ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା : ୩ ଆରଡିସି ଅଫିସ ଆଗରେ ଗର୍ଜିଲା ବିଜେଡି
ଭୁବନେଶ୍ୱର : ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ମହିଳାଙ୍କ ବିରୋଧରେ ଅପରାଧରେ ଅହେତୁକ ବୃଦ୍ଧି ବିରୋଧରେ ଓ ଏଫଏମ କଲେଜ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିଜୁ ଜନତା ଦଳ ତରଫରୁ କଟକ, ସମ୍ୱଲପୁର ଓ ବ୍ରହ୍ମପୁରରେ ଥିବା ଆରଡିସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ, ବିଜେଡିର ହଜାର ହଜାର କର୍ମୀ ସାମିଲ ହୋଇ ରାଜ୍ୟ ବିଜେପି ସରକାରଙ୍କ ବିରୋଧରେ ନାରାବାଜି କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ମୋହନ ସରକାର ହଟାଅ ନାରାରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ଦଳ ତରଫରୁ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଲିଖିତ ଏକ ସ୍ମାରକପତ୍ର ଏହି ତିନି ଆରଡିସିଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ବିଜେଡି ତରଫରୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିବା ସହିତ ନାରୀ, ଛାତ୍ରୀ ଓ ଶିଶୁ ମାନଙ୍କ ବିରୋଧରେ ଅପରାଧ ବୃଦ୍ଧିପାଇଛି ବୋଲି କୁହାଯାଇଛି । ଗୋପାଳପୁର ଗଣଦୁଷ୍କର୍ମ ଘଟଣା ସମଗ୍ର ରାଜ୍ୟକୁ ବ୍ୟଥିତ କରିଥିଲା ବେଳେ, ନ୍ୟାୟ ପାଇଁ ଦୀର୍ଘ ୬ ମାସ ଲଢିବା ପରେ ନ୍ୟାୟ ନପାଇ ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଦେବା ଘଟଣା ସମଗ୍ର ଦେଶରେ ରାଜ୍ୟ ପାଇଁ ଲଜ୍ଜ୍ୟା ଓ ନିନ୍ଦା ଆଣିଛି । ଏଫଏମ କଲେଜ ଘଟଣା ରାଜ୍ୟବାସୀଙ୍କ ମନରୁ ନଲିଭୁଣୁ, ପୁରୀ ଜିଲ୍ଲାର ବଳଙ୍ଗା ଠାରେ ଗୋଟିଏ ନାବାଳିକାକୁ ଜିଅନ୍ତା ଜାଳିଦେବା ଉଦ୍ୟମ ଭଳି ହୃଦୟ ବିଦାରକ ଘଟଣା ଲୋକଲୋଚନକୁ ଆସିଛି । ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ, ଜଣେ ଉଚ୍ଚ ନ୍ୟାୟାଳୟର କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ ପାଇଁ ବିଜୁ ଜନତା ଦଳ ଦାବି କରୁଛି ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । କଟକ ଆରଡିସି ଅଫିସ୍ ସାମ୍ନାରେ ବିଜେଡିର ବିକ୍ଷୋଭରେ ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଜେନା, ସୁଦାମ ମାରାଣ୍ଡି, ପ୍ରଣବ ବଳବନ୍ତରାୟ, ଅତନୁ ସବ୍ୟସାଚୀ ନାୟକ, ସୁଲୋଚନା ଦାସ, ଦେବାଶିଷ ସାମନ୍ତରାୟ, ପ୍ରମୁଖ ସାମିଲ ଥିବା ବେଳେ ସମ୍ବଲପୁର ଆରଡିସି ଅଫିସ୍ ସାମ୍ନାରେ ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ସାମିଲ ଥିଲେ । ସେହିପରି ବ୍ରହ୍ମପୁର ଆରଡିସି ଅଫିସ୍ ସାମ୍ନାରେ ସଞ୍ଜୟ କୁମାର ଦାସବର୍ମା, ଚନ୍ଦ୍ରଶେଖର ସାହୁ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ରବି ନାରାୟଣ ନନ୍ଦ ପ୍ରମୁଖ ସାମିଲ ଥିଲେ ।