକର ସମ୍ପର୍କ ସାମାନ୍ୟ ଭଲ ଥିବା ବେଳେ ସର୍ବଦା ଶତ୍ରୁ ଦେଶ ବୋଲାଉଥିବା ପାକିସ୍ତାନ୍‌ ମଧ୍ୟ ଏହି ଖାଦ୍ୟସଙ୍କଟ ଚକ୍ରବ୍ୟୁହରେ ଫସିଛି । ଖାଲି ପାକିସ୍ତାନ କାହିଁକି ଏହାସହ ଭାରତର ପଡେ଼ାଶୀ ବାଂଲାଦେଶ, ମିଅାଁମାର ଓ ଆଫଗାନୀସ୍ତାନ ଆଦି ରାଷ୍ଟ୍ରଗୁଡ଼ିକ ମଧ୍ୟ ୨୦୨୪ରେ ଘୋର ଖାଦ୍ୟସଙ୍କଟ ଦେଇ ଗତିକରିଛନ୍ତି । ଭାରତ ସହିତ ଶତ୍ରୁତା ବଜାୟ ରଖିଥିବା ପାକିସ୍ତାନ୍‌ ସହ ପୂର୍ବରୁ ସାମାନ୍ୟ କେତେକ କାରବାର ଉପରେ ଅଙ୍କୁଶ ଲଗାଯାଇଥିବା ବେଳେ ଏବେ ପହେଲଗାମ ଆକ୍ରମଣ ପରଠାରୁ ପାକ୍‌ ସହ ସମସ୍ତ ବାଣିଜ୍ୟ ସମ୍ପର୍କ ଛିନ୍ନ ହୋଇଛି । ଏହାସହ ସିନ୍ଧୁନଦୀରୁ ୮୦ ପ୍ରତିଶତ ଜଳ ପାଉଥିବା ପାକିସ୍ତାନ୍‌ ଏବେ ସିନ୍ଧୁ ଚୁକ୍ତି ରଦ୍ଦ ଯୋଗୁ ଆହୁରି ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବ ବୋଲି ବୈଦେଶିକ ବ୍ୟାପାର ବିଶେଷଜ୍ଞମାନେ କହୁଛନ୍ତି । କେବଳ ଭାରତ ନୁହେଁ ସେପଟେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତିଯୋଗୁ ବହୁ ବିତ୍ତଶାଳୀ ଦେଶ ଗୁଡ଼ିକ ଅନ୍ୟଦେଶକୁ ଯୋଗାଣ କରୁଥିବା ପାଣ୍ଠି ରଦ୍ଦ କରିବାରୁ ସେଠାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି । ଯେପରିକି ଗାଜା-ଇସ୍ରାଏଲ୍‌ ଯୁଦ୍ଧ, ରୁଷ-ୟୁକ୍ରେନ୍‌ ଯୁଦ୍ଧ, ଆମେରିକାର ସିରିଆ ଓ ଇରାନ୍‌କୁ ନାଲିଆଖି ଦେଖାଇବା ଆଦି ପରିସ୍ଥିତି ସେଇ ଦେଶଗୁଡ଼ିକୁ ଆହୁରି ତଳିତଳାନ୍ତ କରିଦେଇଛି । ଆମେରିକା ରୁଷ୍‌ ଭଳି ବହୁ ବିକାଶଶୀଳ ଦେଶମାନେ ଦାରିଦ୍ର୍ୟ ସ୍ଥିତି ଭୋଗୁଥିବା ଦେଶକୁ ସହାନୁଭୂତି ସ୍ୱରୂପ ଅନୁକମ୍ପା ରାଶି ପ୍ରଦାନ କରୁଥିବା ବେଳେ ଯୁଦ୍ଧ ପରିସ୍ଥିତି ଯୋଗୁ ସେସବୁ ବନ୍ଦ ହୋଇଯିବା ଖାଦ୍ୟ ସଙ୍କଟର ଆଉ ଏକ ମୁଖ୍ୟ କାରଣ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ଏହି ସଂଖ୍ୟା ୨୮୧.୬ ନିୟୁତ ନିୟୁତ ଲୋକଙ୍କୁ ଅତିକ୍ରମ କରିବ ବୋଲି ସ୍ଥିର କରାଯାଇଥିଲା ଏବଂ ପ୍ରାୟ ୨୦ ଲକ୍ଷ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହେବେ ବୋଲି ସ୍ଥିର କରାଯାଇଥିଲା । ଗାଜାର ଏକ ବୃହତମ ଜନସଂଖ୍ୟା ଏହାର ଅନ୍ତର୍ଭୁକ୍ତ  । ରିପୋର୍ଟରେ କୁହାଯାଇଛି ଯେ ୨୦ଟି ଦେଶ ଏବଂ ଅଞ୍ଚଳରେ ସଂଘର୍ଷ ଏବଂ ହିଂସା କ୍ଷୁଧାର ମୁଖ୍ୟ କାରଣ । ସେହି ସମୟରେ, ୧୮ଟି ଦେଶରେ ଖରାପ ପାଗ ଏବଂ ୧୫ଟି ଦେଶରେ ଆର୍ଥିକ ସଙ୍କଟ ଦୁର୍ଭିକ୍ଷ ଭଳି ପରିସ୍ଥିତି ପାଇଁ ଦାୟୀ । ରିପୋର୍ଟରେ ଏହା ମଧ୍ୟ ଚେତାବନୀ ଦିଆଯାଇଛି ଯେ ୨୦୨୫ ପାଇଁ ଭବିଷ୍ୟତ ଦୁଃଖଦାୟକ । କାରଣ ଅନେକ ସଂଗଠନ ଏବଂ ଦେଶ ସେମାନଙ୍କର ସହାୟତା ପ୍ରତ୍ୟାହାର କରିନେଇଛନ୍ତି । ରିପୋର୍ଟରେ, ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ କେବଳ ପ୍ରଶାସନିକ ତ୍ରୁଟିକୁ ହିଁ ଦାୟୀ କରିଛନ୍ତି । ଏକବିଂଶ ଶତାବ୍ଦୀରେ କ୍ଷୁଧା ସହ୍ୟ କରାଯାଇପାରିବ ନାହିଁ ଓ ଖାଲି ପେଟର ଜବାବ ଦେଇ ହେବ ନାହିଁ । ଆଉ ଏହି ଦୁର୍ଭିକ୍ଷ କାରଣ ମାନବତାର ବିଫଳ ବୋଲି ସେ କହିଛନ୍ତି ।