ସତ୍ୟ ଶିବ ସୁନ୍ଦର

ଭଗବାନ ସତ୍ୟ ଉପରେ ଆରୂଢ଼ । ସତ୍ୟ ହିଁ ଭଗବାନ । ସତ୍ୟମେବ ଜୟତେ - ଏକମାତ୍ର ସତ୍ୟର ହିଁ ଜୟ ହୁଏ । ସତ୍ୟ ହିଁ ଧର୍ମପ୍ରାଣତା । ଧର୍ମପ୍ରାଣତା ହେଉଛି ଆଲୋକ ଏବଂ ଆଲୋକ ହେଉଛି ଆନନ୍ଦ । ଅହିଂସା, ବ୍ରହ୍ମଚର୍ଯ୍ୟ, ପବିତ୍ରତା, ନ୍ୟାୟ, ସଦଭାବନା, କ୍ଷମା, ଶାନ୍ତି ଏସବୁ ହେଉଛି ସତ୍ୟର ବିଭିନ୍ନ ରୂପ । ଶ୍ରୀ ଶଙ୍କରାଚାର୍ଯ୍ୟ କହିଛନ୍ତି - "ବ୍ରହ୍ମ ସତ୍ୟଂ ଜଗତ ମିଥ୍ୟା, ଜୀବ ବ୍ରହ୍ମୈବ ନାପରମ୍ । ଅର୍ଥାତ୍ ବ୍ରହ୍ମ ହିଁ ସତ୍ୟ । ଜଗତ ହେଉଛି ମିଥ୍ୟା । ଜୀବ ଏବଂ ବ୍ରହ୍ମ ଅଭିନ୍ନ । ଏହି ବ୍ରହ୍ମ ଯାହାକି ଚୈତନ୍ୟ ସ୍ୱରୂପ ତାହା ସମସ୍ତ ସୃଷ୍ଟିରେ ମନୁଷ୍ୟ, ପଶୁ, ପକ୍ଷୀ, ବୃକ୍ଷଲତା, ଅଣୁ, ପରୁମାଣ - ସବୁଥିରେ ବିଦ୍ୟମାନ । ଗୁରୁହିଁ ବ୍ରହ୍ମ । ଗୁରୁଶକ୍ତି ହିଁ ବ୍ରହ୍ମଶକ୍ତି । ପରମବ୍ରହ୍ମଙ୍କର ବ୍ୟକ୍ତରୂପ ହେଉଛନ୍ତି ବ୍ରହ୍ମା-ବିଷ୍ଣୁ-ମହେଶ୍ୱର । ଏହି ତ୍ରିଶକ୍ତି ହେଉଛି ଇଶ୍ୱର ଏବଂ ଇଶ୍ୱର ଶରୀର ଧାରଣ କରି ବିଭିନ୍ନ ସମୟରେ ଧରାପୃଷ୍ଠରେ ଅବତରଣ କରିଥାନ୍ତି ଧର୍ମଗୁରୁ ଅଥବା ସଦଗୁରୁ ଭାବରେ । ଭଗବାନ ଶ୍ରୀସତ୍ୟସାଇ ତାଙ୍କ ଦିବ୍ୟ ସମ୍ଭାଷଣରେ ଉଲ୍ଲେଖ କରିଛନ୍ତି - "ସତ୍ୟକୁ ଜାଣିବାର ଅର୍ଥ ହେଉଛି ନିଜକୁ ଚିହ୍ନିବା । ନିଜର ଚୈତନ୍ୟସ୍ୱରୂପ ଆତ୍ମାକୁ ଚିହ୍ନିବା ।'
ଯିଏ ସବୁ ଭିତରେ ସେହି ସର୍ବବ୍ୟାପୀ ଚୈତନ୍ୟର ଦର୍ଶନ କରେ ସେ ସତ୍ୟକୁ ଅନୁଭବ କରିପାରେ । ସତ୍ୟର ଅନୁଭବ ହୁଏ ଏକତ୍ୱରେ ପୂର୍ଣ୍ଣତାରେ ଯାହା ବ୍ୟକ୍ତି ଏବଂ ଅବ୍ୟକ୍ତର ସମାହାର । ସତ୍ୟ ଏକ, ଚିରନ୍ତନ । ଭଗବାନ ଶ୍ରୀସତ୍ୟସାଇ ବାବା ଏହି ଏକତ୍ୱର ପ୍ରତୀକ ଥିଲେ । ଭଗବାନ ଶ୍ରୀସତ୍ୟସାଇଙ୍କ ପୂର୍ବ ଅବତାର ଶିରିଡ଼ି ସାଇଙ୍କ ମୂଳ ମନ୍ତ୍ର ଥିଲା - "ସବକା ମାଲିକ ଏକ' (ସବୁର ଅଧିକାରୀ ସ୍ୱାମୀ ଜଣେ) ବେଦରେ କୁହାଯାଇଛି - "ଏକଂ ସତ୍ ବିପ୍ରାଃ ବହୁଧା ବଦନ୍ତି ।' - ସତ୍ୟ ଏକ କିନ୍ତୁ ଜ୍ଞାନୀମାନେ ବିଭିନ୍ନ ଭାବରେ ବ୍ୟକ୍ତ କରନ୍ତି । ପ୍ରେମ ସ୍ୱରୂପ ଏବଂ ଶାନ୍ତିସ୍ୱରୂପ । କୁହାଯାଏ - "ଶାନ୍ତମ୍ ଶିବମ୍ ଅଦ୍ୱୈତମ୍' । ଯେଉଁଠି ଏକତ୍ୱ ରହିଛି, ସେଇଠି ରହିଛି ଶାନ୍ତି । ଏକରୁ ଦୁଇ ଅଥବା ଅନେକ ହୋଇଗଲେ କଳହ, ମତାନ୍ତର, ଅସ୍ଥିରତା ଓ ଅଶାନ୍ତି ସୃଷ୍ଟି ହୁଏ । ଯେହେତୁ ସତ୍ୟ ଏକ, ତେଣୁ ସତ୍ୟ ହିଁ ଶିବ । "ଶିବ'ର ଅନ୍ୟ ଏକ ଅର୍ଥ ହେଉଛି ଅସୀମତା - ଯାହା ସୀମିତ ନୁହେଁ । ଯେତେବେଳେ ଆମେ ନିଜକୁ କେବଳ ଶରୀର, ମନ ଓ ବୁଦ୍ଧି ସହିତ ଚିହ୍ନଟ କରୁ, ସେତେବେଳେ ଆମକୁ ଦୁଃଖ କଷ୍ଟର ଅନୁଭବ ହୁଏ । କିନ୍ତୁ ଆତ୍ମ - ଚୈତନ୍ୟ ପ୍ରସାରିତ ହେଲେ କେବଳ ଆତ୍ମା ଯେ ନିଜର ପ୍ରକୃତ ପରିଚୟ ତାହା ଉପଲବ୍ଧି ହୁଏ ।
ଯାହା ସତ୍ୟ ଏବଂ ଶିବ (ମଙ୍ଗଳମୟ) ତାହା ସର୍ବୋତ ଭାବରେ ସୁନ୍ଦର । ସୌନ୍ଦର୍ଯ୍ୟ ସବୁବେଳେ ନୂତନ ଏବଂ ବର୍ତ୍ତମାନରେ ହିଁ ଅନୁଭୂତ ହୁଏ । ଯେ ସବୁରି ଭିତର ଏକତ୍ୱ ଅନୁଭବ କରେ ତା ପାଇଁ ଏ ସମଗ୍ର ସୃଷ୍ଟି ସୁନ୍ଦର । ଭଗବାନ ଶ୍ରୀ ସତ୍ୟସାଇଙ୍କର ସାକାର ରୂପ ଅତ୍ୟନ୍ତ ସୁନ୍ଦର ଓ ମନ ମୁଗ୍ଧକର କାରଣ ତାହା ପୂର୍ଣ୍ଣତାର ସ୍ୱରୂପ । ପୂର୍ଣ୍ଣତାରେ ହିଁ ଥାଏ ପ୍ରକୃତ ସୌନ୍ଦର୍ଯ୍ୟ । ସେ କୁହନ୍ତି "ଭଗବାନ ଏହି ସୁନ୍ଦର ସୃଷ୍ଟିର ନିର୍ମାଣ କର୍ତ୍ତା । ଏଣୁ ଏହି ସୃଷ୍ଟିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଆମର କର୍ତ୍ତବ୍ୟ । ମନକୁ ଇଛାହୀନ କରି ଈଶ୍ୱର ଗଢ଼ିଥିବା ସୌନ୍ଦର୍ଯ୍ୟକୁ ନିରୀକ୍ଷଣ କଲେ ଇନ୍ଦ୍ରିୟ ସହଜରେ ସଂଜତ ହୋଇଯିବ । ସେହି ସୌନ୍ଦର୍ଯ୍ୟ ଦର୍ଶନରେ ଆମେ ଈଶ୍ୱରଙ୍କ ସତ୍ତାକୁ ଅନୁଭବ କରିପାରିବା ।'
ଶ୍ରୀ ସତ୍ୟସାଇ ହେଉଛନ୍ତି ଏହି ଦିବ୍ୟାନନ୍ଦର ଉତ୍ସ ଯାହାଙ୍କର ଦର୍ଶନ, ସ୍ମରଣ, ଚିନ୍ତନ ଶରୀରରେ ଦିବ୍ୟ ରୋମାଞ୍ଚ ଆଣିଦିଏ, ଆତ୍ମା ଉତଫୁଲିତ ହୋଇଉଠେ ଏବଂ ଚିତ୍ତ ଶାନ୍ତ ହୁଏ । ଯାହାଙ୍କୁ ହୃଦୟରେ ଅନୁଭବ କଲାପରେ ଆଉ କିଛି ପ୍ରାପ୍ତ ହେବାର ଆବଶ୍ୟକତା କିମ୍ବା ଅଭିଳାଷ ନଥାଏ, ସେହି ସଦଗୁରୁ ପରମବ୍ରହ୍ମ ଶ୍ରୀ ସତ୍ୟସାଇ ବାବା ହେଉଛନ୍ତି ସତ୍ୟ, ଶିବ, ସୁନ୍ଦର । ସତ୍ୟ ଶିବ ଓ ସୁନ୍ଦର ସମ୍ପର୍କରେ ଆଲୋକପାତ କଲାବେଳେ ମନେପଡ଼ୁଛି କବିବର ରାଧାନାଥ ରାୟ ସେହି ସ୍ମରଣୀୟ ପଦ୍ୟାବଳୀଟି "ସତ୍ୟ ଶିବ ସୁନ୍ଦର ସତ୍ୟ ମହାନ, ନିଜେ ସତ୍ୟ ମୁରତି ଶ୍ରୀ ଭଗବାନ, ସକଳ ସଦା ଭବେ ସତ୍ୟ ସରଣୀ, ସତ୍ୟ ସେ ଭୀମ ଭବସିନ୍ଧୁ ତରଣୀ । ସତ୍ୟରେ ଦିଏ ପ୍ରଭା ଶଶୀ ନିଶାରେ, ବ୍ରହ୍ମାଣ୍ଡ ମାଳା ଗୁନ୍ଥା ସତ୍ୟର ଚାରେ । ସତ୍ୟଧର୍ମ ଏ ବେନି ନିତି ସଂଯୁକ୍ତ, ଏ ମହାବାଣୀ ବେଦେ ପୁରାଣେ ଉକ୍ତ । ଏକ ବିନୁ ଅପର ଥାଇ ନପାରେ । ସବୁ ଯେ ସନ୍ତୁ୍ୟ ତେଣୁ ନ ଟଲେ ଗାରେ । ସତ୍ୟ ଯେ ଦୀକ୍ଷାଶିକ୍ଷା ସତ୍ୟ ସେ ସାର, ସବୁ କୁଶଳରଟି ସତ୍ୟ ଭଣ୍ଡାର । ସତ୍ୟକୁ ଯେଉଁନର ଦୃଢ଼େ ଧରଇ, ଭୀମ ଭବାର୍ଣ୍ଣବ ସେ ହେଳେ ତରଇ ।' ସତ୍ୟପଥର ପଥିକ ବଳବାନ, ଦୀର୍ଘଜୀବୀ, ସର୍ବଜ୍ଞ ଓ ସଦାସୁଖୀ ହୁଏ, କାରଣ ସେ ପରମାତ୍ମାଙ୍କର ନିକଟରୁ ନିକଟତର ହେବାକୁ ଲାଗେ ।
କିଶୋର କୁମାର ଜେନା,ମୋ : ୭୩୨୫୯୦୪୯୨୭