ରାସ୍ତା ଅବସ୍ଥା ଶୋଚନୀୟ,ତେଜୁଛି ଜନ ଅସନ୍ତୋଷ

ବୁଗୁଡ଼ା:  ଦେଶ ସ୍ୱାଧୀନତାର ଦୀର୍ଘ ୭୭ ବର୍ଷ ବିତିଯାଇଥିଲେ ବି ନିଜ ଗାଁକୁ ଭଲ ରାସ୍ତାଟିଏ ଲୋକେ ପାଇପାରି ନାହାନ୍ତି । ଖରା ଓ ଶୀତ ଦିନରେ ଖାଲ ଢେପରେ ପଡି ଲୋକେ ଗାଁକୁ ଯାଉଥିବା ବେଳେ ବର୍ଷା ଦିନେ ଯମ ଯନ୍ତ୍ରଣା ଭୋଗୁଛନ୍ତି । ସ୍ଥାନୀୟ ପ୍ରଶାସନର ଉଦାସୀନତା ଓ ନେତାଙ୍କ ଅପାରଗତା ଯୋଗୁଁ ତିନି ଖଣ୍ଡ ଗାଁର ଲୋକେ ଦୁର୍ଦ୍ଦଶା ଭୋଗିଆସୁଛନ୍ତି  । ଏଭଳି ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଥିବା ରାସ୍ତାର ଦୃଶ୍ୟ ବୁଗୁଡା ବ୍ଲକ ଉପାଧ୍ୟକ୍ଷଙ୍କ ନିଜସ୍ୱ ଗୋଲିଆ ପଞ୍ଚାୟତରେ ଦେଖିବାକୁ ମିଳିଛି  । ପ୍ରକାଶ ଯେ, ଗୋଲିଆ ଗ୍ରାମ ଉପକଣ୍ଠସ୍ଥ କୋଇଲୁଣ୍ଡି ଛକଠାରୁ ମରେଇପଲ୍ଲୀ ଓ ଡାହାଣୀପଲ୍ଲୀ ଗାଁ ଦେଇ ତାଳସର ଗ୍ରାମକୁ ଯାଇଥିବା ରାସ୍ତାର ଅବସ୍ଥା ଦୟନୀୟ ହୋଇପଡିଛି । ଏ ନେଇ ଏହି ତିନିଗୋଟି ଗାଁରେ ଲୋକେ ଅନେକ ଥର ଗୁହାରି କରିଥିଲେ ମଧ୍ୟ ସ୍ଥାନୀୟ ବ୍ଲକ୍ ପ୍ରଶାସନ ଶୁଣୁନଥିବା ଅଭିଯୋଗ ହେଉଛି । ଗତ ୨୮ ଅଗଷ୍ଟ ୨୦୨୩ ତାରିଖ ଦିନ ଏହି ରାସ୍ତା ଯୋଗୁଁ ହିନସ୍ଥା ହେଉଥିବା ଗ୍ରାମବାସୀମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରି ରାସ୍ତା ତିଆରି ନକଲେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଥିଲେ  । ବିଡିଓ ବାବୁ ରାସ୍ତା ନିର୍ମାଣର ଆଶ୍ୱାସନା ଦେଇ ଲୋକଙ୍କୁ ଫେରାଇ ଦେଇଥିଲେ ଏବଂ ପରବର୍ତ୍ତୀ ନିର୍ବାଚନ ସମୟରେ ନେତାଗଣଙ୍କ ମିଥ୍ୟା ପ୍ରତିଶ୍ରୁତିରେ ଭଳିଯାଇ ଲୋକେ ଭୋଟ ମଧ୍ୟ ଦେଇଥିଲେ  । ଭୋଟ ସରିଯାଇ ସରକାର ବଦଳି ଯାଇଥିଲେ ସୁଦ୍ଧା ସେହି କଦର୍ଯ୍ୟ ରାସ୍ତାର ଅବସ୍ଥା ବଦଳିଲା ନାହିଁ କି ଗାଁ ଲୋକଙ୍କ ଦୁର୍ଦ୍ଦଶା ଦୂର ହେଲାନାହିଁ । ବର୍ଷା କାଳରେ ସେହି ପାଣିଭରା ଖାଲଖମା ରାସ୍ତାରେ ଯାନବାହାନ ଚଳାଚଳ କଷ୍ଟକର ହେଉଥିବା ବେଳେ ଗୋଲିଆ ଗ୍ରାମସ୍ଥ ହାଇସ୍କୁଲରେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏଁ ପଢୁଥିବା ଛାତ୍ରଛାତ୍ରୀ ଏବଂ ଭତ୍ତା ଓ ରାସନ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାଆସିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି  । ଅନ୍ୟପକ୍ଷରେ ବିପଦ ସମୟରେ ଆମ୍ବୁଲାନ୍ସ ମରେଇପଲ୍ଲୀ ଗାଁ ପାଖକୁ ଯାଇପାରୁଥିବା ବେଳେ ଅନ୍ୟ ଦୁଇ ଗାଁକୁ ଯାଇ ନପାରି ବାଟରେ ଅଟକି ଯାଉଥିବାରୁ ଲୋକେ ରୋଗୀକୁ ଆମ୍ବୁଲାନ୍ସ ପାଖକୁ ଆଣିବାକୁ ପଡୁଛି । ଏ ନେଇ ଲୋକଙ୍କ ବାରମ୍ବାର ଅଭିଯୋଗକୁ ହେୟଜ୍ଞାନ ମନେକରି ସ୍ଥାନୀୟ ବ୍ଲକ ପ୍ରଶାସନ ଏବଂ ଜନପ୍ରତିନିଧିଗଣ ଅଣଦେଖା କରୁଥିବାରୁ ଜିଲ୍ଲା ଓ ରାଜ୍ୟ ପ୍ରଶାସନିକ ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ପ୍ରତିକାର କରିବା ପାଇଁ ଦୃଢ ଦାବି ହେଉଛି ।