ରାଜେନ୍ଦ୍ରଙ୍କ ସ୍ମୃତି ସଭାରେ ମୁଖ୍ୟମନ୍ତ୍ରୀ ; ଢୋଲକିଆଙ୍କ ରାଜନୈତିକ ଶତ୍ରୁ ନଥିଲେ : ମୋହନ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ନୂଆପଡାର ପୂର୍ବତନ ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦାନ କରିଛନ୍ତି । ସ୍ୱର୍ଗତ ବିଧାୟକଙ୍କ ସ୍ମୃତିଚାରଣ କରି ସେ କହିଲେଯେ, ସେ ତାଙ୍କର ଜଣେ ଉତ୍ତମ ବନ୍ଧୁଥିଲେ । ସ୍ୱର୍ଗତ ଢୋଲକିଆଙ୍କ ରାଜନୈତିକ ପ୍ରତିଦ୍ୱନ୍ଦୀ ଥାଇପାରନ୍ତି କିନ୍ତୁ ତାଙ୍କର କେହି ରାଜନୈତିକ ଶତ୍ରୁ ନଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ୨୦୦୪ରୁ ୪ ଥର ବିଧାୟକ ହୋଇଥିବା ସେହି ଲୋକପ୍ରିୟ ନେତା ଥରେ ମନ୍ତ୍ରୀ ପଦରେ ଅଭିଷିକ୍ତ ହୋଇ ନୂଆପଡା ତଥା ସମଗ୍ର ରାଜ୍ୟର ବିକାଶ ଓ ପରିବର୍ତ୍ତନରେ ଅମୂଲ୍ୟ ଯୋଗଦାନ ଦେଇଥିଲେ । ତାଙ୍କର ବିୟୋଗରେ ନୂଆପଡା ଜିଲ୍ଲା ତଥା ଓଡ଼ିଶା ଜଣେ ସୁଦକ୍ଷ ଦରଦୀ ରାଜନେତାଙ୍କୁ ହରାଇଲା ବୋଲି ସେ କହିଥିଲେ । ଏହାସହିତ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଧାୟକଙ୍କ ପତ୍ନୀ କଳ୍ପନା ଢୋଲକିଆ ଓ ପୁତ୍ର ଜୟଙ୍କୁ ଭେଟି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ତାଙ୍କ ବାସ ଗୃହ ପରିଦର୍ଶନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ଠାରୁ ଆପତ୍ତି ଅଭିଯୋଗ ସମ୍ବଳିତ ଦରଖାସ୍ତ ମଧ୍ୟ ଗ୍ରହଣ କରିଥିଲେ । ସ୍ଥାନୀୟ ଗୋଟମା ଏୟାର ଷ୍ଟ୍ରିପରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମୃତ ପାଲ ସିଂ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ବିଜେପି ଜିଲ୍ଲା ସଭାପତି କମଳେଶ ଦିକ୍ଷିତ ତଥା ବରିଷ୍ଠ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଗଣମାଧ୍ୟମ ଆଗରେ ନିଜର ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଲେଯେ, ନୂଆପଡ଼ା ଜିଲ୍ଲା ଭୁବନେଶ୍ୱରରୁ ବହୁ ଦୂରରେ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍ରେ ରହିଛି । ତେଣୁ ଜିଲ୍ଲାକୁ ବାରମ୍ବାର ଆସି ଏହାର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଚେଷ୍ଟା କରିବେ ବୋଲି କହିଥିଲେ ।