ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ଯାଞ୍ଚ ବ୍ୟବସ୍ଥା 

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ଯାଞ୍ଚ ବ୍ୟବସ୍ଥା 

ଭୁବନେଶ୍ୱର : ଆସନ୍ତା ୨୭ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ଶୀତ ଅଧିବେଶନରେ  ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଯୋଗଦେଇ ବିଧାନସଭାକୁ ସମ୍ବୋଧନ କରିବେ । ଏଥିପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅଧିବେଶନ ସମୟରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ । ଏଥିପାଇଁ ୩୩ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଷ୍ଟ୍ରାଇକିଂ ଫୋର୍ସ, ଏସ୍ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍‌ ସ୍ପାଇଡ୍‌ ଓ ଅଗ୍ନିଶମ ବିଭାଗ ମଧ୍ୟ ଦାୟିତ୍ୱରେ ରହିବେ । ଡିସିପି ସୁରକ୍ଷା ତଦାରଖ ଦାୟିତ୍ୱରେ ଥିବାବେଳେ ତାଙ୍କ ଅଧୀନରେ ୭ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୨୬ ଜଣ ଇନ୍ସପେକ୍ଟର, ୮୮ ଜଣ ଏସଆଇ ଓ ଏଏସଆଇ ଦାୟିତ୍ୱରେ ରହିବେ । 

    ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ବିଭିନ୍ନ ସ୍ଥାନରେ ସିଟିଟିଭି ଖଞ୍ଜା ଯାଇଛି । ୫ଟି ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ୍‌ ରୁମ୍‌ ମଧ୍ୟ ଖୋଲାଯାଇଛି । କଣ୍ଟ୍ରୋଲ୍‌ ରୁମ୍‌ରେ ପ୍ରତିଟି ଦିଗ ଉପରେ ନଜର ରଖାଯାଇ ସ୍ଥିତି ନିୟନ୍ତ୍ରଣ କରାଯିବ । ୨୨୫ ଅଧିକାରୀ ଦାୟିତ୍ୱରେ ରହି ସ୍ଥିତି ଉପରେ ନଜର ରଖିବ । ଅଧିବେଶନ ଆରମ୍ଭ ପୂର୍ବରୁ ଏବେଠାରୁ ବିଧାନସଭା ଓ ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣୀ କରାଯିବା ସହ ବ୍ୟାରିକେଡିଂ କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିବ ବିଧାନସଭା । ଲୋୟର ପିଏମ୍ଜିରେ ୧୪୪ ଧାରା ଜାରି କରାଯିବ । ସିସିଟିଭି ସର୍ଭଲାନ୍ସ ଦ୍ୱାରା ବିଧାନସଭା ଓ ତାକୁ ଲାଗି ରହିଥିବା ସଂଲଗ୍ନ ସ୍ଥାନଗୁଡିକୁ ରଖାଯିବ । ଏହା ସହିତ ସମ୍ପୂର୍ଣ୍ଣ ପୋଲିସ ପ୍ରଶାସନର କଡ଼ା ନଜରରେ ରହିବ ବିଧାନସଭା । ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏ ନେଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ।