ରାସନକାର୍ଡ ଫେରସ୍ତ, ପ୍ରକ୍ରିୟାରେ ବିଳମ୍ବ : ୧୧୭୮କାର୍ଡରୁ ଫେରିଛି ମାତ୍ର ୩ଟି କାର୍ଡ
ରାଜନଗର : ରାଜନଗର ବ୍ଲକରେ ସମୁଦାୟ ୧ଲକ୍ଷ ୪୪ହଜାର ୫୨ଜଣ ହିତାଧିକାରୀ ରାସନ ସାମଗ୍ରୀ ପାଉଛନ୍ତି । ସେମାନଙ୍କ ମଧ୍ୟରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧ ଲକ୍ଷ ୨୩ ହଜାର ୬ଶହ ୧୮ଜଣ, ଆନ୍ତୋଦୟ ଅନ୍ନ ଯୋଜନାରେ ୧୩ ହଜାର ୧୮୯ଜଣ ଓ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ୭ ହଜାର ୨୪୫ ଜଣ ହିତାଧିକାରୀ ରାସନ ସାମଗ୍ରୀ ପାଉଥିବା ଜଣାପଡିଛି । ପ୍ରଥମ ପର୍ଯ୍ୟାୟରେ ରାଜନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ୧୩୨ କାର୍ଡର ୬୦୪ଜଣ ହିତାଧିକାରୀ ରାସନକାର୍ଡ ପାଇବାକୁ ଅଯୋଗ୍ୟ ବୋଲି ବିବେଚନା କରି କାର୍ଡ ଫେରସ୍ତ କରିବାକୁ ଗତମାସ ୩୦ ତାରିଖରେ ନୋଟିସ ଜାରି କରାଯାଇଥିଲା । ତିନିଦିନ ମଧ୍ୟରେ ଉପଭୋକ୍ତା ନିଜେ ପରିବାର ସଦସ୍ୟଙ୍କ ଚାକିରୀ ସର୍ତାବଳୀର ନକଲ, ଆଧାରକାର୍ଡ, ଜନଗଣନା ରିପୋର୍ଟ ସମେତ ସମସ୍ତ ନଥିପତ୍ରର ଅବିକଳ ନକଲ ବ୍ଲକ ଯୋଗାଣ ବିଭାଗ ଅଫିସରେ ଦାଖଲ କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ଏହାକୁ ବ୍ୟତିକ୍ରମ କଲେ ସରକାରଙ୍କ ନିଦେ୍ର୍ଦଶ ମୁତାବକ ସରକାରୀ ଚାକିରିଆ ହୋଇଥିବା ଯୋଗୁଁ ରାସନକାର୍ଡ ଡାଟାବେସରୁ ବାଦ ଦିଆଯିବାକୁ ସୂଚନା ଦିଆଯାଇଥିଲା । ଅନୁସନ୍ଧାନରୁ ଜଣାଯାଏ ଯେ, ୪୩ଜଣ ମିନି ଅଙ୍ଗନୱାଡି କର୍ମୀ, ୯ଜଣ ସହାୟିକା ଓ କିଛି ହୋମଗାର୍ଡଙ୍କ ନାମ ରାଜ୍ୟ ସରକାରଙ୍କ ଏଚଆରଏମଏସ ତାଲିକାରେ ଥିବା ପ୍ରକାଶ ପାଇଥିଲା । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ ସେମାନଙ୍କ ଦରମା ୧୦ହଜାରରୁ ଉଦ୍ଧ୍ୱର୍ ନଥିବାରୁ ନିୟମ କୋହଳ କରାଯିବ ବୋଲି ବ୍ଲକ ଯୋଗାଣ ଅଧିକାରୀ ରବିନ୍ଦ୍ରକୁମାର ସେଠୀ କହିଥିଲେ । ଏହି ପ୍ରଥମ ପର୍ଯ୍ୟାୟର ୧୩୨ଟି କାର୍ଡ ମଧ୍ୟରୁ ୨୮ଟି କାର୍ଡ ଫେରସ୍ତ ହୋଇଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଜିଏସଟି ଭରିବା, ଇନକମଟ୍ୟାକ୍ସ ରିଟର୍ଣ୍ଣ ଫର୍ମ ଓ ୧୦ହଜାରରୁ ଉଦ୍ଧ୍ୱର୍ ଦରମା ଥିବା ୧ହଜାର ୪୬ଟି କାର୍ଡର ୪ହଜାର ୩ଶହ ୯୪ଜଣ ହିତାଧିକାରୀଙ୍କୁ ନୋଟିସ ଦିଆଯାଇଛି । ରିପୋର୍ଟ ଲେଖା ହେବା ଯାଏଁ ସେଗୁଡିକ ମଧ୍ୟରୁ ମାତ୍ର ୪ଟି କାର୍ଡ ଫେରସ୍ତ ହୋଇଛି । ଅବଶିଷ୍ଟ କାର୍ଡ ଫେରସ୍ତ କରାନଗଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ଲକ ଯୋଗାଣ ଅଧିକାରୀ ଶ୍ରୀ ସେଠୀ ସୂଚନା ଦେଇଛନ୍ତି ।