ହଷ୍ଟେଲରୁ ଫୁଡ ବ୍ଲଗର୍ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଥାନାରେ ହତ୍ୟା ଅଭିଯୋଗ ଆଣିଲେ ପରିବାର
ଭୁବନେଶ୍ୱର, ୩୦ା୧୨ : ହଷ୍ଟେଲରୁ ମିଳିଲା ଫୁଡ ବ୍ଲଗର୍ଙ୍କ ଝୁଲନ୍ତା ମୃତଦେହ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ପଟିଆ ଅଞ୍ଚଳରେ । ମୃତ ଯୁବତୀ ଜଣକ ହେଲେ ସୋନାଲି ସଂଘମିତ୍ର ପରିଡା । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ସୋନାଲି ପ୍ରାୟ ୩ ବର୍ଷ ହେବ ଇନଫୋସିଟି ଥାନା ପଟିଆ ଆଦର୍ଶ ବିହାର ଲେନ୍-୨ସ୍ଥିତ ଏକ ହଷ୍ଟେଲରେ ରହୁଥିଲେ । ଗତକାଲି ତଥା ରବିବାର ଦିନ ପରିବାର ଲୋକେ ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ ବି ସେ ଆଉ ଫୋନ୍ ଉଠାଇ ନଥିଲେ । ଏହାପରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଫୋନ୍ କରିବାରୁ ଝିଅ ଗୁରୁତର ଥିବା କହିଥିଲେ । ମାତ୍ର ପରିବାର ଲୋକେ ପହଞ୍ଚି ଝିଅର ମୃତଦେହ ହଷ୍ଟେଲର ଶୌଚାଳୟରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ । ତେବେ ସୋନାଲି ଜଣେ ଖୁସି ମିଜାଜର ଝିଅ ହୋଇଥିବାରୁ ସେ ଆତ୍ମହତ୍ୟା କରିବା ସମ୍ଭବ ନୁହେଁ ବୋଲି ପରିବାର ଲୋକେ କହିଛନ୍ତି । ଖବର ପାଇ ଇନଫୋସିଟି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଥ୍ୟ, ପ୍ରମାଣ ସଂଗ୍ରହ କରିଛି । ଅନ୍ୟପଟେ ପରିବାର ଲୋକେ ଝିଅ ସୋନାଲିର ମୃତୁ୍ୟକୁ ସହଜେ ଗ୍ରହଣ କରି ପାରୁ ନଥିବା ବେଳେ ଏହା ପଛରେ ହତ୍ୟା ଷଡଯନ୍ତ୍ର ଥିବା ଥାନାରେ ଅଭିଯୋଗ ଆଣିଛନ୍ତି । ସୋନାଲି ସଂଘମିତ୍ରା ପରିଡାଙ୍କ ଘର କେନ୍ଦ୍ରାପଡା ଜିଲ୍ଲାରେ ହୋଇଥିବା ବେଳେ, ସେ ଭୁବନେଶ୍ୱରର ଏକ ବିଲଡର ସଂସ୍ଥାରେ ପ୍ରାୟ ୨ବର୍ଷ ହେବ କାମ କରୁଥିଲେ । ଏଥିସହ ସେ ଜଣେ ଫୁଡ୍ ବ୍ଲଗର ଭାବେ ସୋଶାଲ ମିଡିଆରେ ବେଶ୍ ଜଣାଶୁଣା ରହିଥିଲେ । ସେ ସୋଶାଲ ମିଡିଆରେ ଖୁବ୍ ଆକ୍ଟିଭ ଥିବା ବେଳେ ନିୟମିତ ଭାବେ ଭିଡିଓ ପୋଷ୍ଟ କରୁଥିଲେ । ସୋନାଲି ନିଜେ ଭଲ ରୋଜଗାର କରୁଥିବା ବେଳେ, ପରିବାର ତରଫରୁ ମଧ୍ୟ ତାଙ୍କ ଉପରେ କୌଣସି ଚାପ ପଡ଼ିନଥିଲା । ସେ ସବୁବେଳେ ହସଖୁସିରେ ରହୁଥିବା ବେଳେ ତାଙ୍କର ଏପରି ଅଚାନକ ମୃତୁ୍ୟ ପରିବାର ଲୋକଙ୍କୁ ଶକ୍ତ ଧକ୍କା ଦେଇଛି ।