ରାଜଧାନୀରେ ହାଇପ୍ରୋଫାଇଲ ଠକ; ପି.କେ ମିଶ୍ରଙ୍କ ଝିଅ-ଜ୍ୱାଇଁ କହି ଠକୁଥିଲେ; ବାନ୍ଧିଲା ପୁଲିସ
ଭୁବନେଶ୍ୱର, ୩୦ା୧୨ : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ରଙ୍କ ଝିଅ-ଜ୍ୱାଇଁ କହି କୋଟି କୋଟି ଟଙ୍କା ଠକୁଥିବା ଦୁଇ ହାଇପ୍ରୋଫାଇଲ ଠକଙ୍କୁ ବାନ୍ଧିଛି କମିଶନରେଟ୍ ପୁଲିସ । ଏନେଇ ଗତ ୨୬ ତାରିଖ ଦିନ ଇନଫୋସିଟି ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଏନେଇ ପୁଲିସ ୬୧୧/୨୪ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇ ରବିବାର ଦିନ ତଥା ୨୯ ତାରିଖ ଦିନ ଦୁଇ ଅଭିଯୁକ୍ତ ହଂସିତା ଅଭିଲିପ୍ସା ଓ ଅନୀଲ କୁମାର ମହାନ୍ତିଙ୍କୁ ଗିରଫ କରି ଦଫା ୩୨୯(୩)/୩୧୯(୨)/୩୧୮(୪)/୩(୫) ବିଏନଏସ୍ରେ କୋର୍ଟ ଚାଲାଣ କରିଛି । ଏନେଇ ସୋମବାର ଦିନ କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏମାନେ ବଡ଼ବଡ଼ ବିଲଡ଼ର, ଖଣି ବ୍ୟବସାୟୀ ଓ ଧନୀ ଶ୍ରେଣୀର ଲୋକଙ୍କୁ ଟାର୍ଗାଟ କରିବା ସହ କାହାକୁ ଟେଣ୍ଡର କରାଇ ଦେବାକୁ କହି ତାରକା ହୋଟେଲକୁ ଡାକୁଥିଲେ ତ ଆଉ କାହାକୁ କର୍ପୋରେଟ୍ ସେକ୍ଟରରେ ଅଟକି ରହିଥିବା ବିଲକୁ କରାଇଦେବା ବାହାନାରେ ନିଜ ଅଫିସକୁ ଡାକି କୋଟି କୋଟି ଟଙ୍କା ଠକେଇ କରିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ବାସିନ୍ଦା ହେଉଛନ୍ତି ଅଭିଯୁକ୍ତ ଅନୀଲ କୁମାର ମହାନ୍ତି । ସେ ପେସାରେ ଜଣେ ବ୍ୟବସାୟୀ ଅଟନ୍ତି । ତାଙ୍କ ନାଁରେ ଦୁଇଟି କମ୍ପାନୀ ରେଜିଷ୍ଟ୍ରେସନ୍ କରି ପଟିଆ ଅଞ୍ଚଳରେ ତାଙ୍କର ରହିଛି ଅଫିସ । ଚର୍ଚ୍ଚା ହେଉଛି ତାଙ୍କର ନକଲି ବାନ୍ଧବୀ ହେଉଛନ୍ତି କନ୍ଧମାଳ ଜିଲ୍ଲାର ହଂସିତା ଅଭିଲିପ୍ସା । ସେ ଭୁବନେଶ୍ୱରରେ ଦୀର୍ଘ ଦିନ ଧରି ରହିଆସୁଛନ୍ତି । ଏଠାରେ ରହି ବଡ଼ବଡ଼ ବିଲଡ଼ର, ବ୍ୟବସାୟୀ ଓ ଧନୀ ଲୋକଙ୍କ ମାନଙ୍କୁ ଟାର୍ଗେଟ କରି ଉଭୟ ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ରଙ୍କ ଝିଅ ଓ ଜ୍ୱାଇଁ ବୋଲି ପରିଚୟ ଦେଉଥିଲେ । ଖାଲି ସେତିକି ନୁହେଁ, ଓଡିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୂର୍ବତନ ସିଏଜି ଗିରୀଷ ମୁର୍ମୁଙ୍କ ପରି ବଡବଡିଆଙ୍କ ସହିତ ନିଜ ଫଟୋ ଏଡିଟ୍ କରି ଦେଖାଇ ଠକୁଥିଲେ । କାହାକୁ ଟେଣ୍ଡର କରାଇ ଦେବାକୁ କହି ଡାକୁଥିଲେ ତ ଆଉ କାହାକୁ କର୍ପୋରେଟ୍ ସେକ୍ଟରରେ ଅଟକି ରହିଥିବା କାମ କରାଇଦେବା ବାହାନାରେ ନିଜ ଅଫିସକୁ ଡାକୁଥିଲେ ଅନୀଲ ଓ ଅଭିଲିପ୍ସା । ତା’ପରେ ସେଠାରେ ମୂଲଚାଲ୍ ହେଉଥିଲେ । ଡିଲ୍ ଫାଇନାଲ୍ ହେବା ପରେ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକୁଥିବା ଏନେଇ ଇନଫୋସିଟି ଥାନାରେ ଗତ ୨୬ ତାରିଖ ଦିନ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୋଗ ଉପରୁ ପରଦା ହଟାଇଛି ଇନଫୋସିଟି ଥାନା ପୁଲିସ । ଜଣାପଡ଼ିଥିଲା ଅଭିଯୁକ୍ତ ଅଭିଲିପ୍ସା ଓ ଅନୀଲ୍ ପ୍ରକୃତରେ ପି.କେ ମିଶ୍ରଙ୍କ ଝିଅ ଓ ଜ୍ୱାଇଁ ନୁହଁନ୍ତି । ଏପରିକି ଉଭୟ ସ୍ୱାମୀ-ସ୍ତ୍ରୀ ମଧ୍ୟ ନୁହେଁ ବୋଲି ସ୍ପଷ୍ଟ ହୋଇଛି । ଏହାପରେ ଇନଫୋସିଟି ଥାନା ପୁଲିସ ଅଭିଯୁକ୍ତ ବଣ୍ଟି ବବଲି ତଥା ଅଭିଯୁକ୍ତ ଅନୀଲ ଓ ଅଭିଲିପ୍ସାଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି । ତେବେ ସେମାନେ କେତେ ଟଙ୍କା ଠକିଛନ୍ତି, ତାହା ଜଣାପଡି ନାହିଁ । ଏବେ ତାହା ଉପରେ କମିସନରେଟ୍ ପୁଲିସ ତଦନ୍ତ ଚଳାଇଛି । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ସ୍ୱରାଜ ଦେବତା ।