ତ୍ରିରଙ୍ଗା ଆମର ଗର୍ବ : ଧର୍ମେନ୍ଦ୍ର ପ୍ରଧାନ

ତ୍ରିରଙ୍ଗା ଆମର ଗର୍ବ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର– ୭୮ତମ ‘ସ୍ୱାଧୀନତା ଦିବସ’ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । 

ଓଡ଼ିଶା ସମେତ ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ ତ୍ରିରଙ୍ଗା ହେଉଛି ଆମର ଗର୍ବ । ଏହି ଅବସରରେ ‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରିବାର ସଂକଳ୍ପକୁ ମଜଭୂତ୍ କରିବାକୁ ସେ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । 

ଏହାବ୍ୟତିତ ୭୮ତମ ସ୍ୱାଧୀନତା ଦିବସ ସମାରୋହରେ ସ୍ୱତନ୍ତ୍ର ଅତିଥି ଭାବେ ଦିଲ୍ଲୀ ଆସିଥିବା ପିଏମ-ଶ୍ରୀ ସ୍କୁଲ ଏବଂ ପ୍ରେରଣା ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଥିଲେ, ପିଲାମାନଙ୍କ ଅନୁଭୂତି, ଆକାଂକ୍ଷା ଏବଂ ସ୍ୱପ୍ନ ବିଷୟରେ ଜାଣି ବହୁତ ଆନନ୍ଦିତ । ଆଜି ଏହି ସାକ୍ଷାତ୍ ଆଲୋଚନା ଭାରତର ଭବିଷ୍ୟତ ସୁରକ୍ଷିତ ହାତରେ ଅଛି ବୋଲି ମୋତେ ଆଶ୍ୱସ୍ତ କରିଛି । ଛାତ୍ରଛାତ୍ରୀମାନଙ୍କ ସଶକ୍ତୀକରଣ ସହ ସେମାନଙ୍କୁ ଆଗକୁ ବଢିବା ପାଇଁ ଉତ୍ସାହିତ କରିବା ତଥା ସେମାନଙ୍କୁ ଅନେକ ମୂଲ୍ୟବାନ ବିଷୟରେ ଜ୍ଞାନ ପ୍ରଦାନ କରିବା ଆମର ପ୍ରାଥମିକତାରେ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । 

ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ଉପରେ ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ସ୍ୱାଧୀନତା ଦିବସର ପବିତ୍ର ଅବସରରେ ଲାଲକିଲ୍ଲାର ଐତିହାସିକ ସ୍ଥାନରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ ଆମ ସମସ୍ତଙ୍କୁ ପ୍ରେରିତ କରିବ । ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ଅଭିଭାଷଣରେ ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ବୀରମାନଙ୍କ ପ୍ରତି କୃତଜ୍ଞତାର ଭାବାବେଗ ଥିଲା । ଧର୍ମନିରପେକ୍ଷ ନାଗରିକ ସଂହିତା, ଏକ ରାଷ୍ଟ୍ର-ଏକ ନିର୍ବାଚନ, ମହିଳା ସୁରକ୍ଷା, ଜାତୀୟ ଶିକ୍ଷା ନୀତି, ଏମଏସଏମଇ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇ ଭବିଷ୍ୟତର 'ବିକଶିତ ଭାରତ' ଗଠନ କରିବାର ସଂକଳ୍ପ ମଧ୍ୟ ଥିଲା । ପ୍ରଧାନମନ୍ତ୍ରୀଙ୍କ କୁଶଳ ନେତୃତ୍ୱରେ ଆମ ଦେଶ ; କୃଷକ, ସୈନିକ, ଯୁବଶକ୍ତି, ନାରୀଶକ୍ତି ଏବଂ ବଞ୍ଚିତଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ । 'ଅମୃତକାଳ'ରେ ଭାରତ ୨୦୪୭ ସୁଦ୍ଧା 'ବିକଶିତ ଓ ସମୃଦ୍ଧ ଭାରତ’ ହୋଇପାରିବ ବୋଲି ୧୪୦ କୋଟି ଭାରତୀୟଙ୍କ ବିଶ୍ୱାସ ରହିଛି ।