ରାଜ୍ୟ ପ୍ରଗତିରେ ଯୋଡ଼ିହେବ ନୂଆ ଅଧ୍ୟାୟ: ସରକାର ଦେବେ ରାଜ୍ୟ ପଞ୍ଚାୟତ ପୁରସ୍କାର
ଭୁବନେଶ୍ୱର : ଏଣିକି ପଞ୍ଚାୟତସ୍ତରରେ ଉନ୍ନତ ପ୍ରଦର୍ଶନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିବ ରାଜ୍ୟ ପଞ୍ଚାୟତ ପୁରସ୍କାର । ୯ଟି ଥିମ ଓ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୧୨୯ଟି ପୁରସ୍କାର ଦିଆଯିବାକୁ ରାଜ୍ୟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆଉ ଏଥିପାଇଁ ସରକାରଙ୍କ ପକ୍ଷରୁ ୪ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଆଜି ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ।
ପଞ୍ଚାୟତ ଆଡ୍ଭାନ୍ସମେଣ୍ଟ ଇଣ୍ଡେକ୍ସ ସ୍କୋର୍ରେ ପ୍ରଦର୍ଶନ ଅନୁଯାୟୀ ୯ଟି ଥିମ ଯଥା- ମନରେଗା, ସ୍ୱଚ୍ଛତା- ବାହ୍ୟ ମଳମୁକ୍ତ, ଜଳ ଜୀବନ ମିଶନ, ସୁଶାସନ, ଦକ୍ଷତା ବିକାଶ, ଆୟ ସ୍ରୋତ ବୃଦ୍ଧି, ଅନଲାଇନ ଅଡିଟ, ଉନ୍ନତ ଜିପିଡିପିଏସ୍, ଇଜିଏସ୍ ପୋର୍ଟାଲରେ ଗ୍ରାମ ପଞ୍ଚାୟତର ତଥ୍ୟ ଅଦ୍ୟତନ ଆଦି କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ । ୪ଟି ବର୍ଗରେ ପୁରସ୍କାରଗୁଡିକ ରାଜ୍ୟସ୍ତର, ଜିଲ୍ଲାସ୍ତର, ବ୍ଲକସ୍ତର ଓ ସଂସ୍ଥାଗତ ସ୍ତରରେ ପ୍ରଦାନ କରାଯିବ ।
ରାଜ୍ୟସ୍ତରରେ ଯୋଗ୍ୟ ବିବେଚିତ ପଞ୍ଚାୟତ ମଧ୍ୟରୁ ପ୍ରଥମସ୍ଥାନରେ ଥିବା ପଞ୍ଚାୟତକୁ ୧୫ ଲକ୍ଷ, ଦ୍ୱିତୀୟ ସ୍ଥାନକୁ ୧୦ ଲକ୍ଷ, ତୃତୀୟ ସ୍ଥାନକୁ ୫ ଲକ୍ଷ ଅର୍ଥରାଶି ପ୍ରଦାନ କରାଯିବ । ଯୋଗ୍ୟ ବିବେଚିତ ପଞ୍ଚାୟତସମିତି ଗୁଡିକୁ ମଧ୍ୟ ପ୍ରଥମ ସ୍ଥାନ-୧୫ ଲକ୍ଷ, ଦ୍ୱିତୀୟ ସ୍ଥାନ-୧୦ ଲକ୍ଷ, ତୃତୀୟ ସ୍ଥାନ-୫ ଲକ୍ଷ ଅର୍ଥରାଶି ପ୍ରଦାନ କରାଯିବ । ଯୋଗ୍ୟ ବିବେଚିତ ଜିଲ୍ଲା ପରିଷଦ ଗୁଡିକୁ ପ୍ରଥମ ସ୍ଥାନ-୨୫ ଲକ୍ଷ, ଦ୍ୱିତୀୟ ସ୍ଥାନ-୨୦ ଲକ୍ଷ, ତୃତୀୟ ସ୍ଥାନ-୧୫ ଲକ୍ଷ ଅର୍ଥରାଶି ପ୍ରଦାନ କରାଯିବ । ସେହିଭଳି ନଅଟି ଥିମ୍ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ଯଥାକ୍ରମେ ୫ ଲକ୍ଷ, ୩ ଲକ୍ଷ ଓ ୨ ଲକ୍ଷ, ସର୍ବମୋଟ ୨୭ଟି ପୁରସ୍କାର ପ୍ରଦାନ କରାଯିବ । ସେହିଭଳି ଜିଲ୍ଲାସ୍ତରରେ ପ୍ରଥମ ସ୍ଥାନ ପାଇଁ ୩ ଲକ୍ଷ, ଦ୍ୱିତୀୟ ସ୍ଥାନ- ୨ ଲକ୍ଷ, ତୃତୀୟ ସ୍ଥାନ- ୧ ଲକ୍ଷ ଅର୍ଥରାଶି ଭାବେ ସର୍ବମୋଟ ୯୦ଟି ପୁରସ୍କାର ପ୍ରଦାନ କରାଯିବ । ବ୍ଲକ୍ସ୍ତରୀୟ ପୁରସ୍କାରରେ ପ୍ରଶଂସାପତ୍ର ମଧ୍ୟ ପ୍ରଦାନ କରାଯିବ । ଏହି ଅର୍ଥରାଶି ସାମଗ୍ରିକ ଭିତ୍ତିଭୂମିର ବିକାଶ, ସ୍ୱାସ୍ଥ୍ୟ ଶିବିର ଆୟୋଜନ, ଡିଜିଟାଲ ଓ ସାର୍ବଜନୀନ ଲାଇବ୍ରେରୀ ସମେତ ପଞ୍ଚାୟତ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ରୂପେ ବ୍ୟବହାର କରାଯିବ ।