ତମାଣ୍ଡୋ ଅଞ୍ଚଳରେ ଡ଼କାୟତି ଯୋଜନା ପଣ୍ଡ

୫ ଅଭିଯୁକ୍ତ ଗିରଫ; ମରଣାସ୍ତ୍ରୀ, ୨ଟି କାର ଓ ମୋବାଇଲ ଜବତ
ଭୁବନେଶ୍ୱର, ୧୫ା୧୧ : ପୁଲିସ ଡାଳେ ଡାଳେ ଅପରାଧୀ ପତରେ ପତରେ । ବେଫିକର ଅପରାଧୀ ଓ ନିଶା ବେପାରୀ । ଗଳିକନ୍ଦିରେ ଲୁଟେରା ହେଲେ ସହରର ଟ୍ରାଫିକ ଛକରେ ପୁଲିସ । ଏଭଳିକି ସହରରେ ଲାଗିଥିବା ବିଭିନ୍ନ ସିସିଟିଭି କ୍ୟାମେରା ମଧ୍ୟ କାମ ଦେଉନାହିଁ । ଯାହାଦ୍ୱାରା ଅପରାଧୀ କ୍ୟାମେରାର ଗତିବିଧିକୁ ନଜର କରି ରାଜଧାନୀରେ ଘଟାଉଛନ୍ତି ଅପରାଧ । କିଛି ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ମଧ୍ୟ ଜଳୁନାହିଁ । ଯାହାର ଫାଇଦା ଉଠାଉଛନ୍ତି ଜେଲ ଫେରନ୍ତା ଲୁଟେରା ଓ ଅସମାଜିକ ଯୁବକ । ଅନ୍ଧାର ଦେଖି କରୁଛନ୍ତି ଲୁଟ୍, ଛିନତାଇ, ଡକାୟତି ଯୋଜାନା । ପ୍ରାୟଦିନ ପରି ଗତକାଲି ବିଳମ୍ବିତ ରାତିରେ ତମାଣ୍ଡୋ ଥାନା ଅଞ୍ଚଳରେ ଥିବା ଏକ ଖେଳ ପଡ଼ିଆରେ କିଛି ଡକାୟତ ତମାଣ୍ଡୋ ଅଞ୍ଚଳରେ ଡକାୟତି କରିବାକୁ ଯୋଜନା ଚଳାଇଥିବା ବେଳେ ଯୋଜନାକୁ ପଣ୍ଡ କରିଛି ପୁଲିସ । ଘଟଣା ସ୍ଥଳରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ୪ ଜଣ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଫଳରେ ସେମାନଙ୍କ ଠାରୁ ୨ଟି କାର, ଖଣ୍ଡା, ଭୁଜାଲି, ଛୁରୀ, ଲଙ୍କାଗୁଣ୍ଡ ଓ ମଦ ବୋତଲ ଜବତ କରାଯାଇଛି । ଗିରଫ ୫ ଅଭିଯୁକ୍ତ ହେଲେ, ଜଟଣୀର ଇସ୍କ୍ ମହମ୍ମଦ, ଏସକେ କାରିମୁଲା, ଉଜିର୍ ଖାଁନ୍, ମିର୍ ଆସିକ୍ ଓ ରଘୁନାଥ ସେଠି । ପୁଲିସ ମାମଲା ରୁଜୁକରି ଆଜି ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ଯୋଗ୍ୟଯେ, ଗୁରୁବାର ବିଳମ୍ବିତ ରାତିରେ ତମାଣ୍ଡୋ ଶୁବୁଦ୍ଧିପୁର କ୍ରିକେଟ ପଡ଼ିଆରେ ୨ଟି କାର ସହ ୭ରୁ ୮ ଜଣ ଏକତ୍ରୀତ ହୋଇ ସ୍ଥାନୀୟ ଅଞ୍ଚଳରେ ବଡ଼ଧରଣର ଡକାୟତି କରିବାକୁ ଯୋଜନା ରଚୁଥିଲେ । ଏହି ସମୟରେ ତମାଣ୍ଡୋ ଥାନାଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଥାନାର ଏକ ସ୍ପେଶାଲ ଟିମ ନିଜ ଅଞ୍ଚଳରେ ପାଟ୍ରୋଲିଂ ଚଳାଉଥିବା ସମୟରେ ଏହି ଖବର ବିଶ୍ୱସ୍ତ ସୁତ୍ରରୁ ଜାଣିବାକୁ ପାଇଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ଥାନାର ୨ଟି ଟିମ ଅଚାନକ କ୍ରିକେଟ୍ ପଡ଼ିଆରେ ଦୁଇ ପଟରୁ ଚଢ଼ାଉ କରି ୫ ଜଣ ଡକାୟତଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ହେଲେ ପୁଲିସ ହାତରୁ ବାକି ୩ ଜଣ ଫେରାର ହେବାରେ ସଫଳ ହୋଇଥିଲେ । ଫଳରେ ପୁଲିସ ଘଟଣା ସ୍ଥଳରୁ ୨ଟି କାର, ମାରଣାସ୍ତ୍ର, ଲଙ୍କାଗୁଣ୍ଡ, ମୋବାଇଲ ଜବତ କରାଯାଇଛି । ଆଜି ସମସ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅନ୍ୟପଟେ ବାକି ଫେରାର ରହିଥିବା ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ଚଢ଼ାଉ ଜାରି ରଖିଛି ।