ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପ ବାଚସ୍ପତିଙ୍କ ଦାବି : ୟୁପି ଗ୍ୟାଙ୍ଗଷ୍ଟର୍ ନିରୋଧ ଭଳି ଆଇନ ଆସୁ

 ଭୁବନେଶ୍ୱର : ଓଡିଶାରେ ୟୁପି ଗ୍ୟାଙ୍ଗଷ୍ଟାର ନିରୋଧ ଭଳି ଆଇନ ଆସୁ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଜି ଏଭଳି ଦାବି କରିଛନ୍ତି ଉପବାଚସ୍ପତି ଭବାନୀ ଭୋଇ । ଓଡିଶା ଗ୍ୟାଙ୍ଗଷ୍ଟର୍ସ ଆଣ୍ଡ୍ ଆଣ୍ଟି ସୋସିଆଲ ଆକ୍ଟିଭିଟି ଆକ୍ଟ ଆଣିବାକୁ ସେ ଦାବି ରଖିଛନ୍ତି । ଅପରାଧୀଙ୍କୁ ଦମନ ପାଇଁ ସରକାର ଅଣ୍ଟା ଭିଡ଼ନ୍ତୁ ବୋଲି ସେ କହିଛନ୍ତି । ରାଜ୍ୟରେ ଏବେ ଭିନ୍ନ ଭିନ୍ନ ଅପରାଧ ବଢ଼ୁଥିବା ବେଳେ ଏହି ଅପରାଧିକ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ନିହାତି ଜରୁରୀ । ଚୋରି, ନାରୀ ନିର୍ଯାତନା ଭଳି ମାମଲା ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ମୁଣ୍ଡ ଟେକିଛି । ଫଳରେ ଅପରାଧ ପ୍ରବଣର ଅପବାଦ ମୁଣ୍ଡାଇବାରେ ଲାଗିଛି ଓଡ଼ିଶା । ଏଣୁ ଏହି ଆଇନ ପ୍ରଣୟନ ହେଲେ ସଂଗଠିତ ଅପରାଧୀ ଗୋଷ୍ଠୀ ଗଠନ ଏବଂ କାର୍ଯ୍ୟକୁ ରୋକାଯାଇପାରିବ । ଗ୍ୟାଙ୍ଗ ଲିଡର୍ ଏବଂ ସଦସ୍ୟଙ୍କ ଉପରେ ପ୍ରଭାବଶାଳୀ ଦଣ୍ଡବିଧାନ ଏବଂ ପ୍ରତିରୋଧ ସୁନିଶ୍ଚିତ କରିହେବ । ଆଇନଗତ ଢାଞ୍ଚା ମାଧ୍ୟମରେ ସାର୍ବଜନୀନ ଶୃଙ୍ଖଳା, ସୁରକ୍ଷା ଏବଂ ସମ୍ପତ୍ତିକୁ ସୁରକ୍ଷିତ ରଖିପାରିବା । ଓଡିଶାରେ ଚୋରି, ଡକାୟତି, ଦାଦାବଟି, ନିଶା କାରବାର ରୋକିବାକୁ ଆଇନ ଆଣିବାକୁ ସେ ଦାବି କରିଛନ୍ତି । ୟୁପି ଶୈଳୀରେ ଗ୍ୟାଙ୍ଗଷ୍ଟର ନିରୋଧୀ ଆଇନ ପାଇଁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଦାବି କରିଛନ୍ତି ।