ପାର୍ବଣକୁ ଫିକା କରିଦେବ ଲଘୁଚାପ

ଭୁବନେଶ୍ୱର : ପାର୍ବଣକୁ ଫିକା କରିଦେବ ଲଘୁଚାପ । ଏହାର ପ୍ରଭାବରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତାକାଲି ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ସେପଟେ ୨୫ରେ ପୂର୍ବ କେନ୍ଦ୍ରୀୟ ଓ ତତସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଯାହାକି ଅବପାତର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
- ୨୫ରେ ଲଘୁଚାପ, ୨୬ରେ ଅବପାତ
- ଆଜି ବି ବଙ୍ଗୋପସାଗରରେ ଲଘୁଚାପ
- ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ସେପ୍ଟେମ୍ବର ୨୫ରେ ସୃଷ୍ଟ ଲଘୁଚାପ ୨୬ ବେଳକୁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରୁ ଉତ୍ତର ପଶ୍ଚିମ ଏବଂ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ୨୭ ବେଳକୁ ତାକୁ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଛି । ସେହି ସମୟରେ ପୂଜା ମାହୋଲ ଜମି ଆସୁଥିବ । ଫଳରେ ପାର୍ବଣ ଫିକା ପଡ଼ିଯିବ ବୋଲି ଆଶଙ୍କା କରାଯାଉଛି । ଦଶହରା ପାଇଁ ସମୟ ଥିଲେବି ସାଜ୍ଜସଜ୍ଜା ଓ ତୋରଣ ଆଦିର ସୁରକ୍ଷାକୁ ନେଇ ପୂଜା କମିଟିଗୁଡ଼ିକ ଚିନ୍ତାରେ ପଡ଼ିଯାଇଛି । ଅପରପକ୍ଷରେ ଆସନ୍ତାକାଲି ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ମୟୁରଭଞ୍ଜ ଓ କେନ୍ଦୁଝରର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ବହିବ। ଦୁଇ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁୁ ଅରେଞ୍ଜ ୱାର୍ଣ୍ଣିଂ ଜାରିହୋଇଛି । ସେହିପରି ପ୍ରବଳ ବର୍ଷା ନେଇ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି। ଯେତେବେଳେକି ଝଟକା ପବନ ପାଇଁ ଯାଜପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର ଓ ନବରଙ୍ଗପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।