ଗଞ୍ଜେଇ ବେପାରରେ ଲାଗୁନି ବ୍ରେକ୍‌ 

ଗଞ୍ଜେଇ ବେପାରରେ ଲାଗୁନି ବ୍ରେକ୍‌ 
  • ୫ ବର୍ଷରେ ୧୫୪୯ କୁଇଣ୍ଟାଲ ଗଞ୍ଜେଇ ଜବତ, ୬୫୦୮ ଗିରଫ

ଭୁବନେଶ୍ୱର : ପ୍ରତି ବର୍ଷ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଜବତ ହେଉଛି । ହଜାର ହଜାର ଏକରରୁ କୋଟି କୋଟି ଗଞ୍ଜେଇ ଗଛ ବି ନଷ୍ଟ କରାଯାଉଛି  । ଶହ ଶହ ଗଞ୍ଜେଇ ମାଫିଆ ବି ଗିରଫ ହେଉଛନ୍ତି । ତଥାବି ଗଞ୍ଜେଇ ବେପାରରେ ବ୍ରେକ୍‌ ଲାଗୁନି  । ଓଡ଼ିଶା ଗଞ୍ଜେଇର ଚାହିଦା ଦେଶ ବିଦେଶରେ ଥିବାରୁ ମାଫିଆମାନେ କୋଟିକୋଟି ଟଙ୍କା ମୁନାଫା କମାଉଛନ୍ତି । ଜଙ୍ଗଲ ଭିତରେ ପାହାଡ଼ି ଅଞ୍ଚଳରେ ନିଧଡ଼କ ଭାବେ ଗଞ୍ଜେଇ ଚାଷ ଚାଲିଛି । ପୁଲିସ୍‌ ଯେତେ ଜଗିଲେବି ସେମାନଙ୍କୁ କିନ୍ତୁ ଲଗାମ ଲଗାଇବାରେ ବିଫଳ ହୋଇଛି । ପୁଲିସ୍‌ ଶହେ ମାଫିଆଙ୍କୁ ଗିରଫ କରିବା ବେଳକୁ ଆଉ ଦିଶହ ନୂଆ ମାଫିଆ ମୁଣ୍ଡ ଟେକୁଛନ୍ତି । ପୁଲିସ୍‌ ଶହ ଶହ କ୍ୟୁଣ୍ଟାଲ ଗଞ୍ଜେଇ ଜବତ କରିବା ବେଳକୁ ଆଉ ଶହ ଶହ କ୍ୟୁଣ୍ଟାଲ ଗଞ୍ଜେଇ ଚାଲାଣ ହୋଇ ମାଫିଆଙ୍କ ସିନ୍ଦୁକ ଭର୍ତ୍ତି ହେଉଛି । ଗତ ୫ ବର୍ଷର ତଥ୍ୟକୁ ଅନୁଶୀଳନ କଲେ ଏହି ନିଷ୍କର୍ସ ହିଁ ମିଳିବ ।

ଓଡ଼ିଶାରେ ଗତ ୫ ବର୍ଷରେ ୧୫୪୯ କ୍ୟୁଣ୍ଟାଲ ଗଞ୍ଜେଇ ଚାଲାଣ ହୋଇଛି । ଗଞ୍ଜେଇ ଚାଲାଣ କରି ଗିରଫ ହୋଇଛନ୍ତି ୬୫୦୮ ଜଣ  । ତଥାପି ବି ଅବକାରୀ ବିଭାଗ ହେଉ କିମ୍ବା ପୁଲିସ ବିଭାଗ ହେଉ, ରୋକ ଲଗାଇ ପାରିନାହାନ୍ତି ଏଥିରେ । ଏବେବି ନିଧଡ଼କ ଚାଲିଛି ଗଞ୍ଜେଇ ଚାଲାଣ । ଓଡ଼ିଶା ଗଞ୍ଜେଇର ସ୍ୱାଦ ସ୍ୱତନ୍ତ୍ର ନିଆରା । ଏକଥା ବଲିଉଡ଼ ହିରୋଇନମାନେ ବି କହିଛନ୍ତି । ବଲିଉଡ଼ ହିରୋ ଶୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଓଡ଼ିଶାରୁ ମୁମ୍ବାଇ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡ଼ିଥିଲା । ସୁଶାନ୍ତଙ୍କ ଚର୍ଚ୍ଚିତ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ହ୍ୱାଟସଆପ ତଥ୍ୟ ସେତେବେଳେ ବେଶ୍‌ ଭାଇରାଲ୍‌ ହୋଇଥିଲା । ଯେଉଁଥିରେ ରୀୟା ତାଙ୍କ ସାଙ୍ଗ ସାଇମନ ଖମ୍ବାଟ୍ଟାଙ୍କୁ କହିଥିଲେ ଯେ, ଭୁବନେଶ୍ୱରରେ ମିଳୁଥିବା ଗଞ୍ଜେଇ ସବୁଠାରୁ ଉତ୍ତମ । ତେବେ ତକ୍ରାଳୀନ ଡିଜିପି  ଏହାକୁ ସ୍ୱୀକାର କରିନଥିଲେ ବି ତଦନ୍ତ ହେବ ବୋଲି କହିଥିଲେ ।

ସେ ଯାହା ବି ହେଉ ତଥ୍ୟ ଅନୁଯାୟୀ, ୨୦୨୧-୨୦୨୨ ଆର୍ôଥକ ବର୍ଷରେ ୫୭୪ଟି ଚୋରା ଗଞ୍ଜେଇ ଚାଲାଣ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ୬୮୨ ଜଣ ଗିରଫ ହୋଇଥିବା ବେଳେ ୩୨୨୭୬ କେଜି ଗଞ୍ଜେଇ ଜବତ ହୋଇଥିଲା । ସେହିପରି ୨୦୨୨-୨୩ ଆର୍ଥିକ ବର୍ଷରେ ୧୫୦୬ଟି ମାମଲା ରୁଜୁ ହୋଇଥିବା ବେଳେ ୧୮୧୯ ଜଣ ଗିରଫ ହୋଇଥିଲେ ଓ ୪୨୮୭୬ କେଜି ଗଞ୍ଜେଇ ଜବତ ହୋଇଥିଲା । ୨୦୨୩-୨୪ ଆର୍ôଥକ ବର୍ଷରେ ୧୧୮୪ଟି ମାମଲା ରୁଜୁ ହୋଇଥିଲା । ଏଥିରେ ୧୪୯୪ ଜଣ ଗିରଫ ହୋଇଥିବା ବେଳେ ୩୪୬୪୦ କେଜି ଗଞ୍ଜେଇ ଜବତ କରାଯାଇଥିଲା । ୨୦୨୪-୨୫ ଆର୍ôଥକ ବର୍ଷରେ ୧୦୬୧ଟି ମାମଲା ରୁଜୁ ହୋଇଥିବା ବେଳେ ୧୪୬୪ ଜଣ ଗିରଫ ହୋଇଥିଲେ । ଏହି ମାମଲାରେ ୩୪୬୭୯ କେଜି ଗଞ୍ଜେଇ ଜବତ କରାଯାଇଥିଲା। ସେହିପରି  ୨୦୨୫-୨୬ ଆର୍ôଥକ ବର୍ଷର ଏଯାବତ୍‌ ପର୍ଯ୍ୟନ୍ତ ୬୩୦ଟି ମାମଲା ରୁଜୁ ହୋଇଛି । ଏଥିରେ ୮୪୯ ଜଣ ଗିରଫ ହୋଇଥିବା ବେଳେ  ୧୫୪୩୮ କେଜି ଗଞ୍ଜେଇ ଜବତ ହୋଇଛି ।

ଅପରପକ୍ଷରେ ରାଜ୍ୟରେ ୬ ବର୍ଷ ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ୮୫୩୨୩ରୁ ଊଦ୍ଧ୍ୱର୍ ଏକର ଗଞ୍ଜେଇ ଚାଷ ଜମି ନଷ୍ଠ କରାଯାଇଥିବା ବେଳ ୧୫ କୋଟି ଗଞ୍ଜେଇ ଗଛ ମଧ୍ୟ ନଷ୍ଟ କରାଯାଇଛି। ତଥ୍ୟ ଅନୁଯାୟୀ ୨୦୧୯-୨୦ ଆର୍ôଥକ ବର୍ଷରେ ୧୫୯୭୮ ଏକର ଜମି ନଷ୍ଟ କରାଯାଇଥିବା ବେଳେ ୫ କୋଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ୨୦୨୦-୨୧ରେ ୨୨୨୧୭ ଏକର ଚାଷ ଜମି ନଷ୍ଟ କରାଯାଇଥିବା ବେଳେ ୩.୨୫ କୋଟି ଗଞ୍ଜେଇ ଗଛ ନଷ୍ଟ ହୋଇଛି । ସେହିପରି ୨୦୨୧-୨୨ରେ ୧୯୭୭୪ ଏକର ଚାଷ ଜମି ନଷ୍ଟ ହେବା ସହ ୩.୨୯ କୋଟି ଚାରା ନଷ୍ଟ କରାଯାଇଛି । ୨୦୨୨-୨୩ ଆର୍ôଥକ ବର୍ଷରେ  ୧୫୧୨୩ ଏକର ଜମି ନଷ୍ଟ ହୋଇଥିବାବେଳେ ୧.୭୫ କୋଟ ଗଛ ନଷ୍ଟ କରାଯାଇଛି । ୨୦୨୩-୨୪ ଆର୍ôଥକ ବର୍ଷରେ ୨୮୧୩ ଏକର ଜମି ନଷ୍ଟ କରାଯାଇଥିବା ବେଳେ ୩୬ ଲକ୍ଷ ଗଞ୍ଜେଇ ଗଛ ନଷ୍ଠ ହୋଇଛି । ଅପରପକ୍ଷରେ ୨୦୨୪-୨୫ ଆର୍ôଥକ ବର୍ଷରେ ୯୪୧୮ ଏକର ଗଞ୍ଜେଇ ଚାଷ ଜମି ନଷ୍ଟ ହୋଇଥିବାବେଳେ ୧.୨୭ କୋଟି ଗଛ ନଷ୍ଟ ହୋଇଥିବା ତଥ୍ୟରୁ ଜଣାପଡ଼ିଛି ।

ବିଶେଷକରି ଓଡ଼ିଶାର ପାହାଡ଼ି ଅଞ୍ଚଳରେ ଏହି ଗଞ୍ଜେଇ ଚାଷ ହୋଇଥାଏ । ଏହି ଅଞ୍ଚଳରେ ଗଞ୍ଜେଇ ଚାଷ, ଏହାର ଉତ୍ପାଦନ ଏବଂ ବିକ୍ରୟକୁ ନ୍ୟାସନାଲ ଡ୍ରଗସ ସାଇକୋଟ୍ରପିକ ସବଷ୍ଟାନ୍ସ(ଏନଡ଼ିପିଏସ) ଆଇନ ମାଧମରେ ନିଷିଦ୍ଧ କରାଯାଇଛି । ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳର ଚାଷୀମାନଙ୍କର ଆର୍ôଥକ ଅଭିବୃଦ୍ଧି ପାଇଁ ବିଭିନ୍ନ ବିଭାଗ କୃଷି, ପଞ୍ଚାୟତିରାଜ, ପାନୀୟଜଳ, ଜଙ୍ଗଲ ଇତ୍ୟାଦି ବିଭାଗ ଦ୍ୱାରା ବିଭିନ୍ନ ସରକାରୀ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରାଯାଉଛି । ତଥାପିବି ଗଞ୍ଜେଇ ଚୋରା ଚାଲାଣ ହେଉ ବା ଚାଷ ହେଉ, ଏଥିରେ କମ୍‌ ପରିଶ୍ରମରେ ଲକ୍ଷ ଲକ୍ଷ ଟଙ୍କା ଆୟ ହେଉଥିବାରୁ ମାଫିଆମାନେ ସାଧାରଣ ଲୋକଙ୍କୁ ଫସାଇ ନିଜର ବେପାର ଜାରି ରଖିଛନ୍ତି । ଗୋଟିଏ ପଦରେ କହିଲେ, ମାଫିଆ ଟଙ୍କା କମାଉଛନ୍ତି ହେଲେ ସାଧାରଣ ଲୋକ ବନ୍ଧା ହୋଇ ଜେଲ୍‌ରେ ସଢୁଛନ୍ତି ।